୮୦ କୋଟି ଟଙ୍କା ଆର୍ଥିକ ଅନିୟମିତତା ମାମଲା
ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ବାସଭବନରେ ଇଓଡବ୍ଲ୍ୟୁର ଚଢ଼ାଉ
୨୧ ଜଣିଆ ସ୍ୱତନ୍ତ୍ର ଟିମ୍ର ଛାନ୍ଭିନ୍; ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ, ସହାୟକଙ୍କୁ ପଚରାଉଚରା
ରାୟଗଡ଼ା, ୬/୧୧ (ଓ-ଖବର): ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ଆର୍ଥିକ ଅନିୟମିତତା ଓ ଆତ୍ମସାତ୍ ଅଭିଯୋଗ ମାମଲାରେ ତଦନ୍ତକୁ ଜୋର୍ଦାର କରିଛି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଏହି କ୍ରମରେ ଶୁକ୍ରବାର ସକାଳେ ରାୟଗଡ଼ା ସହରର ରାଣିଗୁଡ଼ାସ୍ଥିତ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବାସଭବନରେ ଇଓଡବ୍ଲ୍ୟୁ ଟିମ୍ ଅତର୍କିତ ଚଢ଼ାଉ କରିଛି। ଦୀର୍ଘ ସମୟ ଧରି ଘର ଭିତରେ ତଲାସି ଓ ନଥିପତ୍ର ଯାଞ୍ଚ ଜାରି ରହିଥିବାବେଳେ ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି।
ଅତିରିକ୍ତ ଏସ୍ପି ଆଶିଷ କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୨୧ ଜଣିଆ ସ୍ୱତନ୍ତ୍ର ଟିମ୍ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏଥିରେ ଡିଏସ୍ପି ଓ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ରହିଛନ୍ତି। ଘରେ ଥିବା ବିଭିନ୍ନ ଦସ୍ତାବିଜ୍, ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟକୁ ଟିମ୍ ଯାଞ୍ଚ କରୁଥିବା ଜଣାପଡ଼ିଛି। ଏଥିସହ ବାସଭବନରେ ଉପସ୍ଥିତ କିଛି ସହାୟକଙ୍କୁ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ପଚରାଉଚରା କରୁଛନ୍ତି।
ସୂଚନା ଅନୁଯାୟୀ, ଏହି ମାମଲାର ତଦନ୍ତ ପାଇଁ ଗତ ବୁଧବାର ଇଓଡବ୍ଲ୍ୟୁର ଏକ ପ୍ରାରମ୍ଭିକ ଟିମ୍ ରାୟଗଡ଼ାରେ ପହଞ୍ଚି ସ୍ଥାନୀୟ ପୁଲିସଠାରୁ ମାମଲା ସମ୍ପର୍କିତ କାଗଜପତ୍ର ଓ ତଥ୍ୟ ସଂଗ୍ରହ କରିଥିଲା। ପରବର୍ତ୍ତୀ ସମୟରେ ଗୁରୁବାର ଅଧିକ ଅଧିକାରୀଙ୍କୁ ନେଇ ଆଉ ଏକ ଟିମ୍ ପହଞ୍ଚି ତଦନ୍ତର ଦିଗକୁ ବ୍ୟାପକ କରିଥିଲା। ଦୁଇ ଦିନ ଧରି ଆର୍ଥିକ କାରବାରର ବିଭିନ୍ନ ଦିଗ ଅନୁଧ୍ୟାନ କରିବା ପରେ ଶୁକ୍ରବାର ସକାଳେ ସିଧାସଳଖ ପୂର୍ବତନ ସାଂସଦଙ୍କ ବାସଭବନରେ ତଲାସି ଆରମ୍ଭ କରାଯାଇଛି।
ପ୍ରକାଶ ଥାଉକି, ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କରି ସଂଘର ତତ୍କାଳୀନ ସଭାପତି ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କ ବିରୋଧରେ ରାୟଗଡ଼ା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୁଲିସ ପରବର୍ତ୍ତୀ ସମୟରେ ଏହାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରିଥିଲା।
ତେବେ ଚଢ଼ାଉ ସମୟରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ରାୟଗଡ଼ାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ତଦନ୍ତର ପ୍ରାଥମିକ ପର୍ଯ୍ୟାୟ ଚାଲିଥିବାରୁ ଚଢ଼ାଉରୁ ଆସିବାର ସମ୍ଭାବନା ରହିଛି।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

