ଝରିଗାଁ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ନବରଙ୍ଗପୁର:( ୨୧.୦୯)(ରବି ନାରାୟଣ ମହାନ୍ତି)ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଶୁଣାଣି, ନିୟମାନୁଯାୟୀ ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ଆଜି ଝରିଗାଁ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ଏବଂ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଝରିଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଏହି ଶିବିରରେ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ବ୍ୟକ୍ତିଗତ ଓ ଗ୍ରାମସ୍ତରୀୟ ସମସ୍ୟା ସମ୍ପର୍କିତ ମୋଟ ୨୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୨୦ଟି ବ୍ୟକ୍ତିଗତ ଏବଂ ୯ଟି ଗ୍ରାମସ୍ତରୀୟ ଅଭିଯୋଗ ରହିଥିଲା।ଏହି ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ୨ଟି ବିଧବା ପେନସନ ଓ ୨ଟି ଭିନ୍ନକ୍ଷମ ପେନସନ ପ୍ରଦାନ କରାଯାଇଥିଲା। ଏଥିସହ ଜଣେ ହିତାଧିକାରୀଙ୍କୁ ୧ଟି ହ୍ୱିଲ୍ଚେୟାର ପ୍ରଦାନ କରାଯାଇଥିଲା।ଶିବିରରେ ଗ୍ରହଣ କରାଯାଇଥିବା ସମସ୍ତ ଅଭିଯୋଗର ଶୁଣାଣି କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ନିୟମାନୁଯାୟୀ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ତ୍ୱରିତ ସମାଧାନ ସୁନିଶ୍ଚିତ କରିବାକୁ କୁହାଯାଇଥିଲା। ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ସହିତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସରକାରୀ ଯୋଜନା ଓ ସେବାର ସୁବିଧା ପହଞ୍ଚାଇବା ଦିଗରେ ଜନ ଅଭିଯୋଗ ଶୁଣାଣି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ମାଧ୍ୟମ ଭାବେ କାର୍ଯ୍ୟ କରୁଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

