ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଉତ୍ସବ ‘ସ୍ପାର୍କ’
ବ୍ରହ୍ମପୁର/ଚମାଖଣ୍ଡି; ୧୯/୦୯ : ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶନିବାର ବିଦ୍ୟାଳୟ ସ୍ତରୀୟ ପ୍ରତିଷ୍ଠା ଉତ୍ସବ ‘ସ୍ପାର୍କ’ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଶିକ୍ଷା, ସୃଜନଶୀଳତା, ନୈତିକ ମୂଲ୍ୟବୋଧ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶକୁ ଗୁରୁତ୍ୱ ଦେଇ ଆୟୋଜିତ ଏହି ଉତ୍ସବରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଅତିଥିମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଛତ୍ରପୁର ଡେପୁଟି କଲେକ୍ଟର ସୁନୀଲ ସାଇ ଦେବାଶିଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା ସହ ନିଷ୍ଠା, ଶୃଙ୍ଖଳା ଓ ଏକାଗ୍ରତାର ସହ ପାଠପଢ଼ି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ସହିତ ନିଜର ଦକ୍ଷତା ଓ ପ୍ରତିଭାର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବରାଜ ସ୍ୱାଇଁ ଯୋଗଦେଇ ଆଧୁନିକ ଜୀବନରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବଢ଼ୁଥିବା ଗୁରୁତ୍ୱ ଓ ଏହାର ବିଭିନ୍ନ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଯୁକ୍ତିର ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସହ ମାନବୀୟ ମୂଲ୍ୟବୋଧକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ସେ ଉଲ୍ଲେଖ କରିଥିଲେ। ଏଥିସହ ଛାତ୍ରଜୀବନରୁ ହିଁ ଶୃଙ୍ଖଳା, ନୈତିକତା ଓ ଦାୟିତ୍ୱବୋଧର ବିକାଶ କରି ସମାଜର ଜଣେ ଦାୟିତ୍ୱବାନ ଓ ସୁନାଗରିକ ଭାବେ ନିଜକୁ ଗଢ଼ିତୋଳିବାକୁ ସେ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ସୁଶାନ୍ତ ବରୋ ଯୋଗଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ହାସଲ ସହ ଜଣେ ଆଦର୍ଶ ଓ ସୁପ୍ରତିଷ୍ଠିତ ନାଗରିକ ହେବାର ମାର୍ଗଦର୍ଶନ ଦେଇଥିଲେ। ଏଥିସହ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟର ବିଗତ ଦିନର କୃତିତ୍ୱ, ଶିକ୍ଷାକ୍ଷେତ୍ରରେ ସଫଳତା ଓ ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ପୁରସ୍କାର ପ୍ରଦାନ ଅବସରରେ ବିଦ୍ୟାଳୟ ପରିସର ଉତ୍ସାହରେ ମୁଖରିତ ହୋଇଉଠିଥିଲା।
ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ପରିବେଷଣ ଉପସ୍ଥିତ ଅତିଥି, ଅଭିଭାବକ ଓ ଦର୍ଶକଙ୍କ ମନ ମୋହିଥିଲା। ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭା ଓ ଆତ୍ମବିଶ୍ୱାସର ଏକ ସୁନ୍ଦର ପରିଚୟ ପ୍ରଦାନ କରିଥିଲା।
ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷା ଡ଼ ସ୍ମିତାବାଳା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
ପ୍ରିୟ ବ୍ରତ ପଣ୍ଡା ଙ୍କ ରିପୋର୍ଟ୍

