ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ରେ ୨୦୨୭ ବୋର୍ଡ ପରୀକ୍ଷାରେ ଏ ୱାନ୍ ଗ୍ରେଡ୍ ବୃଦ୍ଧି କରିବା ପାଇଁ ଉଚ୍ଚ ସଫଳତା ହାସଲକାରୀ ସ୍ୱତନ୍ତ୍ର ଆକାଂକ୍ଷା ଶିକ୍ଷାଦାନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୬-୨୭ ଉଦ୍ ଘାଟିତ
“ଶିକ୍ଷାକ୍ଷେତ୍ରରେ ସର୍ବୋଚ୍ଚ ସ୍ତରର ଉତ୍କର୍ଷ ହାସଲ କରିବା ପାଇଁ ସଂଗଠିତ କଠିନ ପରିଶ୍ରମ ଏବଂ ରଣନୈତିକ ଯୋଜନାର କୌଣସି ବିକଳ୍ପ ନାହିଁ”
ଢେଙ୍କାନାଳ: ତା.୧.୮.୨୦୨୬ ରିଖ: ( ମ ନି ସ) : ଆଜି ପ୍ରାତଃ ୭ ଘଟିକା ସମୟରେ ସ୍ଥାନୀୟ ଶତାୟୁ ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସ୍ମାର୍ଟ୍ ଶ୍ରେଣୀ ଗୃହରେ ମାଧ୍ୟମିକ ବିଦ୍ୟାର୍ଥୀମାନଙ୍କ ଶୈକ୍ଷିକମାନକୁ ଉନ୍ନତ କରିବା ପାଇଁ ଏକ ପ୍ରମୁଖ ପ୍ରୟାସରେ,ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ରେ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା -୨୦୨୭ ରେ ଏ ୱାନ୍ ଗ୍ରେଡ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଏ ୱାନ୍ ଗ୍ରେଡ୍ ଆଶାୟୀ ଛାତ୍ରୀ,ଛାତ୍ର ମାନଙ୍କ ପାଇଁ ଏହାର ହାଇ ଆଚିଭର୍ କୋଚିଂ କ୍ଲାସ୍ ଅର୍ଥାତ୍ ଉଚ୍ଚ ସଫଳତା ହାସଲକାରୀ ସ୍ୱତନ୍ତ୍ର ଆକାଂକ୍ଷା ଶିକ୍ଷାଦାନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ -୨୦୨୬-୨୭ ଉଦ୍ ଘାଟିତ ହୋଇଯାଇଛି।ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ୩୭୮ ଜଣ ଚୟନ କରାଯାଇଥିବା ମେଧାବୀ ଛାତ୍ରୀ,ଛାତ୍ରମାନଙ୍କ ମଧ୍ୟରୁ ୨୮ ଜଣ ସାମିଲ ଅଛନ୍ତି।ଏହା ପ୍ରତି ଶନିବାର ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ୧୮ ଟି ନିର୍ଦ୍ଦିଷ୍ଟ ଆଞ୍ଚଳିକ ସ୍ଥାନରେ କାର୍ଯ୍ୟ କରିବ।ବିଭିନ୍ନ ଶ୍ରେଷ୍ଠ ବିଷୟ ବିଶେଷଜ୍ଞମାନେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷାଦାନ,ଅଭ୍ୟାସ ଓ ପରୀକ୍ଷା ପରବର୍ତ୍ତୀ ଆଲୋଚନା ମାଧ୍ୟମରେ ତାଲିମ ଦେବେ,ଗୁରୁତ୍ୱପୂର୍ଣ୍ଣ ଟିପ୍ସ,ସମୟ-ପରିଚାଳନା କୌଶଳ ଏବଂ ରଣନୈତିକ ସ୍କୋରିଂ ପ୍ୟାଟର୍ଣ୍ଣ ମଧ୍ୟ ପ୍ରଦାନ କରିବେ।ଢେଙ୍କାନାଳ ସଦର ବ୍ଲକ ପାଇଁ ଆଞ୍ଚଳିକ ମଡ୍ୟୁଲ୍ ଆଜି ଐତିହାସିକ ପିଏମଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ହାଇସ୍କୁଲରେ ଉଦ୍ଘାଟିତ ହୋଇଛି।ବିଦ୍ୟାଳୟ ପରିଚାଳନା କମିଟିର ଆଲୁମିନି ପ୍ରତିନିଧି ସଭ୍ୟ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏବଂ ରାଜ୍ୟ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରିଥିଲେ।ଛାତ୍ରୀ,ଛାତ୍ର ଏବଂ ଅଭିଭାବକଙ୍କ ସମାବେଶକୁ ସମ୍ବୋଧିତ କରି ଡା .ମିଶ୍ର “ଶିକ୍ଷାକ୍ଷେତ୍ରରେ ସର୍ବୋଚ୍ଚ ସ୍ତରର ଉତ୍କର୍ଷ ହାସଲ କରିବା ପାଇଁ ସଂଗଠିତ କଠିନ ପରିଶ୍ରମ ଏବଂ ରଣନୈତିକ ଯୋଜନାର କୌଣସି ବିକଳ୍ପ ନାହିଁ” ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଢେଙ୍କାନାଳ ଜିଲ୍ଲାପାଳ,ଆଶିଷ ଈଶ୍ୱର ପାଟିଲ,ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ,ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ସୌମ୍ୟାଶ୍ରୀ ପଣ୍ଡା,ଗୋଷ୍ଠୀ ଶିକ୍ଷା ଅଧିକାରୀ,ସଦର ବ୍ଲକ୍ ଦିବ୍ୟ ପ୍ରକାଶ ପ୍ରଧାନଙ୍କ ସମ୍ମିଳିତ ବଳିଷ୍ଠ ନେତୃତ୍ୱ ତଥା ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ରେ ୨୦୨୭ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ ବୃଦ୍ଧି କରିବା ପାଇଁ ଉଚ୍ଚ ସଫଳତା ହାସଲକାରୀ ସ୍ୱତନ୍ତ୍ର ଆକାଂକ୍ଷା ଶିକ୍ଷାଦାନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୬-୨୭ର ଅଭିନବ ପ୍ରୟାସର ସଫଳତା କାମନା କରିଥିଲେ ଏବଂ ଏହାର ସୁଫଳ ଛାତ୍ରୀ,ଛାତ୍ରମାନେ ପାଇବା ପାଇଁ କଠିନ ପରିଶ୍ରମ କରିବା ପାଇଁ ଦୃଢ଼ ଆହ୍ୱାନ ଜଣାଇଥିଲେ।ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଭୁ ଜଗନ୍ନାଥଙ୍କୁ ପାରମ୍ପରିକ ପୁଷ୍ପ ଓ ଧୂପ ଅର୍ପଣ ଏବଂ ଆୟୋଜକ ବିଦ୍ୟାଳୟର ବରିଷ୍ଠ ସମ୍ବଳ ଶାସ୍ତ୍ରୀୟ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ରଙ୍କ ଦ୍ୱାରା ବୈଦିକ ଆବାହନ,ମଙ୍ଗଳା ଚରଣ ଗାନ ଓ ଶାନ୍ତିପାଠ ସହିତ ଆରମ୍ଭ ହୋଇଥିଲା।ସ୍ଥାନୀୟ ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟର ନୋଡାଲ୍ ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳ ସମାବେଶକୁ ସ୍ୱାଗତ କରିଥିଲେ,ପାଠ୍ୟକ୍ରମର ନେତୃତ୍ୱ ନେଉଥିବା ୧୮ ଜଣ ସମ୍ବଳ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ଏକ ଦୃଢ଼ ପ୍ୟାନେଲ୍ ଙ୍କୁ ସର୍ବ ସମକ୍ଷରେ ପରିଚୟ କରାଇବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଛାତ୍ରୀ,ଛାତ୍ରମାନେ ଶିକ୍ଷା ବିଭାଗର ଏହି ଅଭିନବ ପ୍ରୟାସର ସୁଫଳ ପାଇବାକୁ ଶିକ୍ଷା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିବାକୁ ସୁପରାମର୍ଶ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି,ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତାବାଳା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମ ପାଇଁ ଅଭିଭାବକ ଓ ଛାତ୍ରୀ,ଛାତ୍ରମାନଙ୍କୁ ସର୍ବୋତ୍ତମ ଲଜିଷ୍ଟିକ୍ ଏବଂ ଶୈକ୍ଷିକ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।ନୋଡାଲ୍ ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳ ଧନ୍ୟବାଦ ଅର୍ପଣ କରିବାପରେ ସଭାକାର୍ଯ୍ୟ ଶେଷ କରାଯାଇ ଶିକ୍ଷାପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସମୀର ପରିଡ଼ା,ଉପସଭାପତି ଓ ସମସ୍ତ ସଭ୍ୟା,ସଭ୍ୟ ବୃନ୍ଦ, ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ଦୀପ୍ତିଶ କୁମାର ଶତପଥୀଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ଏହି ସାପ୍ତାହିକ ଶୈକ୍ଷିକ ହସ୍ତକ୍ଷେପର ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ଶିକ୍ଷା କର୍ତ୍ତୃପକ୍ଷ ସମସ୍ତ ମେଧାବୀ ଛାତ୍ରୀ,ଛାତ୍ର ମାନଙ୍କର ମାତା,ପିତା,ଅଭିଭାବିକା,ଅଭିଭାବକ, ହାଇସ୍କୁଲ୍ ମୁଖ୍ୟମାନଙ୍କର ପୂର୍ଣ୍ଣ ସହଯୋଗ ପାଇଁ ଅନୁରୋଧ କରିଛନ୍ତି।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

