ଶିକ୍ଷକ ଦିବସରେ ଶିଶୁ ବିବାହ ବିରୋଧରେ ସାମୂହିକ ଦାୟିତ୍ୱର ଆହ୍ୱାନ
କୋରାପୁଟ: ଶିଶୁଙ୍କ ଭବିଷ୍ୟତ ଗଢ଼ିବା ସହ ଶିଶୁ ବିବାହ ଭଳି ସାମାଜିକ ସମସ୍ୟାକୁ ରୋକିବାରେ ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକ ଦିବସ କେବଳ ଶିକ୍ଷକଙ୍କୁ ସମ୍ମାନ ଜଣାଇବାର ଦିନ ନୁହେଁ, ବରଂ ପ୍ରତ୍ୟେକ ଶିଶୁର ଶିକ୍ଷା, ସୁରକ୍ଷା ଓ ଭବିଷ୍ୟତ ପାଇଁ ଆମର ଦାୟିତ୍ୱକୁ ସ୍ମରଣ କରିବାର ଦିନ ବୋଲି କହିଛନ୍ତି କୋରାପୁଟର ମୁଖ୍ୟ ଅତିଥି ADM ଶ୍ରୀ ନରେଶ ଚନ୍ଦ୍ର ସବର. ସାଉଥ ଓଡ଼ିଶା ଭଲଣ୍ଟାରୀ ଆକ୍ସନ (ସୋଭା),କୋରାପୁଟ ପକ୍ଷରୁ Just Rights for Children India ସହଯୋଗରେ ଆୟୋଜିତ ଶିକ୍ଷକ ଦିବସ ସମାରୋହରେ ଶ୍ରୀ ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମତ ପ୍ରକାଶ କରିଥିଲେ।
ସେ କହିଥିଲେ ଯେ, ଜଣେ ଶିକ୍ଷକ କେବଳ ବିଦ୍ୟାଳୟରେ ପାଠ ପଢ଼ାନ୍ତି ନାହିଁ; ସେ ଜଣେ ଶିଶୁର ଚିନ୍ତାଧାରା, ଆତ୍ମବିଶ୍ୱାସ ଓ ଭବିଷ୍ୟତ ଗଢ଼ିଥାନ୍ତି। ସେହିପରି ପ୍ରତ୍ୟେକ ଅଭିଭାବକ, ସମାଜର ବରିଷ୍ଠ ବ୍ୟକ୍ତି, ଅଙ୍ଗନୱାଡ଼ି ଓ ଆଶା କର୍ମୀ, ସରକାରୀ କର୍ମଚାରୀ ଏବଂ ସଚେତନ ନାଗରିକ ମଧ୍ୟ ଶିଶୁଙ୍କୁ ଠିକ୍ ଦିଗଦର୍ଶନ ଦେଇ ଜଣେ ଜଣେ ଶିକ୍ଷକର ଭୂମିକା ନେଇପାରିବେ।
କୋରାପୁଟରେ ଶିଶୁ ବିବାହ ହ୍ରାସ କରିବା ପାଇଁ ବିଦ୍ୟାଳୟ ଓ ଶିକ୍ଷକମାନଙ୍କୁ ଆଗୁଆ ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ। ଶିଶୁ ବିଦ୍ୟାଳୟ ଛାଡ଼ୁଥିଲେ, ଶିଶୁ ବିବାହର ସମ୍ଭାବନା ଥିଲେ କିମ୍ବା କୌଣସି ଶିଶୁ ସୁରକ୍ଷା ଜନିତ ସମସ୍ୟାରେ ଥିଲେ, ତାହାକୁ ଚିହ୍ନଟ କରି ସମୟୋଚିତ ଭାବେ ସମ୍ପୃକ୍ତ ବିଭାଗକୁ ଜଣାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। “ଗୋଟିଏ ଶିଶୁର ବିବାହ ରୋକିବା ମାନେ ଗୋଟିଏ ଭବିଷ୍ୟତକୁ ସୁରକ୍ଷିତ କରିବା” ବୋଲି ସେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ CWC ଅଧ୍ୟକ୍ଷା ଡ. ଗାୟତ୍ରୀ ଦେବୀ, କୋରାପୁଟ DCPO ଓ ଚାଇଲ୍ଡଲାଇନ୍ ସଂଯୋଜକ ଶିଶୁ ସୁରକ୍ଷା ଓ ଶିଶୁ ବିବାହ ନିରୋଧ ଉପରେ ନିଜ ମତ ରଖିଥିଲେ। SOVA ସଚିବ ଶ୍ରୀ ସଞ୍ଜିତ ପଟ୍ଟନାୟକ ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ଶିକ୍ଷକ ଓ ସମାଜର ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
କୋରାପୁଟ ଜିଲ୍ଲାରେ ଶିଶୁ ବିବାହ ନିରୋଧ, ଶିଶୁ ସୁରକ୍ଷା, ସଚେତନତା ସୃଷ୍ଟି ଓ ସମୁଦାୟକୁ ସଂପୃକ୍ତ କରିବା ଦିଗରେ SOVAର ନିରନ୍ତର ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ। ଶିଶୁ ବିବାହ ବିରୋଧରେ SOVA ଭଳି ସଂଗଠନର ସହଯୋଗ ଓ ସରକାରୀ ବ୍ୟବସ୍ଥା ସହ ସମନ୍ୱୟକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ଶିଶୁ ଚେଞ୍ଜମେକରମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଶିଶୁ, ପ୍ରାରମ୍ଭିକ ଓ ବାଧ୍ୟତାମୂଳକ ବିବାହ ନିରାକରଣ ପାଇଁ ଅନ୍ତର୍ଜାତୀୟ ଦିବସ ପ୍ରତିଷ୍ଠା ସମ୍ପର୍କିତ ଐତିହାସିକ ଜାତିସଂଘ ସାଧାରଣ ସଭାର ନିଷ୍ପତ୍ତିକୁ ସ୍ୱାଗତ କରାଯାଇ Just Rights for Children Indiaକୁ ଅଭିନନ୍ଦନ ଜଣାଯାଇଥିଲା।କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା—ଶିକ୍ଷା ମାଧ୍ୟମରେ ଶିଶୁଙ୍କୁ ସଶକ୍ତ କରିବା ଏବଂ ସମସ୍ତେ ଏକାଠି ହୋଇ କୋରାପୁଟରୁ ଶିଶୁ ବିବାହ ଦୂର କରିବା।

