ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କଲେ ଜିଲ୍ଲାପାଳ; ନଦୀ ଉଭୟ ପାର୍ଶ୍ୱର ମରାମତି ପାଇଁ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ
ନବରଙ୍ଗପୁର:(୧୫ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି) ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି ଇନ୍ଦ୍ରାବତୀ ଜଳଭଣ୍ଡାର ଓ ଖାତିଗୁଡ଼ା ଡ୍ୟାମ୍ ପରିଦର୍ଶନ କରି ଡ୍ୟାମ୍ ଭିତ୍ତିଭୂମିର ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରିବା ସହ ଡ୍ୟାମ୍ ପରିସରର ରକ୍ଷଣାବେକ୍ଷଣ ଓ ଆନୁଷଙ୍ଗିକ ବିକାଶ ସମ୍ପର୍କିତ ବିଷୟଗୁଡ଼ିକର ସମୀକ୍ଷା କରିଥିଲେ।ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଅଧୀନରେ ନିୟୋଜିତ ୪୬ ଜଣ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅବଗତ କରାଯାଇଥିଲା ଯେ, ଉକ୍ତ ୪୬ ଜଣ କର୍ମଚାରୀଙ୍କ ୧୦ ମାସର ବକେୟା ଦରମା ପ୍ରଦାନ ପାଇଁ ଅର୍ଥ ବିଭାଗର ଅନୁମୋଦନ ପାଇଁ ଫାଇଲ୍ ପଠାଯାଇଛି। ଅନୁମୋଦନ ମିଳିବା ପରେ ଖୁବ୍ଶୀଘ୍ର ସମସ୍ତଙ୍କ ଦରମା ପ୍ରଦାନ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେବା ସହ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ୍ ଅଞ୍ଚଳରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ।ଏହାପରେ ନଦୀର ଉଭୟ ପାର୍ଶ୍ୱର ସାମଗ୍ରିକ ବିକାଶ ନିମନ୍ତେ ଏକ ବିସ୍ତୃତ ଡିପିଆର ପ୍ରସ୍ତୁତ ସହ ବିଭାଗକୁ ପ୍ରେରଣ କରିବା ଏବଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ସମ୍ପର୍କିତ ପଦକ୍ଷେପଗୁଡ଼ିକର ତ୍ୱରିତ ଅନୁସରଣ କରିବା ସହ ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସୁନିଶ୍ଚିତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

