ରାଇରଙ୍ଗପୁର ମହୁଲଡିହା ସତସଙ୍ଗ ବିହାରରେ ବପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ତମ ଜନ୍ମ ପାଳିତ
ରାଇରଙ୍ଗପୁର, ୧୬ ସେପ୍ଟେମ୍ବର: ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ତମ ଜନ୍ମ ମହାମହୋତ୍ସବ ଆଜି ରାଇରଙ୍ଗପୁର ସତସଙ୍ଗ ବିହାର ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ଉତ୍ସବରେ ୫୦୦ରୁ ଊର୍ଦ୍ଧ୍ୱ ଗୁରୁଭାଇ, ମା’ ଓ ଭକ୍ତ ଯୋଗଦେଇଥିଲେ।
ଉତ୍ସବର ଶୁଭାରମ୍ଭ ପ୍ରାତଃକାଳୀନ ଉଷା କୀର୍ତ୍ତନ ଓ ପ୍ରାତଃ ବିନତିରୁ ହୋଇଥିଲା। ପରେ ପୂର୍ବାହ୍ନ ୧୦ଟାରେ ଶ୍ରୀମତୀ ଶୁଚିସ୍ମିତା ମା’ଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ ଅତ୍ୟନ୍ତ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଥିଲା। ଏଥିରେ ତପସ୍ୱିନୀ ମହାକୁଡ଼ ଓ ଦେବକୀ ପାତ୍ର ମା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଏବଂ ଶ୍ରୀ ଶ୍ରୀ ବଡ଼ମା’ଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ ରାଇରଙ୍ଗପୁରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଗୁରୁଭାଇ ଓ ମା’ମାନଙ୍କ ଦ୍ୱାରା ସୁମଧୁର ସଙ୍ଗୀତାଞ୍ଜଳି ପରିବେଷଣ କରାଯାଇଥିଲା।
ଦିବା ୧୧ଟା ୩୦ ମିନିଟ୍ରେ ସତସଙ୍ଗ ସଦାଲୋଚନା ଆରମ୍ଭ ହୋଇଥିଲା। ଏହି ଅବସରରେ ସୁଦୂର ଭୁବନେଶ୍ୱରରୁ ଆସିଥିବା ସୁମଧୁର କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଗଦାଧର ପରିଡ଼ା ଓ ଶ୍ରୀଯୁକ୍ତ ପ୍ରଦୀପ ରଥଙ୍କ ଦ୍ୱାରା ଭଜନ ଓ କୀର୍ତ୍ତନ ପରିବେଷଣ କରାଯାଇଥିଲା।ସଦାଲୋଚନାରେ ରାଇରଙ୍ଗପୁରର ସହ ପ୍ରତି ୠତିକ ଡାକ୍ତର ବିଚିତ୍ରାନନ୍ଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ପୂର୍ବକ କିଛି ମୂଲ୍ୟବାନ ଆଲୋଚନା ରଖିଥିଲେ। ଏହାପରେ ଶ୍ରୀଯୁକ୍ତ ନୀଳକଣ୍ଠ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ମୁଖ୍ୟବକ୍ତା ସହପ୍ରତିଋତିକ ଶ୍ରୀଯୁକ୍ତ କୃତ୍ତିକାମ ମହାନ୍ତି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଲୀଳା ଓ ଅନୁଭୂତି ସମ୍ପର୍କରେ ସମ୍ୟକ୍ ଆଲୋଚନା କରିଥିଲେ। ସମଗ୍ର ସତସଙ୍ଗ କାର୍ଯ୍ୟକ୍ରମକୁ ଧର୍ମଯାଜକ ଶ୍ରୀଯୁକ୍ତ ସ୍ୱରେନ୍ଦ୍ର ନାୟକ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଉତ୍ସବର ଶେଷ ପର୍ଯ୍ୟାୟରେ ଶତାଧିକ ଗୁରୁଭାଇ ଓ ମା’ମାନେ ମହାପ୍ରସାଦ ସେବନ କରିଥିଲେ। ଏଥିସହ କିଛି ନୂତନ ଶ୍ରଦ୍ଧାଳୁ ସଦ୍ଦୀକ୍ଷା ଗ୍ରହଣ କରିଥିଲେ।ଏହି ମହାମହୋତ୍ସବକୁ ସଫଳ ଓ ସୁଚାରୁ ରୂପେ ଆୟୋଜନ କରିବାରେ ବହୁ ଗୁରୁଭାଇ ଓ ମା’ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।* *ସେମାନଙ୍କ ମଧ୍ୟରେ ପ୍ରଣବେଶ ପଟ୍ଟନାୟକ (ଯାଜକ), ସର୍ବେଶ୍ୱର ମହାନ୍ତ, ଚିତ୍ତରଞ୍ଜନ ପାତ୍ର, ଚନ୍ଦ୍ରକାନ୍ତ ଗୋପାଳ, ଆଲ୍ଲାଦ ଦାସ, ଶୁଭମ ବେହେରା, ଉଦୟ ପାତ୍ର, ତ୍ରିଲୋଚନ ବେହେରା, ସୁଶାନ୍ତ ବେହେରା, ଗୁରୁପ୍ରସାଦ ମହାକୁଡ଼ ଓ ନଳିନ୍ଦ୍ର ମହାନ୍ତ ଅଂଶଗ୍ରହଣ କରିଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

