ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାନ୍ୟ କୁକୁଡ଼ା ପାଇଁ ଅଟକିଲା ଶବ ସତ୍କାର , ପୋଲିସ ସହାୟତାରେ ହେଲା ଶେଷକୃତ୍ୟ ସମ୍ପନ୍ନ , ପରିବାର କୁ ସାମାଜିକ ବାସନ୍ଦ ନିଷ୍ପତ୍ତି

ସାମାନ୍ୟ କୁକୁଡ଼ା ପାଇଁ ଅଟକିଲା ଶବ ସତ୍କାର , ପୋଲିସ ସହାୟତାରେ ହେଲା ଶେଷକୃତ୍ୟ ସମ୍ପନ୍ନ , ପରିବାର କୁ ସାମାଜିକ ବାସନ୍ଦ ନିଷ୍ପତ୍ତି

ରାଇରଙ୍ଗପୁର : ୩୦/୦୯ ବର୍ତ୍ତମାନର ବିଜ୍ଞାନ ଯୁଗରେ ବି‌ ସାମାଜିକ ପରମ୍ପରା ଓ ଅନ୍ଧବିଶ୍ୱାସ ର କଳା ଛାଇ ରହିଥିବା ଦେଖିବାକୁ ମିଳିଛି। ସାମାନ୍ୟ କୁକୁଡ଼ା ଛୁଆଟିଏ ନ ଦେଇ ପାରିବାରୁ ଦୁଇ ଦିନ ଧରି ପଡ଼ି ରହିଥିଲା ଜଣେ ବୃଦ୍ଧାଙ୍କ ମୃତଦେହ। ଆଦିବାସୀ ପରମ୍ପରା ନାଁରେ ସୃଷ୍ଟି ହୋଇଥିବା ବିବାଦ ଶେଷରେ ସାମାଜିକ ବାସନ୍ଦ ର ରୂପ ନେଇଛି। ଏଭଳି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ଲୁହାମାଳିଆ ଗ୍ରାମରେ। ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଶେଷରେ ପୋଲିସ ପ୍ରଶାସନର ଉପସ୍ଥିତିରେ ବିଳମ୍ବିତ ରାତିରେ ମୃତଦେହ ସଂସ୍କାର କରାଯାଇଛି। ହେଲେ ଏହାପରେ ମୃତକ ଙ୍କ ପରିବାରକୁ ଗ୍ରାମବାସୀ ଏକ ଘରିକିଆ ତଥା ବାସନ୍ଦ କରିବା ପାଇଁ ଲିଖିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଯାହା ସୂଚନା ରହିଛି, ଶବ ନ ଉଠିବା ଯାଏଁ ଚୁଲି ଜଳିବନି ବୋଲି ସେହି ଗାଁରେ ପରମ୍ପରା ରହିଛି। ଏ କ୍ଷେତ୍ରରେ ଯାହା ନିୟମ ଅଛି ଗ୍ରାମବାସୀ ମାଗିଲେ, କିନ୍ତୁ ସେ ରାଜି ହେଲାନି। ସେହି ଗ୍ରାମର ଲୋକଙ୍କ କହିବା ଅନୁଯାୟୀ, ମାଝୀ ପାର୍ଗାନ ନିୟମ ଅନୁସାରେ କାହାର ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପୂର୍ବରୁ ଗ୍ରାମ ଶୁଦ୍ଧି ନିମନ୍ତେ ପରମ୍ପରା ଅନୁଯାୟୀ ହାଣ୍ଡିଆ ଓ ୩ଟି କୁକୁଡ଼ା ଦେବାର ନିୟମ ରହିଛି। କିନ୍ତୁ ମୃତକ ରିଣ୍ଡି ମାରାଣ୍ଡି ଙ୍କ ପୁଅ ମିନିରାମ ମାର୍ଣ୍ଡି ଏହି କୁସଂସ୍କାର କୁ ବିରୋଧ କରି କୁକୁଡ଼ା ଦେବାକୁ ମନା କରି ଦେଇଥିଲେ। ଗ୍ରାମବାସୀଙ୍କ ଯୁକ୍ତି ଅନୁଯାୟୀ, ଶବ ନ ଉଠିବା ପର୍ଯ୍ୟନ୍ତ ଗାଁରେ ଚୁଲି ଜଳେନାହିଁ। ସେପଟେ ପରିବାର ଲୋକେ ଗ୍ରାମ ମୁଖ୍ୟଙ୍କ ବଦଳରେ ସଙ୍ଗଠନ ନେତାଙ୍କୁ ଡକାଇ ସମାଧାନ ପାଇଁ ଚେଷ୍ଟା କରିଥିଲେ। ଫଳରେ ଦୁଇ ଦିନ ଧରି ମୃତଦେହ ପଡ଼ିରହିବା ସହ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ମାରପିଟ୍ ପରିସ୍ଥିତି ଉପୁଜିଥିଲା। ଦୁଇ ଦିନ ଧରି ଗାଁ ଘର ବାରଣ୍ଡାରେ ପଡ଼ିରହିଥିଲା ମୃତ ମହିଳାଙ୍କ ଶବ। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଚାନ୍ଦୁଆ ପୋଲିସ ଓ ପ୍ରଶାସନ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିବାରୁ ଶେଷରେ ପ୍ରଶାସନର ହସ୍ତକ୍ଷେପ ହୋଇଥିଲା। ରାତି ପ୍ରାୟ ୮ଟା ବେଳେ ପୋଲିସ ସହାୟତାରେ ମୃତଦେହ ସଂସ୍କାର ସମ୍ପନ୍ନ ହୋଇଥିଲା। କିନ୍ତୁ ଶବ ସଂସ୍କାର ପରେ ବିବାଦ ଥମିବା ବଦଳରେ ଆହୁରି ବଢ଼ିଯାଇଛି। ଗାଁର ପାରମ୍ପରିକ ନିୟମ ଭାଙ୍ଗିଥିବାରୁ ଏବଂ ପୋଲିସ ଡକାଇଥିବାରୁ ପରିବାରକୁ ସମ୍ପୂର୍ଣ୍ଣ ସାମାଜିକ ବାସନ୍ଦ ବା ଏକଘରିକିଆ କରିବା ପାଇଁ ଗ୍ରାମବାସୀ ବୈଠକ ଡାକି ନିଷ୍ପତ୍ତି ନେଇଛନ୍ତି। ସୁସ୍ଥ ସମାଜ ଗଠନ ପାଇଁ ଲଢ଼େଇ କରିବାରୁ ନୂତନ ଯୁବ ପିଢ଼ି ଏବେ ବି ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ୁଛି। ଆଇନ ଓ ସମ୍ବିଧାନ ଯେତେ ବଳବାନ ହେଲେ ବି ଆଜି ମଧ୍ୟ ଦୁର୍ଗମ ଆଦିବାସୀ ଅଞ୍ଚଳରେ ଏହିସବୁ ପ୍ରଥା ଆଗରେ ପ୍ରଶାସନ ଅସହାୟ। ପୋଲିସ ସହାୟତାରେ ଶବ ତ ଜଳିଗଲା, କିନ୍ତୁ ଜୀବିତ ଥିବା ପରିବାର ଏବେ ସାମାଜିକ ବାସନ୍ଦର କଳଙ୍କିତ ବନ୍ଧନ ଭିତରକୁ ଠେଲି ହୋଇଯାଇଛି। ଏ ଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

    ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ   

Related posts

ଓଡିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଲେଡି ଲାୟନ ତରଫରୁ ରକ୍ତଦାନ ଶିବିର ଓ କଳାଦିବସ ପାଳିତ

Sunil Chandra Nayak

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ

masiha

Leave a Comment

error: Content is protected !!