ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଆଇନ୍ ମଦ ବିକ୍ରି ବିରୋଧରେ ମହିଳାଙ୍କ ହୁଙ୍କାର; ଭାଙ୍ଗିଦେଲେ ବିକ୍ରି କେନ୍ଦ୍ର 

ବେଆଇନ୍ ମଦ ବିକ୍ରି ବିରୋଧରେ ମହିଳାଙ୍କ ହୁଙ୍କାର; ଭାଙ୍ଗିଦେଲେ ବିକ୍ରି କେନ୍ଦ୍ର 

ହିଞ୍ଜିଳିକାଟୁ,୩୦/୭ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ପଞ୍ଚାୟତର ସାରୁ ଓ ଶାସନଆମ୍ଭ ଗାଁ ମଧ୍ୟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ଦୀର୍ଘ ୧୫ ଦିନରୁ ଅଧିକ ସମୟ ଧରି ବେଆଇନ ଭାବେ ଦେଶୀ ମଦ ବିକ୍ରି ଚାଲିଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହୋଇଉଠିଥିଲା। ଶେଷରେ ସାରୁ ପଞ୍ଚାୟତର ଶତାଧିକ ମହିଳା ଓ ଗ୍ରାମବାସୀ ଏକଜୁଟ ହୋଇ ବେଆଇନ୍ ମଦ ବିକ୍ରି ବିରୋଧରେ ଜୋରଦାର ପ୍ରତିବାଦ କରିବା ସହ ମଦ ବିକ୍ରି ହେଉଥିବା ସ୍ଥାନକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଘଟଣା ସମୟରେ ସମ୍ପୃକ୍ତ ବ୍ୟବସାୟୀ ସେଠାରେ ଉପସ୍ଥିତ ନଥିଲେ। ତେବେ ଏହି ଘଟଣା ସମ୍ପର୍କରେ ହିଞ୍ଜିଳି ଥାନାରେ ଖବର ଲେଖାଯିବା ସୁଦ୍ଧା କୌଣସି ଅଭିଯୋଗ ଦାଖଲ ହୋଇନଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବେଆଇନ୍ ମଦ କାରବାର ଯୋଗୁଁ ଗ୍ରାମରେ ପାରିବାରିକ ଅଶାନ୍ତି, ଘରୋଇ ହିଂସା, ଅର୍ଥନୈତିକ ସଙ୍କଟ ଏବଂ ସାମାଜିକ ଅବକ୍ଷୟ ବଢ଼ି ଚାଲିଥିଲା। ଯାହାକୁ ନେଇ ଗ୍ରାମର ମହିଳାମାନେ ନିଜେ ଆଗକୁ ଆସି ମଦ କାରବାର ବନ୍ଦ କରିଥିବା କହିଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନ ଧରି ବେଆଇନ୍ ଭାବେ ମଦ ବିକ୍ରି ଚାଲିଥିଲେ ମଧ୍ୟ ପ୍ରଶାସନ ଓ ସମ୍ପୃକ୍ତ ଅବକାରୀ ବିଭାଗ କାହିଁକି ଏହା ଉପରେ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରତିବାଦକାରୀ ମହିଳାମାନେ ଚେତାବନୀ ଦେଇଛନ୍ତି ଯେ, ଗ୍ରାମରେ ବେଆଇନ୍ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ନହେଲେ ସେମାନେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନକୁ ଓହ୍ଲାଇବେ। ଏହି ଘଟଣା ପରେ ଅଞ୍ଚଳରେ ବେଆଇନ୍ ମଦ କାରବାର ରୋକିବା ପାଇଁ ପ୍ରଶାସନ କିଭଳି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related posts

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

Sunil Chandra Nayak

ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର -୬ ରେ ପ୍ରବେଶ ଉତ୍ସବ ପାଳିତ

masiha

Leave a Comment

error: Content is protected !!