ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ INDIA ବ୍ଲକ ପକ୍ଷରୁ ପରିବର୍ତ୍ତନ ରାଲି: MMDR ସଂଶୋଧନ ଆଇନ -୨୦୨୬ ରଦ୍ଦ କର, ୨୯ ସେପ୍ଟେମ୍ବର ବିଧାନସଭା ଘେରାଉ ସଫଳ କରିବାକୁ ଆହ୍ଵାନ

ରାୟଗଡାରେ INDIA ବ୍ଲକ ପକ୍ଷରୁ ପରିବର୍ତ୍ତନ ରାଲି: MMDR ସଂଶୋଧନ ଆଇନ -୨୦୨୬ ରଦ୍ଦ କର, ୨୯ ସେପ୍ଟେମ୍ବର ବିଧାନସଭା ଘେରାଉ ସଫଳ କରିବାକୁ ଆହ୍ଵାନ

ରାୟଗଡା: ତା୨୧ ସେପ୍ଟେମ୍ବର ୨୦୨୬:  ଆଜି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ INDIA ବ୍ଲକ୍‌ ଆହ୍ୱାନରେ ଏକ ବିଶାଳ ମିଳିତ ଗଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ MMDR ସଂଶୋଧନ ଆଇନ, ୨୦୨୬ ରଦ୍ଦ କରିବାକୁ ଦାବି କରାଯିବା ସହ ଏହାକୁ “ଓଡ଼ିଶା ଲୁଣ୍ଠନ ପାଇଁ ମୋଦିଙ୍କ ନକ୍ସା” ବୋଲି ବର୍ଣ୍ଣନା କରି ଏହାକୁ ରଦ୍ଦ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ଯୁନିଷ୍ଟ ପାର୍ଟି (ମାର୍କସଵାଦୀ) ଭାରତର କମ୍ୟୁନିଷ୍ଟ ପାର୍ଟି (ଏମ୍ଏଲ୍) ଲିଵରେଶନ, ସମାଜବାଦୀ ପାର୍ଟି ମିଳିତ ଭାବେ ସର୍ବସମ୍ମତ ଦାଵି କରିଛନ୍ତି ଓ ଏହି ଦାବି ନେଇ ୨୯ ସେପ୍ଟେମ୍ବର ବିଧାନସଭା ସମ୍ମୁଖରେ ମିଳିତ ଵିଶାଳ ବିକ୍ଷୋଭ ପାଇଁ ଆହ୍ଵାନ ଦେଇଛନ୍ତି।ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୫ ଜୁଲାଇ ୨୦୨୪ ନିର୍ଦ୍ଦେଶ ଭିତ୍ତିରେ ଖଣିଜ ସମ୍ପଦ ଉପରୁ ରାଜ୍ଯ ସରକାରମାନେ କର ଓ ରାଜସ୍ଵ ଆଦାୟ କରିପାରିବେ। ୨୦୦୫ରୁ ୨୦୨୪ ମଧ୍ୟରେ ବକେୟା କର ମଧ୍ୟ ଆଦାୟ କରିପାରିବେ। ଏହି ନିର୍ଦ୍ଦେଶ ଭିତ୍ତିରେ ଓଡ଼ିଶାକୁ ମିଳିବାକୁ ଥିବା ପିଛିଲା ରାଜସ୍ଵ ରୁ ୧ଲକ୍ଷ ୧୦ ହଜାର କୋଟି ଟଙ୍କା ଏଵଂ ୨୦୨୪ ଠାରୁ ବାର୍ଷିକ ଅନ୍ୟୁନ ୨୦ ହଜାର କୋଟି ଟଙ୍କାର ହାରରେ ରାଜସ୍ଵ ଆଦାୟ ନିର୍ଦ୍ଦେଶକୁ ଅକାମୀ କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ଏନଡିଏ ସରକାର ଏମ୍.ଏମ୍.ଡି.ଆର୍. ସଂଶୋଧନ ଆଇନ -୨୦୨୬ ପ୍ରଣୟନ କଲେ। ଏହା ଫଳରେ ଓଡିଶା ଖଣିଜ ସମ୍ପଦ ଉପରୁ ରାଜସ୍ଵ ଆଦାୟ ଅଧିକାର ପ୍ରତ୍ୟାହୃତ ହୋଇଅଛି, ପିଛିଲା ରାଜସ୍ଵ ପାଇବା ଅଧିକାର ଛଡାଇ ନିଆଯାଇଛି। କେଵଳ ସେତିକି ନୁହେଁ ଖଣିଜ ଅଞ୍ଚଳର ଭୁ-ସତ୍ଵାଧିକାର ରାଜ୍ଯ ଠାରୁ ଛଡ଼ାଇ ନିଆଯାଇଛି। ତେଣୁ ଓଡ଼ିଶାର ଅର୍ଥନୈତିକ ଅଧିକାର, ସଂଘୀୟ ବ୍ୟବସ୍ଥା ରେ ରାଜ୍ୟର କ୍ଷମତା ସଂକୋଚନ, ଓଡ଼ିଶାର ଖଣିଜ ଅଞ୍ଚଳରେ ବାସକରୁଥିବା ଆଦିଵିସୀ ଓ କୃଷକ ସମାଜକୁ ସବୁଦିନ ପାଇଁ ଭିଟାମାଟି,ଜୀଵନ ଓ ଜୀଵିକାରୁ ବିସ୍ଥାପନ କରିଵା ପାଇଁ ବିଜେପି ଷଡ଼ଯନ୍ତ୍ର କରିଛି। ଖଣିଜ ଉତ୍ତୋଳନ ଜନିତ ପରିବେଶ ପ୍ରଦୂଷଣର ଶିକାର ହେବେ ଓଡ଼ିଶାର ଜନଗଣ, ଲାଭ ନେବେ ରାହୁ ପୁଞ୍ଜିପତି ଆଦାନୀ ଓ ଚାନ୍ଦା ନେବ ବିଜେପି – ଏ ଷଡ଼ଯନ୍ତ୍ର ବିରୋଧରେ ଓଡିଶାଵାସୀ ଐକ୍ଯଵଦ୍ଧ ପ୍ରତିରୋଧରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ଏହି ‌INDIA ବ୍ଲକ ର ନେତୃବୃନ୍ଦ।ଏହି ଗଣସମାଵେଶରେ ପ୍ରଦେଶ କଂଗ୍ରେସ କମିଟି (PCC) ସଭାପତି ଭକ୍ତ ଚରଣ ଦାସ, ଅଖିଳ ଭାରତ କଂଗ୍ରେସ କମିଟି ପ୍ରଭାରୀ ଲାଲଜୀ ଦେଶାଇ, ଅନ୍ୟତମ ସହ ପ୍ରଭାରୀ ଜି.ଟି.କୁସୁମ୍, ପୁର୍ବତନ ସଭାପତି ନୀରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ଶରତ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ର ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଦାମୋଦର ବେହେରା, ସିପିଆଇ(ଏମ୍) ନେତା ଅଳି କିଶୋର ପଟ୍ଟନାୟକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆଇ (ଏମ୍ଏଲ୍) ଲିବରେସନର ପୁର୍ବତନ ବିଧାୟକ ରାଧାକାନ୍ତ ସେଠୀ, ତିରୁପତି ଗମାଙ୍ଗୋ, ସମାଜବାଦୀ ପାର୍ଟି ର ଶିବ ହାତୀ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, କଂଗ୍ରେସ ର ବିଧାୟକ ଆପାଲା ସ୍ଵାମୀ କାଡରାକା, ତାରା ପ୍ରସାଦ ବାହିନୀପତି, ମଙ୍ଗୁ ଖିଲ, ପବିତ୍ର ସାଉଁଟା, ସତ୍ଯଜିତ ଗମାଙ୍ଗୋ, ଦାସରଥୀ ଗମାଙ୍ଗୋ, ନୀଳମାଧବ ହିକାକା ପ୍ରମୁଖ ଉଦବୋଧନ ଦେଇଛନ୍ତି। ବକ୍ତାମାନେ 

୧.MMDR ସଂଶୋଧନ ଆଇନ – ୨୦୨୬ କୁ ତୁରନ୍ତ ରଦ୍ଦ କର। ଓଡ଼ିଶା ସ୍ଵାର୍ଥ ବିରୋଧୀ ଏହି ଆଇନ ପ୍ରତ୍ୟାହାର ପାଇଁ ରାଜ୍ଯ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ, ଓଡ଼ିଶା ବିଧାନସଭା ର ସ୍ଵତନ୍ତ୍ର ଅଧିବେଶନ ଡକାଇ ଏହି ସଂଶୋଧନ ଆଇନ ରଦ୍ଦ କରିବା ପାଇଁ ଓଡ଼ିଶାର ଦାବି କେନ୍ଦ୍ରରେ ଉପସ୍ଥାପନ କର,

୨-ଓଡ଼ିଶାରେ ଭୁଲ୍ ପାଠ୍ୟପୁସ୍ତକ ପ୍ରକାଶନର ନୈତିକ ଉତ୍ତର ଦାୟିତ୍ୱ ଗ୍ରହଣ କରି ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ।

୩.ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀମାନଙ୍କ ପ୍ରତି ହୋଇଆସୁଥିବା ଅନ୍ୟାୟ, ଅତ୍ୟାଚାର ଓ ବିସଙ୍ଗତିର ଅବସାନ ଘଟାଇ ସେମାନଙ୍କର ସମସ୍ତ ଦାବି ପୂରଣ କରାଯାଉ।

୪.ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କର, ୫.ଆଦିବାସୀ, ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ, ମହିଳା ଓ ବୁଦ୍ଧିଜୀବୀଙ୍କ ଉପରେ ଆକ୍ରମଣ ଏବଂ ଅନ୍ଧାଧୁନ୍ଧ ବିସ୍ଥାପନ ବନ୍ଦ କରି ନ୍ୟାୟ ପ୍ରଦାନ କର।

ଓଡ଼ିଶାର ସାମ୍ପ୍ରତିକ ଅଵସ୍ଥା ଓ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ୨୯ ସେପ୍ଟେମ୍ବର ସମଗ୍ର ଓଡ଼ିଶାର ଜନସାଧାରଣ ଓଡ଼ିଶା ବିଧାନସଭା ଅଭିମୁଖେ ଯାଇ ବିଧାନସଭା ଘେରାଉ କରିବେ।

   ବିଧାନସଭା ଘେରାଉ ପରେ ଓଡ଼ିଶା ବନ୍ଦ ସମେତ ଆହୁରି ତୀବ୍ର ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଓ INDIA ବ୍ଲକର ଦଳମାନେ ମିଳିତ ଭାବେ ଘୋଷଣା କରିଛନ୍ତି।

    ଏହି ଗଣ ସମାବେଶରେ MMDR ସଂଶୋଧନ ଆଇନ ୨୦୨୬କୁ ବିରୋଧ କରିବାର ନିମ୍ନଲିଖିତ କାରଣ ସମ୍ପର୍କରେ ବକ୍ତାମାନେ ସୂଚନା ଦେଇ

•MMDR ସଂଶୋଧନ ଆଇନ,୨୦୨୬ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ୨୫ ଜୁଲାଇ ୨୦୨୪ର ଐତିହାସିକ ରାୟକୁ ନିଷ୍ଫଳ କରିବା ଉଦ୍ଦେଶ୍ୟରେ ପ୍ରଣୟନ କରାଯାଇଛି।

   •ଦେଶର ସଂଘୀୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟଗୁଡ଼ିକର କ୍ଷମତା ଓ ଅଧିକାର କୁ ସଙ୍କୁଚିତ କରିବା ଏହାର ଅସଲ ଉଦ୍ଦେଶ୍ୟ।

•ଏହା PESA ଆଇନ ଓ ଜଙ୍ଗଲ ଅଧିକାର ଆଇନ ବିରୋଧରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।

 •ଖଣିଜ ସମ୍ପଦରେ ସମୃଦ୍ଧ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ କୃଷକ ସମୁଦାୟଙ୍କୁ ସେମାନଙ୍କ ଘରବାଡ଼ି, ଚାଷଜମି ଓ ଜୀବିକାରୁ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ କରିବା ଏହାର ଉଦ୍ଦେଶ୍ୟ।

  •ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ଗୁଡ଼ିକର ଲୋକମାନଙ୍କୁ ପ୍ରଦୂଷଣର ବିଷାକ୍ତ କବଳରେ ଗଣମୃତ୍ୟୁ ଆଡ଼କୁ ଠେଲିଦେବା ଏହାର ଉଦ୍ଦେଶ୍ୟ।

 • ଓଡ଼ିଶା ସମେତ ୧୫ରୁ ଅଧିକ ରାଜ୍ୟର ଖଣି, ଜମି, ଜଳ, ଜଙ୍ଗଲ, ଘରବାଡ଼ି ଓ ଜୀବିକାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ MMDR ସଂଶୋଧନ ଆଇନ – 2026 ଅଣାଯାଇଥିଵା ବେଳେ ବିଜେପି ର ଲୋକସଭାରେ ୨୦ ଜଣ ଓ ରାଜ୍ୟସଭାର ୫ ଜଣ ଓଡ଼ିଶା ସ୍ଵାର୍ଥ ବିରୋଧୀ ଷଡଯନ୍ତ୍ରମୂଳକ ଏହି ସଂଶୋଧନ ଆଇନ କୁ ସମର୍ଥନ ଦେଇଛନ୍ତି। ରାଜ୍ଯ ଓ ଜନଗଣଙ୍କ ସ୍ଵାର୍ଥ ପରିବର୍ତ୍ତେ ମୋଦି ଶାହା ସରକାରଙ୍କ ଓଡ଼ିଶା ଲୁଣ୍ଠନକୁ ସମର୍ଥନ ଜଣାଇଲେ। ଏହି ଏମ ଏମ ଡିଆର ସଂସୋଧନ ଆଇନ – ୨୦୨୬ ସମ୍ପୂର୍ଣ୍ଣ ରଦ୍ଦ ନହେବା ପର୍ଯ୍ୟନ୍ତ ଏହା ବିରୋଧରେ ରାଜ୍ୟବ୍ୟାପୀ ପ୍ରତିରୋଧ ଆନ୍ଦୋଳନ ଜାରି ରହିବ ବୋଲି ସର୍ବସମ୍ମତ ଭାଵେ ଘୋଷଣା କରିଛନ୍ତି। ଏହି ସମୟରେ ଓଡ଼ିଶାର ଏକମାତ୍ର କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏହାକୁ ସଂସଦରେ ଘୋର ବିରୋଧ କରିଥିଵାରୁ ତାଙ୍କୁ ଏହି ଗଣ ସମିଵେଶରେ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। କେଵଳ ସେତିକି ନୁହେଁ ଜାତୀୟ ଶିକ୍ଷାନୀତି ଆଳରେ ଓଡ଼ିଶାର ପ୍ରଥମ ଶ୍ରେଣୀରୁ ୮ମଶ୍ରେଣୀ ପର୍ଯ୍ୟନ୍ତ ଇଚ୍ଛାକୃତ ଭୁଲ ପାଠ୍ୟପୁସ୍ତକ ପ୍ରକାଶନ କରି ୮ ବ୍ୟାଚ୍ ର ଛାତ୍ରଛାତ୍ରୀଙ୍କୁ ମୁର୍ଖ କରାଇବା ଷଡ଼ଯନ୍ତ୍ରର ନୈତିକ ଦାୟିତ୍ବ ବହନ କରି ରାଜ୍ଯ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦେବା ସହ ରାଜ୍ୟର ସମସ୍ତ ବିଶ୍ଵ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଵିଦ୍ଯାଳୟମାନଙ୍କରେ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ପଦବୀ ଫାଙ୍କା ରଖି ସରକାରୀ ଶିକ୍ଷାକୁ ଧ୍ଵଂସ କରି ଘରୋଇ ଶିକ୍ଷା ବେପାରୀଙ୍କ ହାତକୁ ଟେକି ଦେଵା ପାଇଁ ବିଜେପି ଓ ସଂଘ ପରିବାରର ଷଡ଼ଯନ୍ତ୍ର ବିରୋଧରେ ରାଜ୍ଯ ବ୍ୟାପୀ ଛାତ୍ରଛାତ୍ରୀ ଛାତ୍ରାଭିଭାବକ ଓ ଶିକ୍ଷା ପ୍ରେମୀମାନେ ଐକ୍ଯଵଦ୍ଧ ହେବାକୁ ଆହ୍ଵାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ପୁର୍ବରୁ ବିଭିନ୍ନ ଜିଲ୍ଲାର କଂଗ୍ରେସ କମିଟି ନେତା,ଵାମପନ୍ଥୀ ଦଳ ସିପିଆଇ ର ର କଳାହାଣ୍ଡି ଜିଲ୍ଲା ସମ୍ପାଦକ ଜଗଦୀଶ ଦୁର୍ଗା, କୋରାପୁଟ ଜିଲ୍ଲାର ପୁର୍ବତନ ସମ୍ପାଦକ ଯୁଧୀଷ୍ଡିର ରାଉଳ, ମାଲକାନଗିରି ଜିଲ୍ଲାର ସମ୍ପାଦକ ହଳଧର ପୁଜାରୀଙ୍କ ନେତୃତ୍ଵରେ ଶତାଧିକ ସିପିଆଇ କର୍ମୀଙ୍କ ସମେତ ସିପିଆଇ (ଏମ୍ଏଲ) ଲିବରେସନ ର ରାଧାକାନ୍ତ ସେଠୀ, ତ୍ରିପତି ଗମାଙ୍ଗ, ଅନାସିମ ଶବର, ବୃନ୍ଦାବନ ବିଡିକା ବିଭିନ୍ନ ଦଳର ଶହ ଶହ ସଭ୍ୟ ସମର୍ଥକ ଗଣସମାଵେଶ ସ୍ଥଳରେ ପହଞ୍ଚିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା

masiha

ଜିଲ୍ଲା ପାଳଙ୍କ ଜନଶୁଣାଣି ଶିବିର

Sunil Chandra Nayak

ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ବ୍ଲଡ଼ ବେଙ୍କ ଏବଂ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୁକ୍ତି ପାଇଁ ସଚେତନ ନାଗରିକ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!