ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ 

(ଓଡ଼ିଆ ଭାଷା ସାହିତ୍ୟର ଗଣତାନ୍ତ୍ରିକରଣରେ ମେହେର ସାହିତ୍ୟର ଅବଦାନ ଅନସ୍ବୀକାର୍ଯ୍ୟ।ସରଳ ଭାଷା,ସ୍ୱାଭାବିକ ଭାବାବେଗ ଓ ମାନବିକ ଦୃଷ୍ଟିକୋଣ ତାଙ୍କ ସାହିତ୍ୟର ପ୍ରମୁଖ ବୈଶିଷ୍ଟ୍ୟ- ମୁଖ୍ୟଅତିଥି ଅଧ୍ୟକ୍ଷ,ପ୍ରାଧ୍ୟାପକ ଦୁର୍ଗା ଚରଣ ବିଶ୍ୱାଳ)  

ଢେଙ୍କାନାଳ: ତା.୨୯.୦୮.୨୦୨୬ ରିଖ : (ମ ନି ସ   ) ନିକଟରେ ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଢେଙ୍କାନାଳସ୍ଥ ମହିଷାପାଟସ୍ଥ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ,ସୁବକ୍ତା,ସୁସାହିତ୍ୟିକ,ବିଶିଷ୍ଟ ଐତିହାସିକ ଗବେଷକ ତଥା ପ୍ରାବନ୍ଧିକ ତପନ ଶତପଥୀଙ୍କ ବାସଗୃହରେ ଅପରାହ୍ନ ୦୪ ଘଟିକା ସମୟରେ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ କାମାକ୍ଷା ନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ,ପ୍ରାଧ୍ୟାପକ ଦୁର୍ଗା ଚରଣ ବିଶ୍ୱାଳ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଓଡ଼ିଆ ଭାଷା ସାହିତ୍ୟର ଗଣତାନ୍ତ୍ରିକରଣରେ ମେହେର ସାହିତ୍ୟର ଅବଦାନ ଅନସ୍ବୀକାର୍ଯ୍ୟ।ସରଳ ଭାଷା, ସ୍ୱାଭାବିକ ଭାବାବେଗ ଓ ମାନବିକ ଦୃଷ୍ଟିକୋଣ ତାଙ୍କ ସାହିତ୍ୟର ପ୍ରମୁଖ ବୈଶିଷ୍ଟ୍ୟ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ମୁଖ୍ୟବକ୍ତା ଭାବରେ କବି ଅବନୀ ମିଶ୍ର ଯୋଗଦାନ ସ୍ଵୀୟ ବକ୍ତବ୍ୟରେ ତାଙ୍କର ସରଳ ଜୀବନ,ଅସାଧାରଣ ପ୍ରତିଭା ଓ ମାନବିକ ସାହିତ୍ୟ ଆଜି ମଧ୍ୟ ଓଡ଼ିଆ ଜାତିକୁ ପ୍ରେରଣା ଦେଉଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସ୍ୱଭାବକବି ଗଙ୍ଗାଧର ମେହେର ତେଣୁ ଓଡ଼ିଆ ସାହିତ୍ୟର ଏକ ଅମ୍ଳାନ ଆଲୋକସ୍ତମ୍ଭ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ନୃସିଂହ ଚରଣ ନାୟକ ପ୍ରାକ୍ତନ ଅଧ୍ୟକ୍ଷ ଗ୍ରାମସେବକ ତାଲିମ୍ କେନ୍ଦ୍ର,ମହିଷାପାଟ, ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ,ଶିକ୍ଷାବିତ୍ କବି ଗୋଲକ ବିହାରୀ ବେହେରା ଓ ଆଲୋଚକ ଭାବରେ ତପନ କୁମାର ଶତପଥି ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ,ସୁବକ୍ତା,ସୁସାହିତ୍ୟିକ, ବିଶିଷ୍ଟ ଐତିହାସିକ ଗବେଷକ ତଥା ପ୍ରାବନ୍ଧିକ,ଶିକ୍ଷାବିତ୍ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ.ସମୀର କୁମାର ସାହୁ,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ନିବନ୍ଧ ପାଠ ସହିତ ସ୍ଵୀୟ ବକ୍ତବ୍ୟରେ ବିଶିଷ୍ଟ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସମ୍ପର୍କରେ ଏକ ସବିଶେଷ,ସାରଗର୍ଭକ, ତଥ୍ୟାବଳୀ ପରିପୂର୍ଣ୍ଣ ପୂର୍ବରୁ ଅନାଲୋଚିତ ବିବରଣୀ ପ୍ରଦାନ କରିଥିଲେ।ସମସ୍ତ ବକ୍ତା ସ୍ଵୀୟ ଅଭିଭାଷଣରେ କବିଙ୍କର ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଆଜିର ସାହିତ୍ୟ ଆସର ଦିବସର ତାତ୍ପର୍ଯ୍ୟ ମଧ୍ୟ ଉପସ୍ଥାପନ କରିଥିଲେ।କାର୍ଯ୍ୟସୂଚୀ ଅନୁସାରେ ଅପରାହ୍ନ ୦୪ ଘଟିକା ସମୟରେ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ପୌରୋହିତ୍ୟରେ କବିଭୂଷଣଙ୍କ ଆବକ୍ଷ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ସଭାରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ମିଳିତ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇଥିଲା।କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଫଳ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ “କବି ଓ କବିତା ମଧୁକ୍ଷରା”ରେ ଉପସ୍ଥିତ ସଭାପତି ଶଙ୍କର୍ଷଣ ଶତପଥୀ, ସଂସଦର ଉପ ସଭାପତି ଶିକ୍ଷାବିତ୍ ଡ.ସମିର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ,ଶିକ୍ଷାବିତ୍ କବି ଗୋଲକ ବିହାରୀ ବେହେରା,ଶିଳ୍ପୀ ପରେଶ ପଟ୍ଟନାୟକ,ସୁମିତା ରାୟ ପଟ୍ଟନାୟକ,ସରିତା ମହାନ୍ତି, ବିବେକାନନ୍ଦ ଷଡ଼ଙ୍ଗୀ,ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ,ନୃସିଂହ ଚରଣ ନାୟକ,ଆଲୋକ କୁମାର ଦାସ,ଜଲି ସାହୁ,ବିକ୍ରମ କୁମାର ସାହୁ,ସଂଯୁକ୍ତା ଶରଣ, କାଦମ୍ୱରୀ ମହାଖୁଡ,ଦୁର୍ଗା ଚରଣ ବିଶ୍ୱାଳ,ନାତି ପି.ପରମଜିତ୍ ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଗୋଟିଏ ଚତୁର୍ଦ୍ଦଶପଦୀ କବିତା ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍,ଅନେକ କବି ସ୍ବରଚିତ କବିତାମାନ ପାଠ କରିବା ସଙ୍ଗେ ସଙ୍ଗେ ସ୍ୱୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଉପସ୍ଥିତ ଶୋତୃମଣ୍ଡଳି ଦ୍ବାରା ସେଗୁଡ଼ିକର ସମୀକ୍ଷା ଓ ମୂଲ୍ୟାୟନ ମଧ୍ୟ କରାଯାଇଥିଲା।ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସ୍ୱଭାବ କବି ମେହେରଙ୍କ ସମ୍ପର୍କରେ ତାଙ୍କର ଜୀବନୀ ପାଠ କରିବା ସଙ୍ଗେ ସଙ୍ଗେ ତାଙ୍କ ସମ୍ପର୍କରେ ଏକ ବିଶଦ ବିବରଣୀ ପ୍ରଦାନ କରିଥିଲେ।ସଭାପତି ଶଙ୍କର୍ଷଣ ଶତପଥୀ ସ୍ଵୀୟ ବକ୍ତବ୍ୟରେ କବିଙ୍କ ସମ୍ପର୍କରେ ସୁନ୍ଦର ତଥ୍ୟାବଳୀ ସମ୍ବଳିତ ସାରଗର୍ଭକ ନିବନ୍ଧ ପାଠ ଓ ଦୀର୍ଘ କବିତା ପାଠ କରିଥିଲେ।ସମସ୍ତ ବକ୍ତା ସ୍ୱୀୟ ସ୍ୱୀୟ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଆ ସାହିତ୍ୟ ଆକାଶରେ ପ୍ରକୃତି,ପ୍ରେମ,ମାନବତା,ଦେଶପ୍ରେମ ଓ ଆଧ୍ୟାତ୍ମିକ ଚେତନାର ଅନନ୍ୟ କବି ଭାବେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ନାମ ଚିରସ୍ମରଣୀୟ।ତାଙ୍କ କବିତାରେ ଓଡ଼ିଶାର ମାଟି,ପାଣି,ପବନ,ନଦୀ,ପାହାଡ଼, ଫୁଲ,ଫଳ ଓ ମଣିଷର ଜୀବନ୍ତ ଚିତ୍ର ଅତ୍ୟନ୍ତ ମନୋହର ଭାବରେ ପ୍ରତିଫଳିତ ହୋଇଛି।ସରଳ ଭାଷା,ସ୍ୱାଭାବିକ ଭାବାବେଗ ଓ ମାନବିକ ଦୃଷ୍ଟିକୋଣ ତାଙ୍କ ସାହିତ୍ୟର ପ୍ରମୁଖ ବୈଶିଷ୍ଟ୍ୟ।ଗଙ୍ଗାଧର ମେହେର ୯ ଏପ୍ରିଲ ୧୮୬୨ ମସିହାରେ ସମ୍ବଲପୁର ଜିଲ୍ଲାର ବରପାଲିଠାରେ ଏକ ସାଧାରଣ ତନ୍ତୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତାଙ୍କ ନାମ ଚୈତନ୍ୟ ମେହେର ଓ ମାତାଙ୍କ ନାମ ସେବତୀ ଦେବୀ।ଆର୍ଥିକ ଅନଟନ ଯୋଗୁଁ ତାଙ୍କର ଔପଚାରିକ ଶିକ୍ଷା ଅତ୍ୟନ୍ତ ସୀମିତ ଥିଲା;କିନ୍ତୁ ଅଦମ୍ୟ ଜ୍ଞାନପିପାସା ଓ ସ୍ୱାଧ୍ୟାୟ ମାଧ୍ୟମରେ ସେ ସଂସ୍କୃତ,ଓଡ଼ିଆ ଓ ଭାରତୀୟ ପୁରାଣ-ପରମ୍ପରାର ଗଭୀର ଜ୍ଞାନ ଅର୍ଜନ କରିଥିଲେ।ବୃତ୍ତିରେ ସେ ତନ୍ତୀ ଥିଲେ,କିନ୍ତୁ ସୃଜନଶୀଳ ପ୍ରତିଭା ତାଙ୍କୁ ଓଡ଼ିଆ ସାହିତ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ରରେ ପରିଣତ କରିଥିଲା।ତାଙ୍କର ପ୍ରମୁଖ କାବ୍ୟକୃତି ମଧ୍ୟରେ ‘ତପସ୍ୱିନୀ’, ‘ପ୍ରଣୟବଲ୍ଲରୀ’, ‘କୀଚକ ବଧ’, ‘ଇନ୍ଦୁମତୀ’, ‘ଅର୍ଘ୍ୟଥାଳୀ’, ‘କବିତାମାଳା’ ଆଦି ଉଲ୍ଲେଖନୀୟ।‘ତପସ୍ୱିନୀ’ ତାଙ୍କର ଏକ ଶ୍ରେଷ୍ଠ କାବ୍ୟ, ଯେଉଁଥିରେ ରାମାୟଣର ସୀତାଙ୍କ ଚରିତ୍ରକୁ କେନ୍ଦ୍ର କରି ତ୍ୟାଗ,ଧୈର୍ଯ୍ୟ,ନାରୀମର୍ଯ୍ୟାଦା ଓ ମହତ୍ତ୍ୱର ଚିତ୍ରଣ କରାଯାଇଛି।‘କୀଚକ ବଧ’ରେ ଅନ୍ୟାୟ ବିରୋଧୀ ପ୍ରତିବାଦ, ବୀରତ୍ୱ ଓ ନ୍ୟାୟଚେତନା ପ୍ରକାଶ ପାଇଛି।‘ପ୍ରଣୟବଲ୍ଲରୀ’ରେ ପ୍ରେମର ସୂକ୍ଷ୍ମ ଅନୁଭୂତି ଓ ମାନବୀୟ ଭାବନାର ମଧୁର ଅଭିବ୍ୟକ୍ତି ଦେଖିବାକୁ ମିଳେ।ଗଙ୍ଗାଧରଙ୍କ କବିତାରେ ପ୍ରକୃତି କେବଳ ଦୃଶ୍ୟ ନୁହେଁ;ଏହା ମଣିଷର ଜୀବନ,ଭାବନା ଓ ଚେତନାର ଅବିଚ୍ଛିନ୍ନ ସାଥୀ।ସେଥିପାଇଁ ତାଙ୍କୁ ଯଥାର୍ଥରେ ‘ପ୍ରକୃତି କବି’ ବୋଲି କୁହାଯାଏ।ତାଙ୍କ ସାହିତ୍ୟରେ ଗ୍ରାମୀଣ ଜୀବନ,ଶ୍ରମଜୀବୀ ମଣିଷ,ସାମାଜିକ ସମତା,ଦେଶପ୍ରେମ ଓ ନୈତିକ ମୂଲ୍ୟବୋଧର ମଧ୍ୟ ଗଭୀର ପ୍ରତିଫଳନ ରହିଛି।୪ ଏପ୍ରିଲ ୧୯୨୪ ମସିହାରେ ଏହି ମହାନ କବିଙ୍କର ପରଲୋକଗମନ ହୋଇଥିଲା।ମାତ୍ର ୬୧ ବର୍ଷର ଜୀବନକାଳରେ ସେ ଓଡ଼ିଆ ସାହିତ୍ୟକୁ ଯେଉଁ ଅମୂଲ୍ୟ ସମ୍ପଦ ଦେଇଗଲେ,ତାହା ଚିରକାଳ ପାଇଁ ଅମର।ତାଙ୍କର ସରଳ ଜୀବନ,ଅସାଧାରଣ ପ୍ରତିଭା ଓ ମାନବିକ ସାହିତ୍ୟ ଆଜି ମଧ୍ୟ ଓଡ଼ିଆ ଜାତିକୁ ପ୍ରେରଣା ଦେଉଛି।ସ୍ୱଭାବକବି ଗଙ୍ଗାଧର ମେହେର ତେଣୁ ଓଡ଼ିଆ ସାହିତ୍ୟର ଏକ ଅମ୍ଳାନ ଆଲୋକସ୍ତମ୍ଭ।ପରିଶେଷରେ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ସଂଗଠନ ସଂପାଦକ ତଥା ମିଡ଼ିଆ ପ୍ରଭାରୀ, ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଆବାହକ ବୃନ୍ଦଙ୍କ ଦ୍ୱାରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବାପା ପୁସ୍ତକ ଉନ୍ମୋଚନ ଓ ଶୀତ କବିତା ଆସର

Sunil Chandra Nayak

ହିନ୍ଦୋଳ ବ୍ଲକ ଅନାସ୍ଥା ପାଇଁ ଚଳଚଞ୍ଚଳ , ଉପାଧ୍ୟକ୍ଷଙ୍କ ସହ ଅଧ୍ୟକ୍ଷାଙ୍କ କଡା ଟକ୍କର  

Sunil Chandra Nayak

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

masiha

Leave a Comment

error: Content is protected !!