ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ, ଭାଟିଫାସ ଗାଁ
ଗାଁକୁ ରାସ୍ତାଘାଟ ଅଭାବ ଆମ୍ବୁଲାନ୍ସ ଅପହଞ୍ଚ, ରୋଗୀ ଓ ଗର୍ଭବତୀ ମହିଳ ହନ୍ତସନ୍ତ,
ଥୁଆମୁଳ ରାମପୁର:୦୭/୧୦ – (ମନିସ):- ଦେଶ ସ୍ବାଧୀନତାର ୮୦ ବର୍ଷରେ ପଦାର୍ପଣ କରିସାରିଛି। ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାଇସାରିଛି, ଖାଲି ସେତିକି ନୁହଁ ଆଜିର ଡିଜିଟାଲ ଯୁଗରେ ମନୁଷ୍ୟ କେତେ ନୁଆଁ ନୂଆଁ କଥା ଜାଣିବା ଓ ଶିଖିବା ଆରମ୍ଭ କଲାଣି। ଶିକ୍ଷାରେ ମଧ୍ଯ ଅଗ୍ରଗତି କରିଛି ତଥାପି ଆଜିଭଳି ଦିନରେ ଅନେକ ଅଞ୍ଚଳରେ ବସବାସ କରୁଥିବା ମନୁଷ୍ୟ ଏହାଠାରୁ ବହୁ ଦୂରରେ ଥିବା ଭଳି ମନେହୁଏ। ଅଧିକାଂଶ ଅଞ୍ଚଳକୁ ଯୋଗାଯୋଗ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଶିକ୍ଷା,, କୃଷି, ବିଷୁଦ୍ଧ ପାନୀୟ ଜଳ ଭଳି ବିଭିନ୍ନ ସମସ୍ୟା ମଧ୍ୟରେ ଛନ୍ଦି ହୋଇଛନ୍ତି। କୌଣସି ଲୋକଙ୍କୁ ଜ୍ଜର କିମ୍ବା କୌଣସି ରୋଗରେ ଆକ୍ରାନ୍ତ ହେଲେ ସେମାନଙ୍କୁ ଖଟିଆରେ ୨/୩ କିଲୋମିଟର ବୁହାହେବା ଓ କିଛି ଦୂରରେ ଆମ୍ବୁଲାନ୍ସ ସେବା ପାଇବା, ସେହିଭଳି ଗର୍ଭବତୀ ମହିଳାଙ୍କ ଅବସ୍ଥା ନକହିବା ଭଲ, ଏହି କିଛି ଦିନ ତଳେ ଉକ୍ତ ଗ୍ରାମର ଦାଦନ ଶ୍ରମିକ ଶିବ ମାଝୀ ମୃତ ଶରୀରକୁ ୮ କିଲୋମିଟର ଖଟିଆରେ ବୋହିବା ଘଟଣାକୁ ନେଇ ସାରା ଅଞ୍ଚଳରେ ଚକିତ କରିଥିଲା। ବର୍ତ୍ତମାନ ସୁଦ୍ଧା ଗ୍ରାମରେ ବିଦ୍ୟାଳୟ ଟିଏ ନାହିଁ ଯାହାଫଳରେ ଉକ୍ତ ଗ୍ରାମର ଗରିବ ଘରର ଛୋଟଛୋଟ ପୁଅଝିଅଙ୍କୁ ପାଠରେ ଡୋରୀ ବାନ୍ଧିବା ଭଳି ଘଟଣା ଜଣାପଡିଛି। କିନ୍ତୁ ଗାଁର ପୁଅଝିଅଙ୍କ ପଢିବା ପାଇଁ ଇଛା ଥିଲେ ମଧ୍ୟ କୌଣସି ଉପାୟ ନାହିଁ କାହିଁକି ନା ଗାଁରେ ବିଦ୍ୟାଳୟ ଟିଏ ନାହିଁ। ଯାହାଫଳରେ ଛୋଟ ଛୋଟ କୋମଳମତୀ ପୁଅଝିଅ ଦୂରଦୂରାନ୍ତରେ ଥିବା ବିଦ୍ୟାଳୟ ମାନଙ୍କୁ ଯାଇ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହେଉଛି। ପାଠପଢାରୁ ବଞ୍ଚିତ ରହିଥିବା ଗରିବ ଘରର ପୁଅଝିଅଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଳିହୋଇ ଛଟପଟ ହେବା ହିଁ ସାର ହେଉଛି। ପାହାଡ ପର୍ବତ ଘେରା ମଧ୍ୟରେ ଥିବା ଏହି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ପାଡେପଦର ଗ୍ରାମପଞ୍ଚାୟତ ଖମାରପଦର ନିକଟସ୍ଥ ଭାଟିଫାସ ଗାଁ। ଏହି ଗାଁରେ ୫୦ ଗୋଟି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ଜଣାପଡିଛି। ଗାଁରେ ପ୍ରାୟତଃ ଗରିବ ଓ ଅଶିକ୍ଷିତ ଲୋକମାନେ ହିଁ ବସବାସ କରୁଛନ୍ତି କୁହାଯାଇପାରେ। ଦୀର୍ଘ ଦିନ ବିତିଯାଇଛି ତଥାପି ଏମାନଙ୍କ ଭାଗ୍ଯ ବଦଳି ପାରିଲା ନାହିଁ ଅତୀତରେ ଆଦିବାସୀ ସଂପ୍ରଦାୟର ଲୋକମାନେ ପ୍ରାୟତଃ ପାହାଡ ପର୍ବତ ଘେରା ଓ ପାହାଡର ପାଦଦେଶ ଓ ପାହାଡ ଉପରେ ବସବାସ କରିଆସୁଛନ୍ତି। ଆଦିବାସୀ ପଛୁଆ ଅଞ୍ଚଳରେ ଥିବା ଏହି ଗ୍ରାମବାସୀ ଙ୍କ ପାଇଁ ସ୍ବାଧୀନତାର ଦୀର୍ଘ ଦିନ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଭଳି ମନେହୁଏ। ତେବେ ସରକାରଙ୍କ ପକ୍ଷରୁ ଏହି ଗାଁକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଗାଁର ଉନ୍ନତି ଦିଗରେ ପ୍ରୟାସ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।
ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

