ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶହରା ଚାନ୍ଦା ଆଦାୟକୁ ନେଇ ଶିକ୍ଷକଙ୍କ ଅଭିନବ ପ୍ରତିବାଦ ଚାନ୍ଦା ମାଗିବାକୁ ସ୍କୁଲରେ ପହଞ୍ଚିଥିବା ସାମ୍ବାଦିକଙ୍କୁ ଦାନ ପେଡ଼ି ଦେଖାଇଲେ ଶିକ୍ଷକ

ଦଶହରା ଚାନ୍ଦା ଆଦାୟକୁ ନେଇ ଶିକ୍ଷକଙ୍କ ଅଭିନବ ପ୍ରତିବାଦ

ଚାନ୍ଦା ମାଗିବାକୁ ସ୍କୁଲରେ ପହଞ୍ଚିଥିବା ସାମ୍ବାଦିକଙ୍କୁ ଦାନ ପେଡ଼ି ଦେଖାଇଲେ ଶିକ୍ଷକ

ରାୟଗଡ଼ା: ଦଶହରା ପର୍ବ ପାଖେଇ ଆସୁଥିବା ବେଳେ ଚାନ୍ଦା ଆଦାୟକୁ ନେଇ ଏକ ଅଭିନବ ପ୍ରତିବାଦ ସାମ୍ନାକୁ ଆସିଛି। କିଛି ସାମ୍ବାଦିକ ଦଶହରା ଚାନ୍ଦା ନାମରେ ବିଭିନ୍ନ ସ୍କୁଲରେ ପହଞ୍ଚି ଶିକ୍ଷକମାନଙ୍କ ଉପରେ ଚାନ୍ଦା ଦେବା ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗକୁ ନେଇ ଜଣେ ଶିକ୍ଷକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।

ସୂଚନା ଅନୁସାରେ, ଦଶହରା ଚାନ୍ଦା ଆଦାୟ ପାଇଁ କିଛି ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସ୍କୁଲରେ ପହଞ୍ଚୁଥିବା ଅଭିଯୋଗ ରହିଛି। ଚାନ୍ଦା ଦେବା ପାଇଁ ଶିକ୍ଷକଙ୍କୁ ବିଭିନ୍ନ ଭାବେ ଚାପ ପକାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଏଭଳି ସମୟରେ ଜଣେ ଶିକ୍ଷକ ଚାନ୍ଦା ମାଗିବାକୁ ଆସିଥିବା ବ୍ୟକ୍ତିଙ୍କ ସମ୍ମୁଖରେ ଏକ ‘ଦାନ ପେଡ଼ି’ ରଖି ଅଭିନବ ପ୍ରତିବାଦ କରିଥିଲେ। ଶିକ୍ଷକ ଜଣକ କହିଥିଲେ— ଯଦି ଦଶହରା ନାମରେ ଚାନ୍ଦା ଆଦାୟ କରିବାକୁ ଆସିଛନ୍ତି, ତେବେ ପ୍ରଥମେ ସ୍କୁଲର ପିଲାମାନଙ୍କ ପାଇଁ କିଛି ଦାନ କରନ୍ତୁ। ପିଲାମାନଙ୍କ ଶିକ୍ଷା ଓ ଆବଶ୍ୟକତା ପାଇଁ ଯଦି କିଛି ସହଯୋଗ କରିପାରିବେ, ତେବେ ତାହା ଅଧିକ ମୂଲ୍ୟବାନ ହେବ ବୋଲି ସେ କହିଥିଲେ।

ଶିକ୍ଷକଙ୍କ ଏହି ଅଭିନବ ପ୍ରତିବାଦ ଚାନ୍ଦା ଆଦାୟ କରିବାକୁ ଆସିଥିବା ବ୍ୟକ୍ତିମାନଙ୍କୁ ଅପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଶିକ୍ଷକ ଜଣକ ଆହୁରି କହିଥିଲେ ଯେ, ମେଞ୍ଚା ମେଞ୍ଚା ଲୋକ ପ୍ରତ୍ୟେକ ସ୍କୁଲରେ ପଶି ଦଶହରା ଚାନ୍ଦା ନାମରେ ଟଙ୍କା ଆଦାୟ କରିବା ଠିକ୍ ନୁହେଁ। ବିଶେଷକରି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ କୌଣସି ଶିକ୍ଷକ କିମ୍ବା ସରକାରୀ କର୍ମଚାରୀଙ୍କ ଉପରେ ଚାନ୍ଦା ପାଇଁ ଚାପ ପକାଇବା ଗ୍ରହଣୀୟ ନୁହେଁ ବୋଲି ସେ ମତ ଦେଇଥିଲେ।

ଦଶହରା ଭଳି ଏକ ପାରମ୍ପରିକ ପର୍ବକୁ ନେଇ ଲୋକଙ୍କ ସ୍ୱଇଚ୍ଛିକ ସହଯୋଗରେ ଆୟୋଜନ କରାଯିବା ଉଚିତ। କାହାକୁ ଭୟଭୀତ କରି, ଚାପ ପକାଇ କିମ୍ବା ପରିଚୟର ପ୍ରଭାବ ଦେଖାଇ ଚାନ୍ଦା ଆଦାୟ କରିବା ଉଚିତ ନୁହେଁ ବୋଲି ଶିକ୍ଷକଙ୍କ ଏହି ପ୍ରତିବାଦ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି।

ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ସାମ୍ବାଦିକତା ଭଳି ଏକ ସମ୍ମାନଜନକ ପେସାର ନାମ ବ୍ୟବହାର କରି ଯଦି କେହି ଅନୈତିକ ଭାବେ ଚାନ୍ଦା ଆଦାୟ କରୁଥାନ୍ତି, ତେବେ ତାହା ଉପରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ସାମ୍ବାଦିକ ସଂଗଠନମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତୀୟ ସାମ୍ବାଦିକ ଦିବସ ପାଳିତ

masiha

କାମାକ୍ଷନଗର ଆଳତୁମାର ଐତିହାସିକ ରଜ ମହୋତ୍ସବ ପାଇଁ ଆରମ୍ଭ ହେଲା ତ୍ରୟୋଦଶ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!