ଜୁନାଗଡ଼ ବାଇପାସ୍ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ, ୭ ଦିନ ମଧ୍ୟରେ ସରକାରୀ ଘୋଷଣା ନହେଲେ ୨୦ ନଭେମ୍ବରରୁ ଅନିର୍ଦ୍ଧିଷ୍ଟ କାଳୀନ ଗଣଧାରଣା ଚେତାବନୀ
ଜୁନାଗଡ଼:୧୨/୧୧(ମନୀ ସ) ଜୁନାଗଡ଼ ସହରରେ ବାଇପାସ୍ ରାସ୍ତା ନିର୍ମାଣ ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ଜୁନାଗଡ଼ ବାଇପାସ୍ ଆନ୍ଦୋଳନର ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବାଇପାସ୍ ରାସ୍ତା ନିର୍ମାଣ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଜୁନାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଦିନକୁ ଦିନ ଯାନବାହନ ଚଳାଚଳ ବୃଦ୍ଧି, ଟ୍ରାଫିକ୍ ସମସ୍ୟା ଓ ବଢ଼ୁଥିବା ଦୁର୍ଘଟଣା ଯୋଗୁଁ ଜନସାଧାରଣ ଭୋଗୁଥିବା ଅସୁବିଧା ସମ୍ପର୍କରେ ଅବଗତ କରାଯାଇଛି। ସହରବାସୀଙ୍କ ଜୀବନ ସୁରକ୍ଷା ଓ ଯାତାୟାତର ସୁବିଧା ପାଇଁ ବାଇପାସ୍ ରାସ୍ତା ନିର୍ମାଣ ଅତ୍ୟନ୍ତ ଜରୁରୀ ବୋଲି ଦାବି କରାଯାଇଛି।
ଏଥିସହ ଆଗାମୀ ୭ ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ ବାଇପାସ୍ ନିର୍ମାଣ ସମ୍ପର୍କରେ କୌଣସି ସ୍ପଷ୍ଟ ଘୋଷଣା ନହେଲେ, ଆସନ୍ତା ୨୦ ନଭେମ୍ବର ୨୦୨୬ ଠାରୁ ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ସହ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଜୁନାଗଡ଼ର ନବନିର୍ମିତ ନୂତନ ବସ୍ଷ୍ଟାଣ୍ଡ ପରିସରରେ ଆୟୋଜିତ ତୃତୀୟ ପର୍ଯ୍ୟାୟ ବୈଠକରେ ଆନ୍ଦୋଳନକୁ ସୁସଂଗଠିତ ଭାବେ ପରିଚାଳନା ପାଇଁ ପ୍ରଭାତ କୁମାର ଦାଶଙ୍କୁ ଆବାହକ ଏବଂ ଲଳିତ ଅଗ୍ରୱାଲଙ୍କୁ ସହ-ଆବାହକ ଭାବେ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଗଣମାଧ୍ୟମ ପରିଚାଳନା ଦାୟିତ୍ୱ ସନ୍ତୋଷ ସିଂହ ଓ ପୂର୍ଣ୍ଣେନ୍ଦୁ ମାଝୀଙ୍କୁ ପ୍ରଦାନ କରାଯାଇଥିଲା।
ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତା, ଆଇନଜୀବୀ, ଶିକ୍ଷାବିତ୍, ବ୍ୟବସାୟୀ, ଟ୍ରକ୍ ମାଲିକ ସଂଘର ପ୍ରତିନିଧି ଓ ବହୁ ବୁଦ୍ଧିଜୀବୀ ଯୋଗଦେଇ ଜୁନାଗଡ଼ର ବିକାଶ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବାଇପାସ୍ ନିର୍ମାଣକୁ ଏକମାତ୍ର ସ୍ଥାୟୀ ସମାଧାନ ବୋଲି ମତ ପ୍ରକାଶ କରିଥିଲେ।
ଜୁନାଗଡ଼ବାସୀଙ୍କ ସୁରକ୍ଷା, ସହରର ବିକାଶ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ବାଇପାସ୍ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

