ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ପାଳିତ 

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ପାଳିତ 

କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ସମାରୋହ ରବିବାର ସ୍ଥାନୀୟ ଋଷି ସାହିତ୍ୟ ସଂସ୍କୃତି ଭବନ, ଜଗନ୍ନାଥ ମନ୍ଦିର ପରିସରରେ ଉତ୍ସାହ ଓ ଗରିମାର ସହ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଆ ସାହିତ୍ୟ ଜଗତରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଅବଦାନ ଅତୁଳନୀୟ। ତାଙ୍କର ସାହିତ୍ୟ ସାଧନା, ପ୍ରକୃତିପ୍ରେମ, ମାନବିକ ମୂଲ୍ୟବୋଧ ଓ ସମାଜ ପ୍ରତି ଦାୟିତ୍ୱବୋଧ ଆଜି ମଧ୍ୟ ସମାଜକୁ ଦିଗଦର୍ଶନ ଦେଉଛି। ନୂତନ ପିଢ଼ି ମଧ୍ୟରେ ମହାନ କବିଙ୍କ ସାହିତ୍ୟ ଓ ଆଦର୍ଶକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା।

ସମାରୋହରେ ମୁଖ୍ୟ ଅତିଥି ଭାବେ ଡାକ୍ତର ହେମସାଗର ସାହା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସଂସ୍କୃତି ଗବେଷକ କୃଷ୍ଣ କେଶବ ଷଣଙ୍ଗି ଯୋଗଦେଇ ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ପ୍ରତି ତାଙ୍କର ଅବଦାନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସଭାପତି ଶ୍ରୀମତୀ ଯାଜ୍ଞଶିନୀ ସାହା ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଏହି ଅବସରରେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଯାଦବେନ୍ଦ୍ର ସାହା ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିବା ବେଳେ ଶ୍ରୀରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାଂସ୍କୃତିକ ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ର ଭୋଇ ଓ ଉପସଭାପତି ସୁଶ୍ରୀ ରୁବି ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଜୟନ୍ତୀ ସମାରୋହର ଅନ୍ୟତମ ଆକର୍ଷଣ ଥିଲା ଓଡ଼ିଆ ସାହିତ୍ୟ ଗବେଷଣା କ୍ଷେତ୍ରରେ ଅନନ୍ୟ ଉପଲବ୍ଧି ହାସଲ କରିଥିବା ଦୁଇଜଣ ସାହିତ୍ୟ ଗବେଷକଙ୍କୁ ସମ୍ବର୍ଦ୍ଧନା। ଶିକ୍ଷା ଜଗତର ସର୍ବୋଚ୍ଚ ଯୋଗ୍ୟତା D.Litt. (Doctor of Literature) ହାସଲ କରିଥିବା ଡାକ୍ତର ରାକେଶ କୁମାର ବିଶି, ବରିଷ୍ଠ ଅଧ୍ୟାପକ, କେସିଙ୍ଗା ମହାବିଦ୍ୟାଳୟ ଏବଂ ଡାକ୍ତର ଅଜିତକୁମାର ବେହେରା, ବରିଷ୍ଠ ଅଧ୍ୟାପକ, କାଶ୍ରୁପଡା ମହାବିଦ୍ୟାଳୟଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ ଆଦର୍ଶକୁ ଆଜିର ଯୁବପିଢ଼ି ମଧ୍ୟରେ ଅଧିକ ପ୍ରସାର କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ମତ ପ୍ରକାଶ ପାଇଥିଲା। ସମାରୋହରେ ସାହିତ୍ୟିକ, ଶିକ୍ଷାବିତ୍‌, ସାଂସ୍କୃତିକ କର୍ମୀ ଓ ସାହିତ୍ୟପ୍ରେମୀମାନଙ୍କ ଉପସ୍ଥିତି ଏହାକୁ ଏକ ସ୍ମରଣୀୟ ସାରସ୍ୱତ ସମାବେଶରେ ପରିଣତ କରିଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ବାରମ୍ବାର ଖବର ପ୍ରସାରଣ ପରେ ବି ସୁଧୁରିଲା ନାହିଁ ଆଳଦା-ତୋରାଣିପଦ ରାସ୍ତାର ଅବସ୍ଥା, କୁଆଡ଼େ ନେତା ଓ ପ୍ରଶାସନ ?

Sunil Chandra Nayak

ବେଦ ଉତ୍ତମ ଓ ସଦଗୁଣ ଜ୍ଞାନର ଭଣ୍ଡାର ଓ ବିଶ୍ଵର ପ୍ରତିଷ୍ଠା ପାଇଁ ମାର୍ଗଦର୍ଶକ- ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ   

masiha

ଡକ୍ଟର ସଦାଶିବ ତ୍ରିପାଠୀ ଙ୍କ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!