ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡେପୁଟେସନ ଆଳରେ ଫେରୁନାହାନ୍ତି ଶିକ୍ଷକ, ବିପର୍ଯ୍ୟସ୍ତ ଦୁର୍ଗମ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା

ଡେପୁଟେସନ ଆଳରେ ଫେରୁନାହାନ୍ତି ଶିକ୍ଷକ, ବିପର୍ଯ୍ୟସ୍ତ ଦୁର୍ଗମ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଶିକ୍ଷକ ଅଭାବ ଯୋଗୁଁ ସରକାରୀ ଶିକ୍ଷା ବ୍ୟବସ୍ଥା ଧୀରେଧୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଜିଲ୍ଲାରେ ନିଯୁକ୍ତି ପାଇ ଦରମା ନେଉଥିବା କିଛି ଶିକ୍ଷକ ଦୀର୍ଘଦିନ ଧରି ଡେପୁଟେସନରେ ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ମୂଳ ବିଦ୍ୟାଳୟକୁ ଫେରୁନାହାନ୍ତି। ଫଳରେ ଦୁର୍ଗମ ଅଞ୍ଚଳର ଶହ ଶହ ବିଦ୍ୟାର୍ଥୀ ହାତଗଣତି ଶିକ୍ଷକଙ୍କ ଭରସାରେ ପାଠ ପଢ଼ୁଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଡେପୁଟେସନ ନାମରେ କେତେକ ଶିକ୍ଷକ ୩ ବର୍ଷ, ୬ ବର୍ଷ ଏପରିକି ୭ ବର୍ଷ ଧରି ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି। ମାତ୍ର ଦୁଇ କିମ୍ବା ତିନି ବର୍ଷ ପାଇଁ ଡେପୁଟେସନରେ ଯାଇଥିବା ଶିକ୍ଷକମାନେ ମଧ୍ୟ ନିର୍ଦ୍ଧାରିତ ସମୟ ପରେ ମୂଳ ବିଦ୍ୟାଳୟକୁ ଫେରିନଥିବା ଅଭିଯୋଗ ରହିଛି। ଏଭଳି ଘଟଣାରେ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି।

ଅଭିଯୋଗ ଅନୁଯାୟୀ, ଜିଲ୍ଲାର ପ୍ରାୟ ୧୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦୀର୍ଘଦିନ ଧରି ଡେପୁଟେସନରେ ରହିଛନ୍ତି। ୨୦୧୯ ମସିହା ଜୁଲାଇ ୨୫ ତାରିଖରେ କାଶୀପୁର ବ୍ଲକ ଟାକେଶମୁଁହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ଖୋଲାର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କୁରାଢ଼ୀଘଷା ପ୍ରାଥମିକ ବିଦ୍ୟାଳୟକୁ ମାତ୍ର ଏକ ବର୍ଷ ପାଇଁ ଡେପୁଟେସନରେ ଯାଇଥିଲେ। ତେବେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ସେ ମୂଳ ବିଦ୍ୟାଳୟକୁ ଫେରିନଥିବା ଅଭିଯୋଗ ରହିଛି।

ସେହିପରି ୨୦୨୨ ମସିହାରେ ତିନି ବର୍ଷ ପାଇଁ ଡେପୁଟେସନରେ ଯାଇଥିବା ଶିକ୍ଷକମାନଙ୍କ ମଧ୍ୟରେ କାଶୀପୁର ଗୁଲ୍ମଝୋଲିରୁ ସରସ୍ୱତୀ ନାଥ କେନ୍ଦ୍ରାପଡ଼ା ଜିଲ୍ଲାର ବାସୁଳି ପ୍ରାଥମିକ ବିଦ୍ୟାଳୟକୁ, ଗୁଣପୁର ମାଟିଆସାହିରୁ ସୁଜାତା ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ବ୍ରଜନଗର ପ୍ରାଥମିକ ବିଦ୍ୟାଳୟକୁ, କାଶୀପୁର ତୟାପୁଟରୁ ଚନ୍ଦ୍ରକାନ୍ତ ସାମଲ କେନ୍ଦ୍ରାପଡ଼ା ଜିଲ୍ଲାର ଆରେହିକଣା ପ୍ରାଥମିକ ବିଦ୍ୟାଳୟକୁ ଏବଂ ମୁନିଗୁଡ଼ା ଖାଲିଆଗୁଡ଼ାରୁ ସୁଶାନ୍ତ କୁମାର ବାରିକ ପୁରୀ ଜିଲ୍ଲାର ରେଞ୍ଚ ଶାସନ ବିଦ୍ୟାଳୟକୁ ଯାଇଥିବା ଜଣାପଡ଼ିଛି।

ଏହାସହ କାଶୀପୁର ସୁଙ୍ଗେରରୁ ସୋଫିଆ ଲେଙ୍କା ପାରାଦୀପର ନୋଳିଆସାହି ବିଦ୍ୟାଳୟକୁ ଏବଂ ରାୟଗଡ଼ା ହାଲୁଆରୁ ସୁଚିସ୍ମିତା ପଣ୍ଡା ଖୋର୍ଦ୍ଧା ଜିଲ୍ଲାର ଢମଣା ହାଇସ୍କୁଲକୁ ଡେପୁଟେସନରେ ଯାଇଥିବା ଜଣାପଡ଼ିଛି। ୨୦୨୫ ମସିହାରେ ମଧ୍ୟ ଆଉ କିଛି ଶିକ୍ଷକଙ୍କୁ ଅନ୍ୟ ସ୍ଥାନକୁ ଡେପୁଟେସନରେ ପଠାଯାଇଥିବା ସୂଚନା ମିଳିଛି।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଡେପୁଟେସନଗୁଡ଼ିକ କରାଯାଇଥିବା ବେଳେ ଡେପୁଟେସନ ଆଦେଶ ଜାରି ହେବାରେ ଯେତିକି ତତ୍ପରତା ଦେଖାଯାଇଥିଲା, ନିର୍ଦ୍ଧାରିତ ସମୟ ପରେ ମୂଳ ବିଦ୍ୟାଳୟକୁ ଫେରାଇ ଆଣିବାରେ ସେତିକି ତତ୍ପରତା ଦେଖାଯାଉନଥିବା ଅଭିଯୋଗ ହୋଇଛି।

ନିୟମ ଓ ନିର୍ଦ୍ଦେଶକୁ ନେଇ ପ୍ରଶ୍ନ

ଓଡ଼ିଶା ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍ ବିଭାଗ ପକ୍ଷରୁ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଇଣ୍ଟର-ଡିଷ୍ଟ୍ରିକ୍ଟ ଟ୍ରାନ୍ସଫର ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଜାରି ହୋଇଛି। ୧୯ ଅଗଷ୍ଟ ୨୦୨୩ର ନୋଟିଫିକେସନ ନମ୍ବର ୨୦୧୪୩ ଅନୁଯାୟୀ, ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଇଣ୍ଟର-ଡିଷ୍ଟ୍ରିକ୍ଟ ଟ୍ରାନ୍ସଫର ନିର୍ଦ୍ଦିଷ୍ଟ ଆଧାର ଓ ବିଭାଗୀୟ ପ୍ରକ୍ରିୟା ଅନୁସାରେ ବିଚାର କରାଯିବାର ବ୍ୟବସ୍ଥା ରହିଛି। ବିଶେଷକରି ‘ମ୍ୟୁଚୁଆଲ୍’ ଟ୍ରାନ୍ସଫର ପାଇଁ ସମାନ ବର୍ଗର ସରକାରୀ ପ୍ରାଥମିକ ଶିକ୍ଷକ/ହେଡମାଷ୍ଟରଙ୍କ ମଧ୍ୟରେ ବଦଳି କରିବାର ବ୍ୟବସ୍ଥା ଉଲ୍ଲେଖ ରହିଛି।

ଏଥିସହ ରାଜ୍ୟ ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍ ବିଭାଗ ନିଜ ଅଧିକାରିକ ୱେବସାଇଟରେ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ଏବଂ ଓଡ଼ିଶାରେ ଏହାର ନିୟମାବଳୀକୁ ପ୍ରକାଶ କରିଛି।

ଏଭଳି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ନିଯୁକ୍ତ ଶିକ୍ଷକ ଦୀର୍ଘଦିନ ଧରି ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଥିଲେ, ସମ୍ପୃକ୍ତ ଡେପୁଟେସନ ଆଦେଶ କେଉଁ ନିୟମ ଅନୁସାରେ ଜାରି ହୋଇଛି, ତାହାର ଅବଧି କେତେ ଏବଂ ଅବଧି ଶେଷ ପରେ ତାହା କେଉଁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଆଦେଶରେ ବଢ଼ାଯାଇଛି—ଏହା ନେଇ ପ୍ରଶ୍ନ ଉଠିଛି।

ବିଶେଷକରି ୩, ୬ ଓ ୭ ବର୍ଷ ଧରି ମୂଳ ବିଦ୍ୟାଳୟକୁ ଫେରିନଥିବା ଶିକ୍ଷକଙ୍କ ଡେପୁଟେସନ ଆଦେଶର ବୈଧତା, ଅନୁମୋଦନକାରୀ କର୍ତ୍ତୃପକ୍ଷ, ଡେପୁଟେସନର ସମୟସୀମା ଏବଂ ଅବଧି ବୃଦ୍ଧି ସମ୍ପର୍କିତ ଆଦେଶ ସାର୍ବଜନୀନ କରିବାକୁ ଦାବି ହେଉଛି। ଯଦି ନିର୍ଦ୍ଧାରିତ ଡେପୁଟେସନ ଅବଧି ଶେଷ ହୋଇଥିଲା, ତେବେ ମୂଳ ବିଦ୍ୟାଳୟକୁ ଫେରାଇ ଆଣିବାରେ ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଇନାହିଁ, ତାହା ମଧ୍ୟ ତଦନ୍ତସାପେକ୍ଷ।ଫଳରେ ଜିଲ୍ଲାର ଦୁର୍ଗମ ଓ ଆଦିବାସୀ ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ ଅଳ୍ପ ସଂଖ୍ୟକ ଶିକ୍ଷକଙ୍କ ଉପରେ ନିର୍ଭର କରି ପାଠ ପଢ଼ୁଛନ୍ତି। ଡେପୁଟେସନରେ ଯାଇଥିବା ଶିକ୍ଷକଙ୍କ ନିୟମିତ ଡ୍ୟୁଟି ଚାର୍ଟ ଓ କାର୍ଯ୍ୟସ୍ଥଳ ସମ୍ପର୍କିତ ସୂଚନା ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ସଠିକ୍ ଭାବେ ଉପଲବ୍ଧ ନଥିବା ମଧ୍ୟ ଅଭିଯୋଗ ହୋଇଛି।

ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତ ଶିକ୍ଷକ ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଥିବାରୁ ମୂଳ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଦୀର୍ଘଦିନ ଧରି ଡେପୁଟେସନରେ ରହିଥିବା ସମସ୍ତ ଶିକ୍ଷକଙ୍କ ତାଲିକା ପ୍ରକାଶ କରିବା ସହ ସେମାନଙ୍କ ଡେପୁଟେସନର ବୈଧତା ଯାଞ୍ଚ କରି ମୂଳ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଦାବି ହୋଇଛି। ଏହାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଗମ ଅଞ୍ଚଳରେ ଶିକ୍ଷକ ଅଭାବ ଦୂର କରିବାକୁ ମଧ୍ୟ ଦାବି ହୋଇଛି।

ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ କହିଛନ୍ତି ଯେ, ସମ୍ପୃକ୍ତ ଶିକ୍ଷକମାନଙ୍କ ଡେପୁଟେସନ ରାଜ୍ୟସ୍ତରୀୟ ବିଭାଗ ପକ୍ଷରୁ କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ବିଭାଗକୁ ବାରମ୍ବାର ଚିଠି ମାଧ୍ୟମରେ ଅବଗତ କରାଯିବା ସହ ଜିଲ୍ଲାସ୍ତରୀୟ ବୈଠକରେ ମଧ୍ୟ ଆଲୋଚନା ହୋଇଛି। ଡେପୁଟେସନ ଆଦେଶ ରଦ୍ଦ କରିବାର କ୍ଷମତା ଜିଲ୍ଲା ପ୍ରଶାସନର ନାହିଁ। ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳା ଜଗତକୁ ମୋକ୍ଷ ମାର୍ଗ ପ୍ରଦର୍ଶନ କରିଥାଏ : ବରିଷ୍ଠ କଳାକାର ମହାସଂଘ 

Sunil Chandra Nayak

ସମସ୍ତ ଙ୍କୁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ

masiha

ଖଡ଼ିଆଳ ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ, ସଫେଇ କର୍ମଚାରୀଙ୍କୁ ସଫେଇ କିଟ୍ ପ୍ରଦାନ

Leave a Comment

error: Content is protected !!