ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଏନଏସି ଦେଇ ଯାଉଥିବା ଏନଏଚ୍-୧୩୦ସି ଦୁଇ ବ୍ୟବସ୍ଥିତ କଡ଼ରେ ଡ୍ରେନ ନିର୍ମାଣ ପାଇଁ ଦାବୀ ଜୋରଦାର

ଧର୍ମଗଡ଼ ଏନଏସି ଦେଇ ଯାଉଥିବା ଏନଏଚ୍-୧୩୦ସି ଦୁଇ ବ୍ୟବସ୍ଥିତ କଡ଼ରେ ଡ୍ରେନ ନିର୍ମାଣ ପାଇଁ ଦାବୀ ଜୋରଦାର

– ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଲେ ଧର୍ମଗଡ଼ ବିଧାୟକ
– ସହରବାସୀ ଏବଂ ଏନଏସି ପକ୍ଷରୁ ମଧ୍ୟ ପ୍ରକାଶ ପାଇଲା ଦାବୀ

ଧର୍ମଗଡ଼ :ବର୍ଷା ଜଳ ଜମି ରହିବାରୁ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାରୁ ସ୍ଥାୟୀ ମୁକ୍ତି ପାଇଁ ଧର୍ମଗଡ଼ ସହର ଦେଇ ଯାଉଥିବା ଜାତୀୟ ରାଜପଥ (୧୩୦ସି) ର ଉଭୟ ପାର୍ଶ୍ୱରେ ଉପଯୁକ୍ତ ନାଳ (ଡ୍ରେନେଜ୍) ବ୍ୟବସ୍ଥା ନିର୍ମାଣ କରିବା ପାଇଁ ଦାବୀ ଜୋର ଧରିଛି। ଏନେଇ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଓ ଏନଏସି ପକ୍ଷରୁ ଜାତୀୟ ରାଜପଥ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଦାବୀପତ୍ର ଦିଆଯିବା ସହ ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ ଯେ, ଧର୍ମଗଡ଼ ଉପଖଣ୍ଡ ସହରଟି ଛତିଶଗଡ଼ ରାଜ୍ୟର ଦେଓଭୋଗ ଉପଖଣ୍ଡ ଏବଂ ଓଡ଼ିଶାର ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହି ସହରକୁ ବାଣିଜ୍ୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଆଖପାଖ ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ବହୁସଂଖ୍ୟାରେ ଲୋକଙ୍କ ଯାତାୟାତ ବୃଦ୍ଧି ପାଉଛି। ତେବେ ରାସ୍ତା ପାର୍ଶ୍ୱରେ ବ୍ୟବସ୍ଥିତ ନାଳ ବ୍ୟବସ୍ଥା ନଥିବାରୁ ପ୍ରବଳ ବର୍ଷା ସମୟରେ ଏନଏଚ୍-୧୩୦ସି ର ଉଭୟ ପାର୍ଶ୍ୱରେ ବର୍ଷାଜଳ ଜମି ରହୁଛି। ଫଳରେ ପଥଚାରୀ, ଯାତ୍ରୀ, ସ୍ଥାନୀୟ ଦୋକାନୀ ଏବଂ ବାସିନ୍ଦାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଜଳବନ୍ଦୀ ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଜନସାଧାରଣଙ୍କ ଏହି ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ଏକ ବିସ୍ତୃତ ଡି.ପି.ଆର୍. (DPR) ପ୍ରସ୍ତୁତ କରିବାକୁ ଏବଂ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି। ସେହିପରି ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ନେତୃତ୍ୱରେ ସହରବାସୀଙ୍କ ଏକ ସ୍ୱାକ୍ଷରିତ ଦାବୀପତ୍ର ଜାତୀୟ ରାଜପଥ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ, ଧର୍ମଗଡ ଏନ୍.ଏ.ସି. କାଉନସିଲ୍ ବୈଠକରେ ମଧ୍ୟ ଏହି ପ୍ରସଙ୍ଗରେ ଏକ ପ୍ରସ୍ତାବ ଗୃହୀତ ହୋଇ ଜାତୀୟ ରାଜପଥ ର ଦୁଇ କଡ଼ରେ ବ୍ୟବସ୍ଥିତ ଡ୍ରେନ୍ କରାଯିବା ନେଇ ବିଭାଗକୁ ପତ୍ର ଲେଖାଯାଇଛି। ସହରର ଏହି ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ କିଛିଦିନ ପୂର୍ବରୁ ଜାତୀୟ ରାଜପଥ ବିଭାଗ ପକ୍ଷର ବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାର ସରଜମିନ ଅନୁଧ୍ୟାନ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଏହି ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା ଉପରେ ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାମ୍ବିଧାନିକ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ମହିଳାଙ୍କୁ ସ୍ବର ଉତ୍ତାେଳନ କରିବାର ସମୟ ଆସିଛି

Sunil Chandra Nayak

ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ଦୁର୍ଘଟଣା ରେ ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!