ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୀର୍ଷକ – ନଳବଂଶ କାଳୀନ ଐତିହ୍ୟର ସଂରକ୍ଷଣ ଦାବୀରେ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗକୁ ଦାବୀପତ୍ର 

ଶୀର୍ଷକ – ନଳବଂଶ କାଳୀନ ଐତିହ୍ୟର ସଂରକ୍ଷଣ ଦାବୀରେ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗକୁ ଦାବୀପତ୍ର 

ନବରଂଗପୁର:(୧|୮)(ରବି ନାରାୟଣ ମହାନ୍ତି)ଉପ ଶୀର୍ଷକ – ଦେଶିଆ କୁଟୁମ୍‌ର ଦାବିପତ୍ର ଗ୍ରହଣ କଲେ ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶିକା; ପୋଡାଗଡ଼, କେଲିଆ ଓ ଗର୍ଭରାଇ ପରିଦର୍ଶନ ସହ ପ୍ରକଳ୍ପ ପ୍ରସ୍ତୁତି ଏବଂ ASIକୁ ପ୍ରସ୍ତାବ ପଠାଇବାକୁ ପ୍ରତିଶ୍ରୁତି lଅବିଭକ୍ତ କୋରାପୁଟ ଅଞ୍ଚଳର ନଳବଂଶ କାଳୀନ ଇତିହାସ ଓ ପ୍ରତ୍ନସମ୍ପଦର ସଂରକ୍ଷଣ ଦିଗରେ ଏକ ଆଶାବ୍ୟଞ୍ଜକ ପଦକ୍ଷେପ ନିଆଯାଇଛି। ଆଦିବାସୀ ସଂସ୍କୃତି, ଭାଷା, ଲୋକଐତିହ୍ୟ ଓ ପ୍ରାଚୀନ ଇତିହାସ ଉପରେ ଦୀର୍ଘଦିନ ଧରି ଗବେଷଣା କରୁଥିବା ଅଗ୍ରଣୀ ସଂଗଠନ ଦେଶିଆ କୁଟୁମ୍ ପକ୍ଷରୁ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶିକା ଡଃ ଦେବଯାନୀ ଭୁୟାଁଙ୍କୁ ନଳବଂଶ ସହ ସମ୍ପୃକ୍ତ ପ୍ରାଚୀନ ଐତିହ୍ୟସ୍ଥଳୀଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ବୈଜ୍ଞାନିକ ଖନନ ଓ ସଂରକ୍ଷଣ ନିମନ୍ତେ ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରାଯାଇଛି।ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଅବିଭକ୍ତ କୋରାପୁଟ ଅଞ୍ଚଳ ପ୍ରାଚୀନ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସଭ୍ୟତା କେନ୍ଦ୍ର ଥିଲା। ରାମାୟଣ କାଳର ଦଣ୍ଡକାରଣ୍ୟ, ମହାଭାରତର ନିଷାଦ, ବୌଦ୍ଧ ଯୁଗର ମହାକାନ୍ତାର ଓ ନଳବଂଶର ରାଜଧାନୀ ପୁଷ୍କରୀ ସହ ଏହି ଅଞ୍ଚଳର ଐତିହାସିକ ସମ୍ପର୍କ ରହିଛି। ତଥାପି ଓଡ଼ିଶାର ଇତିହାସରେ ନଳବଂଶର ଅବଦାନ ଓ ଏହାର ପ୍ରତ୍ନସମ୍ପଦକୁ ସେତେଟା ଗୁରୁତ୍ୱ ଦିଆଯାଇନଥିବାରୁ ଅନେକ ଐତିହ୍ୟସ୍ଥଳୀ ଆଜି ଅବହେଳା ଓ ବିନାଶର ସମ୍ମୁଖୀନ ହେଉଛି।ଦାବିପତ୍ରରେ ନବରଙ୍ଗପୁର ଜିଲ୍ଲାର ପୋଡାଗଡ଼, କେଲିଆ, ଗର୍ଭରାଇ, କେଶରୀବେଡା ଓ ପାପଡାହାଣ୍ଡି ଶିବମନ୍ଦିର ସମେତ ନଳବଂଶ ସହ ସମ୍ପୃକ୍ତ ବିଭିନ୍ନ ପ୍ରାଚୀନ ସ୍ଥାନର ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ଉପସ୍ଥାପନ କରାଯାଇଥିଲା। ବିଶେଷକରି ପୋଡାଗଡ଼ର ଶିଳାଲିପି, ପ୍ରାଚୀନ ମୂର୍ତ୍ତି, ପୋଡ଼ା ଇଟାର ସ୍ଥାପତ୍ୟ, କେଲିଆର ଭଗ୍ନ ଶୈବ ସ୍ଥାପତ୍ୟ ଓ ଗୁମ୍ଫା, ଏବଂ ଗର୍ଭରାଇରେ ମିଳିଥିବା ଜୈନ ଓ ଗଣେଶ ମୂର୍ତ୍ତି ସହ ନଳବଂଶ କାଳୀନ ନିଦର୍ଶନର ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।ଦାବିପତ୍ର ଗ୍ରହଣ କରି ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶିକା ଡଃ ଦେବଯାନୀ ଭୁୟାଁ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ପୋଡାଗଡ଼, କେଲିଆ, ଗର୍ଭରାଇ ସମେତ ଉକ୍ତ ଐତିହ୍ୟସ୍ଥଳୀ ଗୁଡ଼ିକର କ୍ଷେତ୍ର ପରିଦର୍ଶନ କରାଯିବ। ପରିଦର୍ଶନ ପରେ ବିସ୍ତୃତ ତଥ୍ୟ ସଂଗ୍ରହ କରି ଏକ ବୈଜ୍ଞାନିକ ପ୍ରକଳ୍ପ (Project Report) ପ୍ରସ୍ତୁତ କରାଯିବ। ଏହି ପ୍ରକଳ୍ପକୁ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗ ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ନିକଟରେ ଉପସ୍ଥାପନ କରାଯାଇ ଆବଶ୍ୟକ ଅନୁମୋଦନ ଓ ସହଯୋଗ ଆଣିବା ପାଇଁ ପଦକ୍ଷେପ ନିଆଯିବ। ପରବର୍ତ୍ତୀ ସମୟରେ ଏହି ସ୍ଥାନଗୁଡ଼ିକର ବୈଜ୍ଞାନିକ ସର୍ବେକ୍ଷଣ, ଖନନ, ସଂରକ୍ଷଣ ଏବଂ ପର୍ଯ୍ୟାୟକ୍ରମେ ପୁନରୁଦ୍ଧାର କାର୍ଯ୍ୟ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ଦେଶିଆ କୁଟୁମ୍ର ସମ୍ପାଦକ ତଥା ଗବେଷକ ସବ୍ୟସାଚୀ ବିଷୋୟୀ ଏହି ଦାବୀପତ୍ର ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ, ନଳବଂଶ ଇତିହାସ କେବଳ ଅବିଭକ୍ତ କୋରାପୁଟର ନୁହେଁ, ସମଗ୍ର ଓଡ଼ିଶାର ଐତିହାସିକ ଗୌରବର ଏକ ଅମୂଲ୍ୟ ଅଧ୍ୟାୟ। ଏହି ସମ୍ପଦର ସଂରକ୍ଷଣ ଦ୍ୱାରା ନୂତନ ଐତିହାସିକ ତଥ୍ୟ ସାମ୍ନାକୁ ଆସିବା ସହ ଗବେଷଣା, ଐତିହ୍ୟ ପର୍ଯ୍ୟଟନ ଓ ସ୍ଥାନୀୟ ସଂସ୍କୃତିର ବିକାଶ ପାଇଁ ନୂଆ ଦିଗ ଉନ୍ମୋଚିତ ହେବ। ସେ ଆହୁରି କହିଛନ୍ତି ଯେ, ଏହି କାର୍ଯ୍ୟରେ ଦେଶିଆ କୁଟୁମ୍ ବିଭାଗକୁ ସମସ୍ତ ପ୍ରକାରର ଗବେଷଣାମୂଳକ ସହଯୋଗ ଯୋଗାଇବ।ଡଃ ଦେବଯାନୀ ଭୁୟାଁଙ୍କ ଏହି ପ୍ରତିଶ୍ରୁତି ପରେ ନଳବଂଶ କାଳୀନ ଐତିହ୍ୟର ସଂରକ୍ଷଣ ନେଇ ଇତିହାସ ଗବେଷକ, ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର ହୋଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାପ୍ତାହିକ ନବୀନର ୯୭ ତମ ସ୍ଵନକ୍ଷତ୍ର ଉତ୍ସଵ  ‘ସମ୍ବାଦପତ୍ରର ପରାଧୀନତା ସମାଜ ପାଇଁ କ୍ଷତିକାରକ

6 year old Odissi Dancer included in India Book of Records.

masiha

ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!