ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଡିଜିଟାଲ ସୁରକ୍ଷା ଓ ଆର୍ଥିକ ସାକ୍ଷରତା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ବେଟି ବଚାଓ, ବେଟି ପଢ଼ାଓ’ ଅଧୀନରେ ମହିଳା ଓ କିଶୋରୀଙ୍କୁ ସଚେତନତା; ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ

ନୂଆପଡ଼ାରେ ଡିଜିଟାଲ ସୁରକ୍ଷା ଓ ଆର୍ଥିକ ସାକ୍ଷରତା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା

ବେଟି ବଚାଓ, ବେଟି ପଢ଼ାଓ’ ଅଧୀନରେ ମହିଳା ଓ କିଶୋରୀଙ୍କୁ ସଚେତନତା; ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା ଅଧୀନରେ ଡିଜିଟାଲ ଓ ଆର୍ଥିକ ସାକ୍ଷରତା, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ଏବଂ ସାଇବର ସୁରକ୍ଷା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଓ ଅନ୍ତର୍ଜାତୀୟ ଯୁବ ଦିବସ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମଧୁସୁଦନ ଦାଶ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉପସ୍ଥିତ ଅଂଶ ଗ୍ରହଣ କାରୀମାନଙ୍କୁ ସାଇବର ଠକେଇ ପ୍ରତି ସତର୍କ ରହିବା ସହ ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର ଉପରେ ସଚେତନ କରାଇଥିଲେ। ସାଇବର ଠକେଇର ଶିକାର ହେଲେ ତୁରନ୍ତ ଅଭିଯୋଗ କରିବା ଓ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶକୁ ସ୍ମରଣ କରି ଯୁବପିଢ଼ି ନିଜର ଶକ୍ତି, ପ୍ରତିଭା ଓ ଦକ୍ଷତାକୁ ସମାଜ ତଥା ଦେଶର ଉନ୍ନତିରେ ବିନିଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ ଅତିଥି ପରିଚୟ ପ୍ରଦାନ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମହିଳା କିଶୋରୀମାନଙ୍କୁ ଡିଜିଟାଲ ଓ ଆର୍ଥିକ ସାକ୍ଷରତା, ଅନଲାଇନ୍ ଜଗତରେ ସୁରକ୍ଷିତ ରହିବା, ସାଇବର ଅପରାଧର ବିଭିନ୍ନ ରୂପ, ଏହାର ପ୍ରଭାବ ଓ ପ୍ରତିରୋଧ ଉପାୟ ସମ୍ପର୍କରେ ସଚେତନ କରାଇବା କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।

କର୍ମଶାଳାରେ ଡିଏଲ୍‌ଏସ୍‌ଏ ସଚିବ ନବନୀତା ଦାସ, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧିକାରୀ ବିନୟ ତିୱାରୀ, ସାଇବର ଥାନା ଅଧିକାରୀ ଦିଲୀପ ସାହୁ, ଏସ୍‌ଆଇ ଚନ୍ଦ୍ରକାନ୍ତ ବାରିକ ଏବଂ ଏସ୍‌ବିଆଇ ଆର୍‌ସେଟିର ସୁଧାକର ଶତପଥି ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ। ଫିସିଂ, ଅନଲାଇନ୍ ଠକେଇ, ସୋସିଆଲ ମିଡିଆର ଦୁରୁପଯୋଗ, ଡିଜିଟାଲ ବୁଲିଂ ଆଦି ସାଇବର ଅପରାଧର ବିଭିନ୍ନ ରୂପ, ଏହାର ଆଇନଗତ ବ୍ୟବସ୍ଥା ଓ ପ୍ରତିରୋଧ ଉପାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହ ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଏବଂ ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ଉପରେ ଆଲୋଚନା କରାଯାଇଥିଲା।

ମୋବାଇଲ୍ ଫୋନ୍ ଓ ସୋସିଆଲ ମିଡିଆ ବ୍ୟବହାର ସମୟରେ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ରକ୍ଷା, ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର ଏବଂ ଅଜଣା ଲିଙ୍କ୍, କଲ୍ ଓ ସନ୍ଦେଶରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା। ସାଇବର ଅପରାଧ ଘଟିଲେ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରିବା ସହ ହେଲ୍ପଲାଇନ୍ ନମ୍ବର ୧୯୩୦ରେ ଯୋଗାଯୋଗ କରିବା ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ଡିଜିଟାଲ ବୁଲିଂର ପ୍ରଭାବ ଏବଂ ଏହାର ପ୍ରତିରୋଧ କ୍ଷେତ୍ରରେ ମନୋସାମାଜିକ ସହାୟତାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ବିଇଓ, ସିଡିପିଓ, ବିଭିନ୍ନ ବିଭାଗର ଅଧିକାରୀ, ସ୍କୁଲ ଓ କଲେଜର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ସୁପରଭାଇଜର, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା ଅଧୀନରେ ‘ଗର୍ଲ ଚାମ୍ପିୟନ’ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ, ନୂଆପଡ଼ାର ଛାତ୍ରୀ ପ୍ରତୀକ୍ଷା କୁମ୍ଭାର, ଏସ୍‌ଏସ୍‌ଡି ଗର୍ଲ୍ସ ହାଇସ୍କୁଲର ଛାତ୍ରୀ କରିଶ୍ମା ଶବର ଏବଂ ଏକଲବ୍ୟ ମଡେଲ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ରୂପାଲୀ ଶବରଙ୍କୁ ମାନପତ୍ର ଓ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଜିଲ୍ଲା ମିଶନ ସଂଯୋଜକ ଆଶିଷ ରଞ୍ଜନ ଖମାରୀଙ୍କ ସମେତ ନାରଦ ଛତର, ସଞ୍ଜୟ ବନ୍ଦିଛୋର, ଇପ୍ସିତା ରାଜପୁତ, ରମାକାନ୍ତ ସେଠୀ, ରାକେଶ ନାଗ, ଦେଶରାମ ହରିଜନ, ସୁମିତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଳ ଧନ୍ୟବାଦ ଜ୍ଞାପନ କରିଥିଲେ।

 

Related posts

ବସନ୍ତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ 

masiha

ବିଜେପି କର୍ମୀ ନିଷ୍ଠାବାନ ଓ କର୍ମଠ – ଜୁଏଲ ଓରାମ

masiha

ବୟାଳିଶମୌଜା ମୂଖ୍ୟ ରାସ୍ତା ସମସ୍ୟା ସମାଧାନ ନେଇ ଦାବୀକଲେ ବିଶିଷ୍ଠ ସମାଜସେବୀ ଇଂ. ଆଶୋକ ବିଶ୍ବାଳ ଓ ସ୍ଥାନୀୟ ବାସିନ୍ଦା 

masiha

Leave a Comment

error: Content is protected !!