ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ରେଳଷ୍ଟେସନରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର ରେଳଷ୍ଟେସନରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର,୦୫/୦୮ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଅଂଶବିଶେଷ ଭାବେ ଗଞ୍ଜାମ ଜିଲ୍ଲାର ଦୁଇଦିନିଆ ଐତିହାସିକ ଗସ୍ତ ସଫଳତାର ସହ ସମାପ୍ତ ହୋଇଛି। ଗଞ୍ଜାମ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉପସ୍ଥିତିକୁ ନେଇ ସମଗ୍ର ଜିଲ୍ଲାରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଭାରତର ପ୍ରଥମ ନାଗରିକଙ୍କୁ ନିକଟରୁ ପାଇ ଜିଲ୍ଲାବାସୀ ଅତ୍ୟନ୍ତ ଉଲ୍ଲସିତ ହୋଇଥିଲେ।

ମାନ୍ୟବର ରାଷ୍ଟ୍ରପତି ୪ ଅଗଷ୍ଟ ଅପରାହ୍ନରେ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହାପରେ ୫ ଅଗଷ୍ଟ ପ୍ରତ୍ୟୁଷରେ ବାବା ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସମାପ୍ତ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ନିମନ୍ତେ ସକାଳ ପ୍ରାୟ ୧୦.୦୫ ମିନିଟରେ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିଥିଲେ।

ମାନ୍ୟବର ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ପ୍ରୋଟୋକଲ ଅନୁଯାୟୀ ବ୍ରହ୍ମପୁର ରେଳଷ୍ଟେସନରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାରଙ୍କ ସମେତ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ଆଇ ଜି ନିତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ଶରବଣା ବିବେକ ଏମ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବିଶି, ବରିଷ୍ଠ ପ୍ରଶାସନିକ, ପୁଲିସ୍ ଓ ରେଲୱେର ଅଧିକାରୀମାନେ ଉପସ୍ଥିତ ରହି ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ମାନ୍ୟବର ରାଷ୍ଟ୍ରପତିଙ୍କ ରେଳ ଯାତ୍ରା ପୂର୍ବରୁ ଆବଶ୍ୟକ ପ୍ରୋଟୋକଲ, ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ସୁଚାରୁ ଭାବେ ସମ୍ପନ୍ନ କରାଯାଇଥିଲା। ଏହାପରେ ମାନ୍ୟବର ରାଷ୍ଟ୍ରପତି ରେଳ ଯୋଗେ ଭୁବନେଶ୍ୱର ଅଭିମୁଖେ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ।

ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତ ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି, ଲୋକପରମ୍ପରା, ପର୍ଯ୍ୟଟନ ଓ ଧାର୍ମିକ ପୀଠଗୁଡ଼ିକୁ ଜାତୀୟ ସ୍ତରରେ ନୂଆ ପରିଚୟ ପ୍ରଦାନ କରିଛି। ବିଶେଷକରି ଗଞ୍ଜାମର ଆଦିବାସୀ ସଂସ୍କୃତି ଓ ଲୋକକଳା ପ୍ରତି ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷିତ ହୋଇଛି। ଏହି ଗସ୍ତ ଜିଲ୍ଲାର ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶକୁ ମଧ୍ୟ ନୂତନ ଗତି ପ୍ରଦାନ କରିବ ବୋଲି ଆଶା ଜିଲ୍ଲାପାଳ ଶ୍ରୀ ଭାସନ ଆଶା ବ୍ୟକ୍ତ କରିଛନ୍ତି । ଏହା ସହିତ ସମସ୍ତ ସହଯୋଗ ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଛନ୍ତି।

Related posts

ଚନ୍ଦାହାଣ୍ଡି ଠାରେ ଧନୁଯାତ୍ରା ଆରମ୍ଭ , ପ୍ରଥମ ରଜନୀରେ ଉଗ୍ରେସନ ଦରବାର ନାଟକ ଅନୁଷ୍ଠିତ

Sunil Chandra Nayak

ରାୟଗଡ଼ରେ ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନର ୧୦୦ ଦିନିଆ ସଚେତନତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

Sunil Chandra Nayak

ଦ ମିରର ସୋସିଆଲ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!