କଳାହାଣ୍ଡିର ବିରଜା ପ୍ରସାଦ ପଣ୍ଡାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଓ ‘ଭାରତ ଗୌରବ ସମ୍ମାନ’
ଶ୍ରୀକ୍ଷେତ୍ର ପୁରୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିତ୍ୱ ବିରଜା ପ୍ରସାଦ ପଣ୍ଡାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଏବଂ ମର୍ଯ୍ୟାଦାଜନକ ‘ଭାରତ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି।
ମସ୍କୋ ରିସର୍ଚ୍ଚ ୟୁନିଭର୍ସିଟି (Moscow Research University) ଏବଂ କ୍ରେଡନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ (Credon Media Pvt. Ltd.)ର ମିଳିତ ଆନୁକୂଲ୍ୟରେ ପୁରୀଠାରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। କଳାହାଣ୍ଡି ଅଞ୍ଚଳରେ ବିଗତ ୧୫ ବର୍ଷ ଧରି ‘ସ୍ୱସ୍ତି ହେଲଥ କେୟାର ସର୍ଭିସେସ୍’ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିଚାଳନା ତଥା ଯୁବ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମସ୍କୋ ରିସର୍ଚ୍ଚ ୟୁନିଭର୍ସିଟି ପକ୍ଷରୁ ତାଙ୍କୁ ‘ହେଲଥକେୟାର ଆଡମିନିଷ୍ଟ୍ରେସନ୍ ଆଣ୍ଡ ୟୁଥ୍ ଏମ୍ପାୱାରମେଣ୍ଟ’ (Healthcare Administration & Youth Empowerment) ବିଭାଗରେ ଏହି ସମ୍ମାନସୂଚକ ପିଏଚ୍.ଡି (Ph.D.) ଉପାଧି ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିବା ବେଳେ, ସମଗ୍ର କଳାହାଣ୍ଡି ଜିଲ୍ଲାରୁ ବିରଜା ପ୍ରସାଦ ପଣ୍ଡା ଏକମାତ୍ର ପ୍ରତିନିଧି ଭାବେ ଏହି ଗୌରବ ଅର୍ଜନ କରିଛନ୍ତି। ବିଶେଷ କରି ସର୍ବଭାରତୀୟ ସ୍ତରରେ ପ୍ରଦତ୍ତ ‘ଭାରତ ଗୌରବ ସମ୍ମାନ’ ପାଇବାରେ ସେ ଜଣେ ମାତ୍ର ବ୍ୟକ୍ତି ହୋଇଥିବାରୁ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ବୋଲି ଚର୍ଚ୍ଚା ହେଉଛି।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

