ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ

ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ

ଛତ୍ରପୁର, ୦୬/୦୮ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ଗଞ୍ଜାମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ଅବସରରେ ଆଜି ଛତ୍ରପୁର ବ୍ଲକସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ମୋହନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଜାତ ଶିଶୁଙ୍କୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରାଇବା, ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ପ୍ରଦାନ କରିବା ଏବଂ ଦୁଇ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ସମ୍ପୂରକ ଖାଦ୍ୟ ସହ ସ୍ତନ୍ୟପାନ ଜାରି ରଖିବାର ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ପ୍ରକଳ୍ପ ଅଧିକାରୀ ଡି. ନାଗରତ୍ନମ୍, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏସ୍. ରାଜେଶ୍ୱରୀ, ଗଞ୍ଜାମ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ ସଲିଲା ପ୍ରଧାନ, ଜିଲ୍ଲା ପୁଷ୍ଟି ସଂଯୋଜକ ଅମିତ କୁମାର ତ୍ରିପାଠୀ, ୟୁନିସେଫ୍‌ର ଜିଲ୍ଲା ସଂଯୋଜକ ଦେବବ୍ରତ ମହାନ୍ତ, ଜିଲ୍ଲା ସହକାରୀ ପୁଷ୍ଟି ସଂଯୋଜକ ସୁବ୍ରତ କୁମାର ଦାଶ ଏବଂ ଲିଙ୍ଗ ସମାନତା ବିଶେଷଜ୍ଞ (ସମ୍ବଲ) ସମୀର କୁମାର ପାତ୍ର ଉପସ୍ଥିତ ରହି ସ୍ତନ୍ୟପାନର ଗୁରୁତ୍ୱ, ମା’ ଓ ଶିଶୁର ସୁସ୍ଥତା ତଥା ପୁଷ୍ଟି ସୁରକ୍ଷା ସମ୍ପର୍କରେ ସଚେତନତାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛତ୍ରପୁର ଓ ଗଞ୍ଜାମ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ମହିଳା ପର୍ଯ୍ୟବେକ୍ଷିକାଙ୍କ ସହ ପାଞ୍ଚଜଣ ଗର୍ଭବତୀ ମହିଳା ଏବଂ ପାଞ୍ଚଜଣ ସ୍ତନ୍ୟଦାନକାରୀ ମା’ ଅଂଶଗ୍ରହଣ କରିଥିଲେ। ମା’ କ୍ଷୀରର ପୁଷ୍ଟିଗୁଣ, ଶିଶୁର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି, ମାତୃ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ସମାଜରେ ସ୍ତନ୍ୟପାନ ପ୍ରତି ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତେ “ସୁସ୍ଥ ମା’–ସୁସ୍ଥ ଶିଶୁ; ମା’ କ୍ଷୀର ହିଁ ଶିଶୁର ଶ୍ରେଷ୍ଠ ଆହାର” ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ସଚେତନତା କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Related posts

ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ମାସିକ ଆସର “ଫୁଲ ସାବାରିରେ ଆସିଛି ଫଗୁଣ”

masiha

ଦକ୍ଷିଣ ଓଡ଼ିଶାରେ “ସୌର ମାସ” ଅଭିଯାନ ମାଧ୍ୟମରେ ସବୁଜ ଶକ୍ତି ପ୍ରୋତ୍ସାହନକୁ ବ୍ୟାପକ କରୁଛି ଟିପିଏସ୍ଓଡିଏଲ୍

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!