ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଦ୍ଦଶ ଅଧ୍ଯାୟର ସାରକଥା-୧୪
ପ୍ରକୃତି ନିଜେ ସୃଷ୍ଟି କରେ ନାହିଁ । ପରମାତ୍ମାଙ୍କ ସଂକଳ୍ପରେ ପ୍ରକୃତିରେ ସୃଷ୍ଟି କ୍ରିୟା ହୋଇଥାଏ । ସୃଷ୍ଟି କ୍ରିୟାରେ ପ୍ରକୃତି ମାତ ରୂପିଣୀ ଓ ପରମେଶ୍ବର ପିତା ସଦୃଶ ଅଟନ୍ତି । ସତ୍ତ୍ବ,ରଜଃ, ତମଃ-ଏହି ତିନିଗୁଣ ପ୍ରକୃତିରୁ ଜାତ ଏବଂ ଜୀବାତ୍ମାକୁ -ସଂସାରରେ ବାନ୍ଧି ରଖେ । ସତ୍ତ୍ବ ଗୁଣର ଧର୍ମ ପ୍ରକାଶ ବା ଜ୍ଞାନ ।ଏଥିରେ ମନୁଷ୍ୟ ସୁଖ ଭୋଗକରେ । ରଜଃ ଗୁଣର ଧର୍ମ ରାଗାତ୍ମକ । ତାହା ତୃଷ୍ଣା ଓ ଆସକ୍ତି ବଢାଏ ଏବଂ ଜୀବାତ୍ମାକୁ କର୍ମବନ୍ଧନରେ ପକାଏ । ତମଃ ଗୁଣର ଧର୍ମ ଅଜ୍ଞାନ ଓ ମୋହ । ତାହା ନିଦ୍ରା,ଆଳସ୍ଯ ଓ ପ୍ରମାଦ ବଢାଏ । ପ୍ରତ୍ଯେକ ଜୀବଠାରେ ଏହି ତିନୋଟିଯାକ ଗୁଣ ଥାଆନ୍ତି । ମନୁଷ୍ୟ ସତ୍ତ୍ବଗୁଣର ଆଧିକ୍ଯରେ ସାତ୍ତ୍ଵିକ, ରଜଃ ଗୁଣର ଆଧିକ୍ଯରେ ରାଜସିକ ଓ ତମଃ ଗୁଣର ଆଧିକ୍ଯରେ ତାମସିକ ବୋଲି କଥିତ ହୁଅନ୍ତି । ସତ୍ତ୍ବ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ଜୀବାତ୍ମା ସ୍ବର୍ଗାଦି ଉଚ୍ଚସ୍ଥାନ ଲାଭ କରେ । ରଜଃ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ମନୁଷ୍ୟ ଯୋନି ଏବଂ ତମଃ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ପଶୁପକ୍ଷୀ ପ୍ରଭୃତି ନୀଚ ଯୋନି ପ୍ରାପ୍ତ ହୁଏ ।
ସତ୍ତ୍ବଗୁଣର ବୃଦ୍ଧିରେ ସ୍ବର୍ଗଲାଭ ହୁଏ ସତ ହେଲେ ମୁକ୍ତି ମିଳେ ନାହିଁ । ତ୍ରିଗୁଣାତୀତ ହୋଇପାରିଲେ ଜୀବାତ୍ମା ମୁକ୍ତି ଲାଭ କରେ । ଦେହ ଥିବାଯାଏ ପ୍ରକୃତିର କାର୍ଯ୍ୟ ଚାଲିଥାଏ । ଯେଉଁ ବ୍ଯକ୍ତି ପ୍ରକୃତିର କାର୍ଯ୍ୟରେ ଉଦାସୀନ ହୋଇ ସୁଖଦୁଃଖରେ ସମ, ମାଟି ପଥର ସୁନାରେ ସମଜ୍ଞାନ (ନିର୍ଲୋଭ) , ନିନ୍ଦା ପ୍ରଶଂସାରେ ସମ , ପ୍ରିୟ ଅପ୍ରିୟରେ ସମ , ଶତ୍ରୁମିତ୍ରରେ ସମ ତଥା ମାନ ଅପମାନରେ ସମଚିତ୍ତ ରହନ୍ତି ତାଙ୍କୁ ଗୁଣାତୀତ କୁହାଯାଏ । ଅଚଳା ଭକ୍ତିରେ ପରମେଶ୍ବରଙ୍କର ରଣାପନ୍ନହେଲେ ବ୍ଯକ୍ତି ସହଜରେ ତ୍ରିଗୁଣାତୀତ ହୋଇପାରେ । ବାସୁଦେବ ଶ୍ରୀକୃଷ୍ଣ ନିର୍ଗୁଣ ବ୍ରହ୍ମଙ୍କର , ଅବ୍ଯୟମୋକ୍ଷର ସନାତନ ଧର୍ମର ଓ ସମସ୍ତ ସୁଖର ସାକାର ମୂର୍ତ୍ତି । ତାଙ୍କୁ ଅଚଳା ଭକ୍ତିରେ ପୂଜା ଅର୍ଚ୍ଚନା କଲେ ମନୁଷ୍ୟ ତ୍ରିଗୁଣାତୀତ ହୋଇ ମୁକ୍ତି ଲାଭ କରେ ।
ଏ ଅଧ୍ଯାୟରେ ସତ୍ତ୍ବ,ରଜଃ, ତମଃ-ଏହି ତିନିଗୁଣ ତଥା ସେମାନଙ୍କର ପାର୍ଥକ୍ୟ ବିଷୟରେ ଆଲୋଚନା କରାଯାଇଥିବାରୁ ଏ ଅଧ୍ଯାୟର ନାମ ଗୁଣ-ତ୍ରୟ-ବାଭାଗ ରଖାଯାଇଅଛି ।