କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ
ନନ୍ଦପୁରରେ ଅନୁଷ୍ଠିତ ହୋଇଛି ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ। ଜିଲ୍ଲା ସଭାପତି ଶଶଧର ରାଉତଙ୍କ ଅଧ୍ୟକ୍ଷତାରେ ଶ୍ରୀ କଲ୍ୟାଣ ମଣ୍ଡପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଲୋକଙ୍କ ସ୍ୱରକୁ ଶାସନର ଦ୍ୱାର ଦେଶରେ ପହଞ୍ଚାଇବା ସହ ପ୍ରଶାସନିକ ବ୍ୟବସ୍ଥାର ତ୍ରୁଟିକୁ ଉଜାଗର କରି ସୁଶାସନ ପ୍ରତିଷ୍ଠାରେ ସେତୁ ବନ୍ଧ ଭୂମିକା ନିର୍ବାହ କରୁଛି ଗଣମାଧ୍ୟମ। ଲୋକଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ପ୍ରଶାସନକୁ ସଠିକ୍ ଦିଗରେ ଆଗେଇ ନେବାରେ ଏହାର ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି ନନ୍ଦପୁରରେ ଅନୁଷ୍ଠିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ ପାଇଥିଲା।ବୈଠକରେ ଓୟୁଜେ ରାଜ୍ୟ ସମ୍ପାଦକ ଦେବ ପ୍ରସାଦ ଦାସଙ୍କ ସମେତ ବିଭିନ୍ନ ପଦାଧିକାରୀ, ନନ୍ଦପୁର ବିଡିଓ, ତହସିଲଦାର ଓ ଜିଲ୍ଲାର ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଯୋଗଦେଇଥିଲେ।
ବୈଠକରେ ସଂଘର ସାଂଗଠନିକ କାର୍ଯ୍ୟକଳାପ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ଅକ୍ଟୋବର ଶେଷ ସୁଦ୍ଧା ସଦସ୍ୟତା ନବୀକରଣ ଏବଂ ନଭେମ୍ବର ଶେଷ ସୁଦ୍ଧା ନିର୍ବାଚନ କରାଯିବ ବୋଲି ସୂଚନା ଦିଆଯାଇଛି।ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ଓ ପ୍ରଶାସନର ସହଭାଗିତା’ ଶୀର୍ଷକ ଆଲୋଚନାରେ ଗଣମାଧ୍ୟମକୁ ସୁଶାସନର ଦିଗଦର୍ଶକ ଭାବେ ଅଭିହିତ କରାଯାଇଥିଲା। ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ସହ ପ୍ରଶାସନ ଓ ଜନସାଧାରଣ ମଧ୍ୟରେ ସମନ୍ୱୟ ରକ୍ଷାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଅବସରରେ ଅଞ୍ଚଳର ବିକାଶରେ ଅବଦାନ ରଖୁଥିବା ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ସେବାମୂଳକ ବିଭାଗ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ସାମ୍ବାଦିକ, ଅଧିକାରୀ, ବୁଦ୍ଧିଜୀବୀ ଓ ଅତିଥିଙ୍କୁ ଧନ୍ୟବାଦ ଜଣାଯାଇଥିଲା।
ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ

