ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ଉତ୍ସବ
ଜୁନାଗଡ଼,୨୬/୯(ମନୀ ସ) ଭବାନୀପାଟଣା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୬ଟି ଦଳର ଦେଢ଼ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲଷ୍ମୀ ନାୟକ ଉଦ୍ଘାଟନ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡ଼. ଦୀନକୃଷ୍ଣ ଯୋଷୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ସ୍ୱାଗତ ଭାଷଣ ଦେବା ସହ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
ବିଜ୍ଞାନ ନାଟକ ପ୍ରତିଯୋଗିତାରେ କୁଲିହାରୀ ଉଚ୍ଚ ବିଦ୍ୟାଳୟ, କୁଲିହାରୀ , ଜୁନାଗଡ଼ (ନାଟକର ଶୀର୍ଷକ ‘ ସମୁଦ୍ରର ଚିତ୍କାର’) ପ୍ରଥମ ସ୍ଥାନ ଅଧିକାର କରି ଆଗାମୀ ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ମିଳିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜୋରାଡୋବରା ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସିରଜାପାଲି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଲୋକନୃତ୍ୟ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଥୁଆପଦର, ଭବାନୀପାଟଣା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ କଳାହାଣ୍ଡିର ପ୍ରତିନିଧିତ୍ୱ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ, ମଥୁରା, ଦ୍ୱିତୀୟ ଏବଂ ତେରେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଙ୍ଗା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ବିଜ୍ଞାନ ନାଟକର ବିଚାରକ ଭାବେ ବିରଞ୍ଚି ନାରାୟଣ ମୁଣ୍ଡ ଓ ପ୍ରକାଶ ଚନ୍ଦ୍ର ନିଶଙ୍କ ଏବଂ ଲୋକନୃତ୍ୟର ବିଚାରକ ଭାବେ ନମିତା ମିଶ୍ର, ଲିପ୍ସା ବାରିକ ଓ କେ. ପଦ୍ମା ଆଚାରୀ ଯୋଗଦେଇଥିଲେ ।
ଉଦ୍ଯାପନୀ ସଭାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା, କଳାତ୍ମକ ପ୍ରତିଭା ଓ ବୈଜ୍ଞାନିକ ଚେତନାର ବିକାଶ ଦିଗରେ ଏହି ପ୍ରତିଯୋଗିତା ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ |
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

