ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକାଳରେ ଲିଭିଗଲା ଯୁବ ସାମ୍ବାଦିକ ତରଣୀଙ୍କ ଜୀବନଦୀପ  ୧୦ ବର୍ଷର ପୁଅ ଦେଲା ମୁଖାଗ୍ନି, ଅସହାୟ ହୋଇପଡ଼ିଲା ପରିବାରର ଭବିଷ୍ୟତ 

ଅକାଳରେ ଲିଭିଗଲା ଯୁବ ସାମ୍ବାଦିକ ତରଣୀଙ୍କ ଜୀବନଦୀପ 

୧୦ ବର୍ଷର ପୁଅ ଦେଲା ମୁଖାଗ୍ନି, ଅସହାୟ ହୋଇପଡ଼ିଲା ପରିବାରର ଭବିଷ୍ୟତ 
ସାମ୍ବାଦିକଙ୍କ ବିୟୋଗରେ ଡାବୁଗାଁରେ ଶୋକର ଛାୟା, ସରକାରୀ ସହାୟତା ପାଇଁ ଦାବୀ 

ଡାବୁଗାଁ:( ୨/୧୦ )(ଧୃତି ରଞ୍ଜନ ମହାନ୍ତି): ଖବର ଲେଖୁଥିବା ହାତ ଆଜି ନୀରବ। ଅନ୍ୟାୟ ବିରୋଧରେ କଲମ ଚଳାଉଥିବା ଜଣେ ନିର୍ଭୀକ ଯୁବ ସାମ୍ବାଦିକଙ୍କ ଜୀବନଯାତ୍ରା ଅଧାବାଟରେ ଥମିଯାଇଛି। ପରିବାରର ଆଶା, ସହକର୍ମୀଙ୍କ ଆତ୍ମୀୟ ଓ ଅଞ୍ଚଳବାସୀଙ୍କ ପ୍ରିୟ ମଣିଷ ତରଣୀସେନ ଜେନାଙ୍କ ଅକାଳ ବିୟୋଗରେ ସମଗ୍ର ଡାବୁଗାଁ ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି।ଡାବୁଗାଁର ଜଣେ ମିଷ୍ଟଭାଷୀ, ସରଳ ଓ ମେଳାପୀ ବ୍ୟକ୍ତିତ୍ୱ ଭାବେ ପରିଚିତ ତରଣୀସେନ କିଛି ମାସ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଶୁକ୍ରବାର ଦିନ ପ୍ରାୟ ୧୧ଟା ୩୦ ମିନିଟ୍‌ ସମୟରେ ଡାବୁଗାଁ ମେଡିକାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାର ହେବାମାତ୍ରେ ସାମ୍ବାଦିକ ମହଲ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ପଛରେ ଛାଡ଼ିଯାଇଛନ୍ତି ବୃଦ୍ଧା ମାଆ, ସାନ ଭାଇ, ପତ୍ନୀ ଓ ଦୁଇ ପୁଅଙ୍କୁ। ଯେଉଁ ବୟସରେ ପିଲାମାନେ ବାପାଙ୍କ ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷାରେ ନିଜ ଭବିଷ୍ୟତ ଗଢ଼ିବା କଥା, ସେହି ବୟସରେ ସେମାନଙ୍କ ମୁଣ୍ଡ ଉପରୁ ବାପାଙ୍କ ଆଶ୍ରୟ ହଟିଯାଇଛି। ପରିବାରର ଏକମାତ୍ର ଭରସା ଥିବା ତରଣୀଙ୍କ ଅନୁପସ୍ଥିତି ଆଗାମୀ ଦିନରେ ପରିବାର ପାଇଁ କିପରି ଆହ୍ୱାନ ସୃଷ୍ଟି କରିବ, ତାହାକୁ ନେଇ ଚିନ୍ତା ବଢ଼ିଛି।ସବୁଠାରୁ ହୃଦୟବିଦାରକ ଦୃଶ୍ୟ ଥିଲା ତାଙ୍କ ଅନ୍ତିମ ସଂସ୍କାର ସମୟର। ମାତ୍ର ୧୦ ବର୍ଷର ବଡ଼ ପୁଅ ବାପାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ଉପସ୍ଥିତ ଲୋକଙ୍କ ଆଖି ଲୁହରେ ଭରିଯାଇଥିଲା। ଯେଉଁ କୁନି ହାତ ବାପାଙ୍କ ହାତ ଧରି ଚାଲିବା ଶିଖିବା କଥା, ସେହି ହାତରେ ଆଜି ବାପାଙ୍କୁ ଶେଷ ବିଦାୟ ଦେବାକୁ ପଡ଼ିଲା। ଏହି ଦୃଶ୍ୟ ଡାବୁଗାଁବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା।ଜଣେ ସାମ୍ବାଦିକ କେବଳ ଖବର ପରିବେଷଣ କରୁଥିବା ବ୍ୟକ୍ତି ନୁହନ୍ତି, ସମାଜର ଅନେକ ଅକୁହା ଯନ୍ତ୍ରଣାକୁ ସାମ୍ନାକୁ ଆଣିବାର ମାଧ୍ୟମ। ତରଣୀସେନ ମଧ୍ୟ ନିଜର ନିର୍ଭୀକ ମନୋଭାବ ଓ ସରଳ ବ୍ୟବହାର ପାଇଁ ଅଞ୍ଚଳରେ ପରିଚିତ ଥିଲେ। ଆଜି ତାଙ୍କ ନିଜ ପରିବାର ଏକ ଅନିଶ୍ଚିତ ଭବିଷ୍ୟତ ସାମ୍ନାରେ ଠିଆ ହୋଇଥିବା ବେଳେ ସହାୟତାର ଆବଶ୍ୟକତା ଅନୁଭୂତ ହେଉଛି।ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଆର୍ଥିକ ସହାୟତା, ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ସାଧାରଣରେ ଦାବୀ ଉଠିଛି। ଜଣେ ସାମ୍ବାଦିକଙ୍କ ପରିବାର ଏଭଳି ସଙ୍କଟ ସମୟରେ ଯେପରି ଅସହାୟ ହୋଇ ନପଡ଼େ, ସେଥିପାଇଁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।ତରଣୀସେନଙ୍କ ଅକାଳ ବିୟୋଗ କେବଳ ଏକ ପରିବାରର ଆଶ୍ରୟ ଛଡ଼ାଇ ନେଇନାହିଁ, ସାମ୍ବାଦିକ ମହଲରୁ ମଧ୍ୟ ଜଣେ ଆତ୍ମୀୟ ସହଯୋଗୀଙ୍କୁ ଛଡ଼ାଇ ନେଇଛି। ତାଙ୍କ ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟାରେ ସାଧାରଣ ଲୋକ ଓ ସାମ୍ବାଦିକ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବାର ଶକ୍ତି ମିଳୁ।

ଡାବୁଗାଁରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୀଳଗିରି ଗଛ କଟାକୁ ନେଇ ଭାଇ ଭଉଣୀ ମଧ୍ୟରେ ବିବାଦ ଘଟଣା ପହଞ୍ଚିଲା ଥାନାରେ

masiha

ଗୋଲାମୁଣ୍ଡା ବ୍ଲକରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

masiha

Leave a Comment

error: Content is protected !!