ଶ୍ରୀମଦ୍ ଭଗବତ୍ ଗୀତାର ତ୍ରୟୋଦଶ ଅଧ୍ଯାୟର ସାରକଥା-୧୩
ଭଗବାନ୍ ଦ୍ବାଦଶ ଅଧ୍ଯାୟରେ ଭକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି । ସମ୍ଯକ୍ ଜ୍ଞାନ ଲାଭ ନ ହେଲେ ଭକ୍ତି ପୂର୍ଣ୍ଣାଙ୍ଗ ହେବ ନାହିଁ । ଏଣୁ ତ୍ରୟୋଦଶ ଅଧ୍ଯାୟରେ ଭଗବାନ ସେହି ଜ୍ଞାନ ବର୍ଣ୍ଣନା କଲେ । ଶରୀର କ୍ଷେତ୍ର ଓ ଶରୀରସ୍ଥ ଆତ୍ମା କ୍ଷେତ୍ରଜ୍ଞ । ଏହାକୁ ମଧ୍ଯ ପ୍ରକୃତି ଓ ପୁରୁଷ କୁହାଯାଏ । ସମସ୍ତ କ୍ଷେତ୍ରରେ ଭଗବାନ୍ ନିଜେ ମଧ୍ଯ କ୍ଷେତ୍ରଜ୍ଞ ଶରୀରସ୍ଥ ଆତ୍ମା ପରମାତ୍ମାଙ୍କ ଅଂଶ ବିଶେଷ । ଏହି କ୍ଷେତ୍ର ଓ କ୍ଷେତ୍ରଜ୍ଞ ଜ୍ଞାନ ହିଁ ପ୍ରକୃତ ଜ୍ଞାନ । ପଞ୍ଚ ମହାଭୂତ , ଦଶଇନ୍ଦ୍ର , ପଞ୍ଚ ଇନ୍ଦ୍ରିୟ ବିଷୟ , ମନ , ବୁଦ୍ଧି , ଅହଙ୍କାର , ଇଛା , ଦ୍ବେଷ , ସୁଖ ଦୁଃଖ , ଚେତନା ଓ ଧୈର୍ଯ୍ଯ ଏ ସବୁର ସମଷ୍ଟିରେ କ୍ଷେତ୍ର ହୁଏ ।
ଅମାନ୍ବିତ , ଅଦମ୍ଭିତ୍ବ , ଅହିଂସା , କ୍ଷମା , ଆର୍ଜବ , ଗୁରୁସେବା , ଶୌଚ , ସ୍ଥିରତା , ଆତ୍ମ ବିନିଗ୍ରହ , ବୈରାଗ୍ୟ , ଅନହଂକାର , ଜନ୍ମ ମୃତ୍ଯୁ ଜରାବ୍ଯାଧି ଦୁଃଖ ଦୋଷକୁ ଦର୍ଶନ , ସକାମ କର୍ମରେ ଅନାସକ୍ତି , ପୁତ୍ର-ସ୍ତ୍ରୀ ଗୃହାଦିରେ ନିର୍ଲିପ୍ତ , ସର୍ବଦା ସମଚିତ୍ତ , ପରମାତ୍ମାଙ୍କ ଠାରେ ଅଚଳା ଭକ୍ତି , ପବିତ୍ର ସ୍ଥାନରେ ବାସ , ଜନଗହଳିରେ ଅରତି , ସର୍ବଦା , ଆଧ୍ଯାତ୍ମିକ ଜ୍ଞାନ ନିଷ୍ଠା , ତତ୍ତ୍ବଜ୍ଞାନ ପ୍ରୟୋଜନରେ ଆଲୋଚନା-ଏହି କୋଡିଏଟି ଜ୍ଞାନ ଅଟେ । ପରଂବ୍ରହ୍ମ ସତ୍ ନୁହନ୍ତି କି ଅସତ୍ ନୁହନ୍ତି । ତାଙ୍କର ସବୁଆଡେ ହସ୍ତ , ପଦ , ଚକ୍ଷୁ , ଶିର , ମୁଖ , କର୍ଣ୍ଣ ଅଛି । ଏହି ଜଗତରେ ସେ ସମସ୍ତ ବସ୍ତୁ ଓ ଜୀବଙ୍କୁ ଆବୃତ୍ତି କରି ଅବସ୍ଥାନ କରୁଅଛନ୍ତି । ସେ ସମସ୍ତ ଇନ୍ଦ୍ରିୟ ଓ ସେମାନଙ୍କର ଗୁଣର ପ୍ରକାଶକ ; ପୁଣି ସେ ସମସ୍ତ ଇନ୍ଦ୍ରିୟ ଶୂନ୍ଯ । ସେ ସମସ୍ତ ଜୀବମାନଙ୍କର ଭିତରେ ଅଛନ୍ତି ଓ ବାହାରେ ଅଛନ୍ତି । ସେ ଦୂରରେ ଅଛନ୍ତି ଓ ନିକଟରେ ମଧ୍ଯ ଅଛନ୍ତି । ସେ ଅତିଶୟ ସୂକ୍ଷ୍ମ ହୋଇଥିବାରୁ ତାଙ୍କୁ କେହି ଜାଣିପାରୁ ନାହାଁନ୍ତି । ସେ ସମସ୍ତ ଜୀବମାନଙ୍କଠାରେ ଅବସ୍ଥାନ କରୁଥିବାରୁ ବିଭକ୍ତ ପରି ଜଣା ଯାଉଥିଲେ ହେଁ ସେ ଅବିଭକ୍ତ ଓ ଏକ ଅଟନ୍ତି । ସେ ଜ୍ଞାନ , ଜ୍ଞାତବ୍ଯ ଓ ଜ୍ଞାନ ଦ୍ବାରା ଲଭ୍ଯ ଅଟନ୍ତି ।
ପ୍ରକୃତି ଓ ପୁରୁଷ ଅନାଦି । ଦେହ , ଇନ୍ଦ୍ରିୟ , ସୁଖ ଦୁଃଖାଦି ବିକାର ଓ ଗୁଣ ସବୁ ପ୍ରକୃତିରୁ ଉତ୍ପନ୍ନ । କାର୍ଯ୍ୟ କାରଣରେ ପ୍ରକୃତି ହେତୁ ଅଟେ । ପୁରୁଷ ଅକର୍ତ୍ତା ହେଲେ ହେଁ ପ୍ରକୃତି ସଙ୍ଗରେ ଭୋକ୍ତା ସାଜେ । ଏଣୁ ତା’ର ସତ୍ ଓ ଅସତ୍ ଯୋନି ଜନ୍ମ ହୁଏ । ଦେହରେ ପରମାତ୍ମା ମଧ୍ଯ ଅବସ୍ଥାନ କରନ୍ତି । ସେ ଦ୍ରଷ୍ଟା , ଅନୁମନ୍ତା , ଭୋକ୍ତା ଓ ମହେଶ୍ବର ଅଟନ୍ତି । ତାଙ୍କୁ ଚାରି ପ୍ରକାରରେ ଜାଣି ହୁଏ । ଧ୍ଯାନଯୋଗ , ସାଂଖ୍ଯଯୋଗ ଓ କର୍ମଯୋଗ ଦ୍ବାରା ଏ ତିନିପ୍ରକାର କଥା ନ ଜାଣି ଅନ୍ଯମାନଙ୍କଠାରୁ ଶୁଣି ଶ୍ରଦ୍ଧା ଓ ଭକ୍ତିରେ ତାଙ୍କର ଉପାସନା କରି ମଧ୍ଯ ମୁକ୍ତିଲାଭ କରାଯାଇପାରେ-ଏହା ଚତୁର୍ଥ ଉପାୟ ।
ସମସ୍ତ ସ୍ଥାବର ଜଙ୍ଗମ କ୍ଷେତ୍ର କ୍ଷେତ୍ରଜ୍ଞଙ୍କ ସଂ ଯୋଗରୁ ଉତ୍ପନ୍ନ ହୁଏ । ସମସ୍ତ କର୍ମ ପ୍ରକୃତି ଦ୍ବାରା ହୁଏ , ମାତ୍ର ଆତ୍ମା ଅକର୍ତ୍ତା । ସମସ୍ତ ଭୂତରେ ପରମେଶ୍ବର ବିଦ୍ଯମାନ ଥିବାରୁ ପୃଥକ୍ ଜଣା ଯାଉଥିଲେ ହେଁ ସେ ଏକ ଓ ଅଭିନ୍ନ । ତାଙ୍କଠାରୁ ଏ ଜଗତ୍ ବିସ୍ତାର ଲାଭ କରିଛି ଜାଣି ପାରିଲେ ମୁକ୍ତିଲାଭ ହୁଏ । ସେ ନିର୍ଗୁଣ ଓ ଅବ୍ଯୟ ହୋଇଥିବାରୁ କିଛି କରନ୍ତି ନାହିଁ ବା କେଉଁଥିରେ ଲିପ୍ତ ହୁଅନ୍ତି ନାହିଁ ।
କ୍ଷେତ୍ର , କ୍ଷେତ୍ରଜ୍ଞ ଓ ପରମାତ୍ମାଙ୍କ ସମ୍ବନ୍ଧରେ ଏସବୁ ତତ୍ତ୍ବ ଜାଣିପାରିଲେ ସାଧାରଣଙ୍କର ବ୍ରହ୍ମ ପ୍ରାପ୍ତି ହୁଏ । କ୍ଷେତ୍ର ଓ କ୍ଷେତ୍ରଜ୍ଞ ଉଭୟଙ୍କର ପ୍ରଭେଦ ଜ୍ଞାନ ଏ ଅଧ୍ଯାୟରେ ବର୍ଣ୍ଣିତ ହୋଇଥିବାରୁ ଏ ଅଧ୍ଯାୟଟିକୁ କ୍ଷେତ୍ରକ୍ଷେତ୍ରଜ୍ଞ ବିଭାଗ ଯୋଗ କହନ୍ତି ।