ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁ: ଯୁବାପଦର ଗାଁରେ ମେଡିକାଲ ଟିମ୍‌, ୨୦ରୁ ଊର୍ଦ୍ଧ୍ୱ ଜ୍ୱର ରୋଗୀଙ୍କ ଚିକିତ୍ସା

ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁ: ଯୁବାପଦର ଗାଁରେ ମେଡିକାଲ ଟିମ୍‌, ୨୦ରୁ ଊର୍ଦ୍ଧ୍ୱ ଜ୍ୱର ରୋଗୀଙ୍କ ଚିକିତ୍ସା

ରାୟଗଡ଼ା/ଟିକିରି: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଯୁବାପଦର ଗ୍ରାମରେ ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଗ୍ରାମରେ ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ଥିବା ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।ଗ୍ରାମରେ ଜ୍ୱରରେ ପୀଡ଼ିତ ୨୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଡାକ୍ତରୀ ଟିମ୍‌ ପରୀକ୍ଷା କରିବା ସହ ଆବଶ୍ୟକସ୍ଥଳେ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ରୋଗୀମାନଙ୍କୁ ଆବଶ୍ୟକ ଔଷଧ ମଧ୍ୟ ପ୍ରଦାନ କରାଯାଇଛି। ଗ୍ରାମରେ ଆଉ କେହି ଗୁରୁତର ଅସୁସ୍ଥ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସ୍ଥିତି ଯାଞ୍ଚ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଉତ୍କଳ ଆଲୁମିନା ପକ୍ଷରୁ ମଧ୍ୟ ଗ୍ରାମବାସୀଙ୍କ ସହାୟତା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସ ଯୋଗେ ୧୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ରୋଗୀଙ୍କୁ ଉଷାପଡ଼ାସ୍ଥିତ ଉତ୍କଳ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।

ରାୟଗଡ଼ାର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମମତାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଯୁବାପଦରରେ ପହଞ୍ଚି ଗ୍ରାମର ସ୍ୱାସ୍ଥ୍ୟ ପରିସ୍ଥିତି ଅନୁଧ୍ୟାନ କରିଛି। ଏହି ଟିମ୍‌ ମୃତ ଦୁଇ ଶିଶୁଙ୍କ ପରିବାରବର୍ଗଙ୍କୁ ଭେଟି ସେମାନେ କେବେ ଅସୁସ୍ଥ ହୋଇଥିଲେ, କେଉଁ ପ୍ରକାର ଲକ୍ଷଣ ଦେଖାଦେଇଥିଲା ଏବଂ କାହା ନିକଟରେ ଚିକିତ୍ସିତ ହେଉଥିଲେ, ସେ ସମ୍ପର୍କରେ ପଚରାଉଚରା କରିଛି।

ମୃତ ଶିଶୁମାନଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଭୁଲ ଇଞ୍ଜେକ୍ସନ ଦିଆଯିବା ପରେ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା ଏବଂ ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ତେବେ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ଘଟିଛି କି ଅନ୍ୟ କୌଣସି କାରଣ ରହିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଏହି ଘଟଣାକୁ ନେଇ ଆଉ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ବିପିନ ବିହାରୀ ଶର୍ମା ନାମକ ଜଣେ ଫାର୍ମାସିଷ୍ଟ କୋରାପୁଟ ଜିଲ୍ଲା ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିବା ସତ୍ତ୍ୱେ ଦୀର୍ଘଦିନ ଧରି ନିଜ ପୁଅଙ୍କ ସହ ଯୁବାପଦର ଅଞ୍ଚଳରେ ଏକ କ୍ଲିନିକ ଚଳାଉଥିଲେ। ଏହି କ୍ଲିନିକର ବୈଧତା, ଅନୁମତି ଓ ସେଠାରେ ଚିକିତ୍ସା ପ୍ରଦାନର ଅଧିକାର ସମ୍ପର୍କରେ ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି।

ଏତେଦିନ ଧରି ଏଭଳି ଏକ କ୍ଲିନିକ ଚାଲୁଥିବା ସମ୍ପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅବଗତ ଥିଲା କି ନାହିଁ, ଯଦି ଅବଗତ ଥିଲା ତେବେ କାହିଁକି କୌଣସି ପଦକ୍ଷେପ ନିଆଯାଇନଥିଲା, ଏବଂ ଏହା ପଛରେ କୌଣସି ପ୍ରକାରର ଅବହେଳା କିମ୍ବା ମିଳିତ ସହଯୋଗ ଥିଲା କି ନାହିଁ—ସେନେଇ ମଧ୍ୟ ତଦନ୍ତ ଦାବି ହେଉଛି।ଏପଟେ କୁଚେଇପଦର ସରପଞ୍ଚ ବାଙ୍ଗାରୀ ମାଝୀ ଓ ତାଙ୍କ ସ୍ୱାମୀ ଉମାଶଙ୍କର ମାଝୀ ପୁନର୍ବାର ଯୁବାପଦର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁତର ଜ୍ୱରରେ ପୀଡ଼ିତ ଦେବ ପ୍ରଧାନୀଙ୍କୁ ସେମାନେ ନିଜ ଗାଡ଼ିରେ ନେଇ ନୂଆପଡ଼ାସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଦୁଇ ଶିଶୁଙ୍କ ମୃତ୍ୟୁ ଓ ଏକାଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହେବା ଘଟଣା ପରେ ଯୁବାପଦର ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗର ନଜରଦାରି ବଢ଼ାଇବା ସହ ରୋଗର ପ୍ରକୃତ କାରଣ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଅଭିଯୋଗରେ ଉଠିଥିବା ଭୁଲ ଇଞ୍ଜେକ୍ସନ, ବେଆଇନ କ୍ଲିନିକ ଚାଲାଣ ଏବଂ ସ୍ୱାସ୍ଥ୍ୟ ବିଭାଗର ତଦାରଖରେ ଅବହେଳା ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ପ୍ରମାଣିତ ହେଲେ ଆଇନାନୁସାରେ କଠୋର ପଦକ୍ଷେପ ନିଆଯାଉ ବୋଲି ଦାବି ହେଉଛି।

ଘଟଣାରେ ଶିଶୁମାନଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଏବଂ ଫାର୍ମାସିଷ୍ଟଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛି, ତାହା ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାରବାହାଲ ରେ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ

Sunil Chandra Nayak

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

ଦେଶୀ କାଙ୍କଡ଼ ବିକି ସ୍ୱାବଲମ୍ଭି ହେଉଛନ୍ତି ଆଲୋମଣ୍ଡା ପଞ୍ଚାୟତ ବାସି 

masiha

Leave a Comment

error: Content is protected !!