ବର୍ଷାକୁ ଖାତିର ନକରି ଜନଶୁଣାଣୀରେ ପହଞ୍ଚିଲେ ବିଧବା ମହିଳା, ଭତ୍ତା ପାଇଁ କଲେ ଗୁହାରି
ରାଇରଙ୍ଗପୁର – ୩/୦୯ ଆର୍ଥିକ ଅନଟନ ଓ ଅସହାୟତା ମଧ୍ୟରେ ଜୀବନ କାଟୁଥିବା ଜଣେ ବିଧବା ମହିଳା ନିଜ ଅଧିକାରର ବିଧବା ଭତ୍ତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ବାଙ୍କୀ ଗ୍ରାମର ମାତି କିସ୍କୁ ଦୀର୍ଘଦିନ ଧରି ବିଧବା ଭତ୍ତା ପାଇଁ ସରପଞ୍ଚଙ୍କ ଜଣାଇ ଆସୁଥିଲେ ମଧ୍ୟ ତାଙ୍କ ଆବେଦନ ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି।
ନିଜ ସମସ୍ୟାର ସମାଧାନ ଆଶାରେ ମାତି କିସ୍କୁ ବିଜାତଳା ବ୍ଲକର ସରଗଡାଠାରେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅଭିଯୋଗ ଦାଖଲ କରିଥିଲେ। ଜନଶୁଣାଣୀ ଦିନ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସେ ବର୍ଷାକୁ ଖାତିର ନକରି ଦୂରରୁ ଆସି ନିଜ ଅଭିଯୋଗ ଜଣାଇଥିବା ଜଣାପଡ଼ିଛି।
ମାତି କିସ୍କୁ କହିଛନ୍ତି ଯେ, ସେ ଜଣେ ବିଧବା ମହିଳା ହୋଇଥିବାରୁ ଜୀବନଯାପନ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଆର୍ଥିକ ଅନଟନ ମଧ୍ୟରେ ସରକାରୀ ବିଧବା ଭତ୍ତା ତାଙ୍କ ପାଇଁ ଏକ ବଡ଼ ସାହାରା ହୋଇପାରିବ। ତେଣୁ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ବିଧବା ଭତ୍ତା ପ୍ରଦାନର ବ୍ୟବସ୍ଥା କରିବାକୁ ସେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।
ବର୍ଷାକୁ ଅଣଦେଖା କରି ନିଜ ଅଧିକାର ପାଇଁ ଜନଶୁଣାଣୀରେ ପହଞ୍ଚିଥିବା ମାତି କିସ୍କୁଙ୍କ ଅଭିଯୋଗର ତୁରନ୍ତ ସମାଧାନ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

