୫ଲକ୍ଷ ବ୍ରାଉନସୁଗାର ଜବତ ; ୫ଗିରଫ
ଭଞ୍ଜନଗର,୦୫/୮ ବେଆଇନ ନିଶା କାରବାରରେ ରୋକ ଲଗାଇବା ପାଇଁ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍ପିଙ୍କ କଡା ନିର୍ଦ୍ଦେଶ ରହିଛି। ତାକୁ ଦୃଷ୍ଟିରେ ରଖି ଗଞ୍ଜେଇ ଠାରୁ ଆରମ୍ଭ କରି ନିଶା କାରବାର ଉପରେ ଧରପଗଡ ଜୋରଦାର କରାଯାଇଥିବା ବେଳେ ନିଶା କାରବାର ବିରୋଧୀ ଅଭିଯାନରେ ପୁଣି ସଫଳତା ମିଳିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର ସୂଚନା ଦେଇଛନ୍ତି। ମଙ୍ଗଳବାର ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ସୋରାଦେବୀ ମନ୍ଦିର ଓ ବୁଦୁଲି ମଝିରେ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକାଇଥିଲେ। ସେମାନଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ୪୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏଥିସହ ଏହି କାରବାରରେ ସଂପୃକ୍ତି ରହିଥିବା ଅଭିଯୋଗରେ ଆଉ ଜଣକୁ ଗିରଫ କରିବା ସହ ମୋଟ ୫ ଜଣକୁ ଗିରଫ କରିବା ସହ ୪ ଟି ମୋବାଇଲ ଫୋନ,ଗୋଟିଏ କାର୍,ଗୋଟିଏ ବାଇକ ଓ ନଗଦ ୧୪ ହଜାର ୬ ଶହ ଟଙ୍କା ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏନେଇ କେସ ନମ୍ବର ୭୬୭/୨୬ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ସେ କହିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ବାଉଁଶଲୁଣ୍ଡିର ଅମିତ୍ କୁମାର ବେହେରା, ଚଢ଼େୟାପଲ୍ଲୀର ସରୋଜ ମହାନ୍ତି, ଲଣ୍ଡାଜୁଆଳିର ମାନସ ରଞ୍ଜନ ଜେନା,କାହ୍ନୁ ଚରଣ ଜେନା ଓ ଭଞ୍ଜନଗରର ଅମୀୟ ରଞ୍ଜନ ମହାନ୍ତି। ଉକ୍ତ ମାମଲାରେ ଆଉ କିଛି ଜଣ ଫେରାର ହୋଇଥିବା ପୁଲିସ ସୂଚନା ଦେଇଛି। ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ସମୀର କୁମାର ସେଠୀ,ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

