ରାଉରକେଲା ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ସ୍ୱାଗତ ଉତ୍ସବ ଇକୋ ଭାଇବ୍ସ ଅନୁଷ୍ଠିତ
ରାଉରକେଲା : ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ଅର୍ଥନୀତି ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ବାଗତ ଉତ୍ସବ ପରିବେଶ ଅନୁକୂଳ ଅନୁଭୁତି,ନୁତନ ଯାତ୍ରାରମ୍ଭ,ନୁତନ ବନ୍ଧୁ,ନୂତନ ସ୍ମୃତି ସମୂହ(‘Eco Vibes – New Journey, New Friends, New Memories’) ଶୀର୍ଷକରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ଦୀପ ପ୍ରଜ୍ଜ୍ୱଳନ, ପୁଷ୍ପଗୁଚ୍ଛ ଓ ବ୍ୟାଜ୍ ପ୍ରଦାନ କରାଯାଇଥିଲା। ଛାତ୍ର ୱାଲ୍ଟର ଗୁଡିଆ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ, “ଅର୍ଥନୀତି କେବଳ ଏକ ବିଷୟ ନୁହେଁ, ଏହା ହେଉଛି ଜୀବନକୁ ବୁଝିବାର କଳା। ଆମ ପ୍ରତିଦିନର ନିଷ୍ପତ୍ତି ସବୁ ଅର୍ଥନୀତି ସହ ଜଡ଼ିତ। ଆଜି ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରାଷ୍ଟ୍ର ଭାବେ ପରିଗଣିତ । ଏହି ବିକାଶରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅର୍ଥନୀତି ତୁମକୁ କେବଳ ଚାକିରି ଦେବ ନାହିଁ, ଜୀବନରେ ସଠିକ୍ ନିଷ୍ପତ୍ତି ନେବାର ଶକ୍ତି ଦେବ।” ଏହି ଅବସରରେ ବିଭାଗୀୟ ମୁଖ୍ୟ ପ୍ରଫେସର ବୈଜୟନ୍ତୀ ବାରିକ, ପ୍ରଫେସର ସୁଶାନ୍ତ ପଟେଲ, ପିଜିଟି ଅନମୋଲ ବାରୁ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ପରେ ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳ ଓ ପାରସ୍ପରିକ ପରିଚୟ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରଛାତ୍ରୀ ଶୁଭମ ମଲ୍ଲିକ, ଆର୍ଯ୍ୟନ ପ୍ରଖର, ସୁଚିସ୍ମିତା ପ୍ରଧାନ, ପ୍ରେମିକା ଓରାମ, ମୋନାଲିସା କୁଲୁ ଓ ପ୍ରିୟଙ୍କା କିସପଟ୍ଟା, ରମ୍ୟ ରାଧିକା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆର୍ଯ୍ୟନ ପ୍ରଖର ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

