ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ତ୍ରୟୋଦଶ ଅଧ୍ଯାୟର ସାରକଥା-୧୩

ଶ୍ରୀମଦ୍ ଭଗବତ୍ ଗୀତାର ତ୍ରୟୋଦଶ ଅଧ୍ଯାୟର ସାରକଥା-୧୩

     ଭଗବାନ୍ ଦ୍ବାଦଶ ଅଧ୍ଯାୟରେ ଭକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି । ସମ୍ଯକ୍ ଜ୍ଞାନ ଲାଭ ନ ହେଲେ ଭକ୍ତି ପୂର୍ଣ୍ଣାଙ୍ଗ ହେବ ନାହିଁ । ଏଣୁ ତ୍ରୟୋଦଶ ଅଧ୍ଯାୟରେ ଭଗବାନ ସେହି ଜ୍ଞାନ ବର୍ଣ୍ଣନା କଲେ । ଶରୀର କ୍ଷେତ୍ର ଓ ଶରୀରସ୍ଥ ଆତ୍ମା କ୍ଷେତ୍ରଜ୍ଞ । ଏହାକୁ ମଧ୍ଯ ପ୍ରକୃତି ଓ ପୁରୁଷ କୁହାଯାଏ । ସମସ୍ତ କ୍ଷେତ୍ରରେ ଭଗବାନ୍ ନିଜେ ମଧ୍ଯ କ୍ଷେତ୍ରଜ୍ଞ ଶରୀରସ୍ଥ ଆତ୍ମା ପରମାତ୍ମାଙ୍କ ଅଂଶ ବିଶେଷ । ଏହି କ୍ଷେତ୍ର ଓ କ୍ଷେତ୍ରଜ୍ଞ ଜ୍ଞାନ ହିଁ ପ୍ରକୃତ ଜ୍ଞାନ । ପଞ୍ଚ ମହାଭୂତ , ଦଶଇନ୍ଦ୍ର , ପଞ୍ଚ ଇନ୍ଦ୍ରିୟ ବିଷୟ , ମନ , ବୁଦ୍ଧି , ଅହଙ୍କାର , ଇଛା , ଦ୍ବେଷ , ସୁଖ ଦୁଃଖ , ଚେତନା ଓ ଧୈର୍ଯ୍ଯ ଏ ସବୁର ସମଷ୍ଟିରେ କ୍ଷେତ୍ର ହୁଏ ।

       ଅମାନ୍ବିତ , ଅଦମ୍ଭିତ୍ବ , ଅହିଂସା , କ୍ଷମା , ଆର୍ଜବ , ଗୁରୁସେବା , ଶୌଚ , ସ୍ଥିରତା , ଆତ୍ମ ବିନିଗ୍ରହ , ବୈରାଗ୍ୟ , ଅନହଂକାର , ଜନ୍ମ ମୃତ୍ଯୁ ଜରାବ୍ଯାଧି ଦୁଃଖ ଦୋଷକୁ ଦର୍ଶନ , ସକାମ କର୍ମରେ ଅନାସକ୍ତି , ପୁତ୍ର-ସ୍ତ୍ରୀ ଗୃହାଦିରେ ନିର୍ଲିପ୍ତ , ସର୍ବଦା ସମଚିତ୍ତ , ପରମାତ୍ମାଙ୍କ ଠାରେ ଅଚଳା ଭକ୍ତି , ପବିତ୍ର ସ୍ଥାନରେ ବାସ , ଜନଗହଳିରେ ଅରତି , ସର୍ବଦା , ଆଧ୍ଯାତ୍ମିକ ଜ୍ଞାନ ନିଷ୍ଠା , ତତ୍ତ୍ବଜ୍ଞାନ ପ୍ରୟୋଜନରେ ଆଲୋଚନା-ଏହି କୋଡିଏଟି ଜ୍ଞାନ ଅଟେ । ପରଂବ୍ରହ୍ମ ସତ୍ ନୁହନ୍ତି କି ଅସତ୍ ନୁହନ୍ତି । ତାଙ୍କର ସବୁଆଡେ ହସ୍ତ , ପଦ , ଚକ୍ଷୁ , ଶିର , ମୁଖ , କର୍ଣ୍ଣ ଅଛି । ଏହି ଜଗତରେ ସେ ସମସ୍ତ ବସ୍ତୁ ଓ ଜୀବଙ୍କୁ ଆବୃତ୍ତି କରି ଅବସ୍ଥାନ କରୁଅଛନ୍ତି । ସେ ସମସ୍ତ ଇନ୍ଦ୍ରିୟ ଓ ସେମାନଙ୍କର ଗୁଣର ପ୍ରକାଶକ ; ପୁଣି ସେ ସମସ୍ତ ଇନ୍ଦ୍ରିୟ ଶୂନ୍ଯ । ସେ ସମସ୍ତ ଜୀବମାନଙ୍କର ଭିତରେ ଅଛନ୍ତି ଓ ବାହାରେ ଅଛନ୍ତି । ସେ ଦୂରରେ ଅଛନ୍ତି ଓ ନିକଟରେ ମଧ୍ଯ ଅଛନ୍ତି । ସେ ଅତିଶୟ ସୂକ୍ଷ୍ମ ହୋଇଥିବାରୁ ତାଙ୍କୁ କେହି ଜାଣିପାରୁ ନାହାଁନ୍ତି । ସେ ସମସ୍ତ ଜୀବମାନଙ୍କଠାରେ ଅବସ୍ଥାନ କରୁଥିବାରୁ ବିଭକ୍ତ ପରି ଜଣା ଯାଉଥିଲେ ହେଁ ସେ ଅବିଭକ୍ତ ଓ ଏକ ଅଟନ୍ତି । ସେ ଜ୍ଞାନ , ଜ୍ଞାତବ୍ଯ ଓ ଜ୍ଞାନ ଦ୍ବାରା ଲଭ୍ଯ ଅଟନ୍ତି ।

     ପ୍ରକୃତି ଓ ପୁରୁଷ ଅନାଦି । ଦେହ , ଇନ୍ଦ୍ରିୟ , ସୁଖ ଦୁଃଖାଦି ବିକାର ଓ ଗୁଣ ସବୁ ପ୍ରକୃତିରୁ ଉତ୍ପନ୍ନ । କାର୍ଯ୍ୟ କାରଣରେ ପ୍ରକୃତି ହେତୁ ଅଟେ । ପୁରୁଷ ଅକର୍ତ୍ତା ହେଲେ ହେଁ ପ୍ରକୃତି ସଙ୍ଗରେ ଭୋକ୍ତା ସାଜେ । ଏଣୁ ତା’ର ସତ୍ ଓ ଅସତ୍ ଯୋନି ଜନ୍ମ ହୁଏ । ଦେହରେ ପରମାତ୍ମା ମଧ୍ଯ ଅବସ୍ଥାନ କରନ୍ତି । ସେ ଦ୍ରଷ୍ଟା , ଅନୁମନ୍ତା , ଭୋକ୍ତା ଓ ମହେଶ୍ବର ଅଟନ୍ତି । ତାଙ୍କୁ ଚାରି ପ୍ରକାରରେ ଜାଣି ହୁଏ । ଧ୍ଯାନଯୋଗ , ସାଂଖ୍ଯଯୋଗ ଓ କର୍ମଯୋଗ ଦ୍ବାରା ଏ ତିନିପ୍ରକାର କଥା ନ ଜାଣି ଅନ୍ଯମାନଙ୍କଠାରୁ ଶୁଣି ଶ୍ରଦ୍ଧା ଓ ଭକ୍ତିରେ ତାଙ୍କର ଉପାସନା କରି ମଧ୍ଯ ମୁକ୍ତିଲାଭ କରାଯାଇପାରେ-ଏହା ଚତୁର୍ଥ ଉପାୟ ।

    ସମସ୍ତ ସ୍ଥାବର ଜଙ୍ଗମ କ୍ଷେତ୍ର କ୍ଷେତ୍ରଜ୍ଞଙ୍କ ସଂ ଯୋଗରୁ ଉତ୍ପନ୍ନ ହୁଏ । ସମସ୍ତ କର୍ମ ପ୍ରକୃତି ଦ୍ବାରା ହୁଏ , ମାତ୍ର ଆତ୍ମା ଅକର୍ତ୍ତା । ସମସ୍ତ ଭୂତରେ ପରମେଶ୍ବର ବିଦ୍ଯମାନ ଥିବାରୁ ପୃଥକ୍ ଜଣା ଯାଉଥିଲେ ହେଁ ସେ ଏକ ଓ ଅଭିନ୍ନ । ତାଙ୍କଠାରୁ ଏ ଜଗତ୍ ବିସ୍ତାର ଲାଭ କରିଛି ଜାଣି ପାରିଲେ ମୁକ୍ତିଲାଭ ହୁଏ । ସେ ନିର୍ଗୁଣ ଓ ଅବ୍ଯୟ ହୋଇଥିବାରୁ କିଛି କରନ୍ତି ନାହିଁ ବା କେଉଁଥିରେ ଲିପ୍ତ ହୁଅନ୍ତି ନାହିଁ ।

     କ୍ଷେତ୍ର , କ୍ଷେତ୍ରଜ୍ଞ ଓ ପରମାତ୍ମାଙ୍କ ସମ୍ବନ୍ଧରେ ଏସବୁ ତତ୍ତ୍ବ ଜାଣିପାରିଲେ ସାଧାରଣଙ୍କର ବ୍ରହ୍ମ ପ୍ରାପ୍ତି ହୁଏ । କ୍ଷେତ୍ର ଓ କ୍ଷେତ୍ରଜ୍ଞ ଉଭୟଙ୍କର ପ୍ରଭେଦ ଜ୍ଞାନ ଏ ଅଧ୍ଯାୟରେ ବର୍ଣ୍ଣିତ ହୋଇଥିବାରୁ ଏ ଅଧ୍ଯାୟଟିକୁ କ୍ଷେତ୍ରକ୍ଷେତ୍ରଜ୍ଞ ବିଭାଗ ଯୋଗ କହନ୍ତି ।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

Sunil Chandra Nayak

ଭୋଟ ଗଣନା ରେ ସାମ୍ବାଦିକ ମାନଙ୍କୁ ଅବହେଳା

Sunil Chandra Nayak

ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ

Leave a Comment

error: Content is protected !!