ମନରେଗା ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର
ଥୁଆମୂଳ ରାମପୁର:୦୩/୧୦ – (ମନିସ) :-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଶନିବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ତେବେ ଯେଉଁ ଜନ ଶୁଣାଣିରେ ଜନସାଧାରଣଙ୍କ ଅଭିଯୋଗ, ମତାମତ ଓ ପ୍ରଶ୍ନ ଶୁଣିବା କଥା, ସେଠାରେ କୌଣସି ଜନସାଧାରଣ ଉପସ୍ଥିତ ନଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ ଏବଂ ୨୦୨୫-୨୬ର ଦ୍ୱିତୀୟ ପର୍ଯ୍ୟାୟର ସାମାଜିକ ସମୀକ୍ଷା ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରକୁ ଜିପିଡିଓ ବାଲେଶ୍ଵର ନାଏକ ପରିଚାଳନା କରିଥିବା ବେଳେ ବିଡିଓ ଧ୍ରୁବ ଚରଣ ମୁଦୁଲି, ଲୋକସଭା ସାଂସଦ ପ୍ରତିନିଧି ପବିତ୍ର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଜିଲ୍ଲା ସୋସିଆଲ ଓଡିଟ୍ ଶଶାଙ୍କ ଭୋଇ, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମସ୍ତ, ସରପଞ୍ଚ, ସମିତି ସଭ୍ଯ, ସଭ୍ଯା ଓ ଲାଇନ ବିଭାଗ ଅଧିକାରୀ ଓ କର୍ମଚାରୀ, ଓଏସ୍ଏସ୍ଏଏଟି, ପଞ୍ଚାୟତିରାଜ ବିଭାଗ ଓ ପାନୀୟଜଳ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ, ଏପିଓ ଭକ୍ତ ସେଠି ଓ ବ୍ଳକ କର୍ମଚାରୀ ସହଯୋଗ କରିଥିଲେ। ତେବେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ‘ସାମାଜିକ ସମୀକ୍ଷା ଜନଶୁଣାଣୀ ଭଳି ଜନକଲ୍ୟାଣମୂଳକ ଯୋଜନାର ଜନଶୁଣାଣି ଶିବିର ଜନସାଧାରଣ ପ୍ରାୟ ଅନୁପସ୍ଥିତ ରହିବା କାରଣ କଣ ହୋଇଥାଇପାରେ ଏହି ମନରେଗା ଯୋଜନାରେ ଶ୍ରମିକଙ୍କ ମଜୁରି, କାର୍ଯ୍ୟଦିବସ, ଯୋଜନାର ରୂପାୟଣ ଏବଂ ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କରେ ନିହାତି ଭାବରେ ମତାମତ ଓ ଅଭିଯୋଗ କରିବା ହେଉଛି ସାମାଜିକ ସମୀକ୍ଷା ଓ ଜନ ଶୁଣାଣିର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ଶନିବାର ଆୟୋଜିତ ଶିବିରରେ ସାଧାରଣ ଲୋକ କିମ୍ବା ମଜୁରିଆ ଉପସ୍ଥିତ ନ ରହିବା ନେଇ ଜନ ଶୁଣାଣିର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଏନେଇ କୌଣସି ସୂଚନା ପାଇନଥିବା ଅଭିଯୋଗ କରିଛନ୍ତି। ଆୟୋଜିତ ଶିବିର ସମ୍ପର୍କରେ ଆଗରୁ ପର୍ଯ୍ୟାପ୍ତ ପ୍ରଚାର ପ୍ରସାର କରାଗଲା କି ନାହିଁ, ଗ୍ରାମପଞ୍ଚାୟତ ଓ ଗ୍ରାମସ୍ତରରେ ଲୋକଙ୍କୁ ଅବଗତ କରିବା ପାଇଁ ସଚେତନ ନାଗରିକ ଜଣାଇଥିଲେ କି ନାହି, ତାହାକୁ ମଧ୍ୟ ଚର୍ଚ୍ଚା ହେଉଅଛି। ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ଭଳି ଅଞ୍ଚଳରେ ଜନ ଶୁଣାଣି ଆୟୋଜନ କରିପୂର୍ବରୁ ବ୍ୟାପକ ସଚେତନତା ଓ ପ୍ରଚାର ପ୍ରସାର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଛି। ଜନସାଧାରଣଙ୍କ ଅନୁପସ୍ଥିତିରେ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ସାମାଜିକ ଜନ ଶୁଣାଣି କେତେ ଦୂରଯୁକ୍ତି। ତେବେ ଆଗାମୀ ଦିନରେ ଏଭଳି ସାମାଜିକ ଜନ ଶୁଣାଣିକୁ ଅଧିକ ଲୋକାଭିମୁଖୀ କରିବା ସହିତ ଗ୍ରାମସ୍ତରରେ ପୂର୍ବରୁ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ସାଧାରଣରେ ଦାବି ହୋଇଛି।
ଥୁଆମୂଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

