କାର୍ତ୍ତିକ ମାସରେ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଆକାଶ ଦୀପ ଉଠା ନୀତି ପାଳିତ
ଢେଙ୍କାନାଳ: ପବିତ୍ର କାର୍ତ୍ତିକ ମାସ ଅବସରରେ ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ପ୍ରସିଦ୍ଧ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପାଳିତ ହେଉଛି ପାରମ୍ପରିକ ଆକାଶ ଦୀପ ଉଠା ନୀତି। ମହାକାର୍ତ୍ତିକ ବ୍ରତର ବିଭିନ୍ନ ନୀତିକାନ୍ତି ସହ ପ୍ରତ୍ୟେକ ସନ୍ଧ୍ୟାରେ ଆଳତି ପରେ ମନ୍ଦିର ଉପରକୁ ଆକାଶ ଦୀପ ଉଠାଯାଉଛି।ଏହି ପବିତ୍ର ନୀତି ଏକ ମାସ ଧରି ଚାଲୁ ରହିବା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହାର ଉଦଯାପନ ହେବ। ଏହି ଅବସରରେ ପୂଜକ ମନସୁମନ୍ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କହାଳିଆ ଟିକନ୍ ବେହେରା ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ନୀତି ସମ୍ପନ୍ନ ହେଉଛି।
ସନ୍ଧ୍ୟା ସମୟରେ ଆକାଶ ଦୀପ ଦର୍ଶନ କରିବା ସହ ପ୍ରଭୁଙ୍କ ଆଶୀର୍ବାଦ ଲାଭ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଘଣ୍ଟ, ଘଣ୍ଟା ଓ ଭକ୍ତିମୟ ପରିବେଶ ମଧ୍ୟରେ ଏହି ପାରମ୍ପରିକ ନୀତି ମନ୍ଦିର ପରିସରକୁ ଆଧ୍ୟାତ୍ମିକ ଭାବଧାରାରେ ଭରିଦେଉଛି।କାର୍ତ୍ତିକ ମାସର ଏହି ପବିତ୍ର ପରମ୍ପରା ଭକ୍ତି, ଆସ୍ଥା ଓ ଧାର୍ମିକ ଚେତନାର ଏକ ସୁନ୍ଦର ପ୍ରତୀକ ହୋଇ ରହିଛି।
ପିଏମ୍ ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ଢେଙ୍କାନାଳ ପିଏମ୍ ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି ଶିଶୁ ଦିବସ।
ପ୍ରଥମେ ବିଦ୍ୟାଳୟର ପଞ୍ଚସଖାଙ୍କୁ ମାଲ୍ୟାର୍ପଣ କରାଯିବା ସହିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି ଦେହୁରୀ, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ଏଚ୍ଏମ୍ସି ସଦସ୍ୟ ସଦସ୍ୟା, ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳନ କରାଯାଇଥିଲା।
ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଶିଶୁ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ, ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ହସ, ଖୁସି, ଶିକ୍ଷା ଓ ସାମଗ୍ରିକ ବିକାଶ ଉପରେ ହିଁ ଦେଶର ଉନ୍ନତି ନିର୍ଭର କରେ। ତେଣୁ ପିଲାମାନେ କେବଳ ଆଜି ନୁହେଁ, ପ୍ରତିଦିନକୁ ସ୍ୱତନ୍ତ୍ର କରିବା ସହ ମହାପୁରୁଷମାନଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବା ଉଚିତ୍। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଶିଶୁମାନଙ୍କ ପ୍ରତି ତାଙ୍କର ଭଲପାଇବା ଓ ସ୍ନେହକୁ ଏହି ଦିବସ ମନେ ପକାଇଦିଏ।ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଛାତ୍ରୀମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ ଉତ୍ସବର ସମାପନ କରାଯାଇଥିଲା।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

