ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଶାନ୍ତିପୁର ନିତାଇଗୌର ଆଶ୍ରମ ଠାରେ ଅନ୍ନକୋଟି ମହୋତ୍ସବ ଓ ଗୋଷ୍ଠାଷ୍ଟମୀ ପୂଜା ,୨- ଗୋପାଷ୍ଟମୀରେ ଗୋମାତାଙ୍କ ପୂଜାର୍ଚ୍ଚନା! , ୩-କାର୍ତ୍ତିକ ସୋମବାର ବିଛା ସଂକ୍ରାନ୍ତି ରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ,୪- ଢେଙ୍କାନାଳ ଜିଲ୍ଲା ଇ.ପି.ଏଫ୍. ପେନସନ ଭୋଗୀଙ୍କ ଦାବୀ ଦିବସ ପାଳିତ

ଶାନ୍ତିପୁର ନିତାଇଗୌର ଆଶ୍ରମ ଠାରେ ଅନ୍ନକୋଟି ମହୋତ୍ସବ ଓ ଗୋଷ୍ଠାଷ୍ଟମୀ ପୂଜା

ଢେଙ୍କାନାଳ, ୧୭/୧୧: ଢେଙ୍କାନାଳ ସପ୍ତଶଯ୍ୟା ପାଦଦେଶରେ ଅବସ୍ଥିତ ଶାନ୍ତିପୁର ନିତାଇଗୌର ଆଶ୍ରମ ଠାରେ ଅନୁକୋଟି ମହୋତ୍ସବ, ଗିରରାଜ ପୂଜା ଓ ଗୋଷ୍ଠାଷ୍ଟମୀ ପୂଜା ସହିତ ଛପନଭୋଗ ଲାଗି ହୋଇଥିଲା । ଗତ ଦଶବର୍ଷ ଧରି ଆଂଚଳିକ ଗ୍ରାମବାସୀ ତଥା ଦୂର ଦୂରାନ୍ତରୁ ବହୁ ଭକ୍ତଙ୍କ ସହଯୋଗରେ ଚଳିତ ବର୍ଷ ମହାଆଡମ୍ବର ସହିତ ପାଳିତ ହୋଇଯାଇଅଛି । ଆଶ୍ରମରେ ଗାଈମାନଙ୍କୁ ଚନ୍ଦନ, ସିନ୍ଦୂର, ପୁଷ୍ପ, ଦୀପ ଓ ଧୂପ ସହିତ ପୂଜା କରିବା ସହିତ ଖାଦ୍ୟ ଅର୍ପଣ କରାଯାଇଥିଲା । ଏହି ସମାରୋହରେ ବହୁ ମାନ୍ୟଗଣ୍ୟ ସାଧୁସନ୍ଥମାନଙ୍କର ସମାଗମ ମଧ୍ୟ ହୋଇଥିଲା । ଆଶ୍ରମର ପୂଜ୍ୟ ବାବା ମହାରାଜ ପେମାନନ୍ଦ ମହାରଜ, ମହନ୍ତ ସନାତନ ଦାସ ମହାରାଜ ଓ ବାବାଜୀ କାହ୍ନୁଚରଣ ଦାସ, ଶ୍ରୀଧର ଦାସ ମହାରାଜ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ଦାୟିତ୍ଵର ସହ ନିର୍ବାହ କରିଥିଲେ । ଏହି ପବିତ୍ର ଦିନରେ ଭଗବାନ ଶ୍ରୀକୃଷ୍ଣ ପ୍ରଥମ ଥର ପାଇଁ ଗୋବତ୍ସାମାନଙ୍କୁ ଧରି ଗୋଚାରଣ ପାଇଁ ବନକୁ ଯାଇଥିଲେ | ଏହି ଦିନର ମହତ୍ୱ ହେଲା ଭଗବାନ ଇନ୍ଦ୍ରଙ୍କ କବଳରୁ ସଭିଙ୍କୁ ରକ୍ଷା କରିବା ପାଇଁ ଗୋବର୍ଦ୍ଧନ ପର୍ବତକୁ ନିଜ ଆଙ୍ଗୁଳିରେ ଧାରଣ କରିଥିଲେ । ୭ଦିନ ଧରି ସଭିଙ୍କୁ ଇନ୍ଦ୍ରଙ୍କ କବଳରୁ ରକ୍ଷା କରି ନିଜେ ଅଖୁଆ, ଅନିଦ୍ରା ରହିଥିଲେ । ତେଣୁ ସମସ୍ତେ ଭକ୍ତ ପ୍ରଭୁଙ୍କ ପାଇଁ ନିଜ ହସ୍ତରେ ଖାଦ୍ୟ ପ୍ରସ୍ତୁତ କରି ଭୋଗ ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ଶ୍ୟାମସୁନ୍ଦର ଦାସ, ବଂଶୀଧର ଦାସ ମହାରାଜା, କଟକର ଦିନ ଦୟାଲ ବାବା ରଘୁନାଥ ଦାସ ମହାରାଜା, ଭୁବନେଶ୍ୱରରୁ ଭକ୍ତ ଚରଣ ଦାସ ଓ ଶ୍ୟାମ ସୁନ୍ଦର ଦାସ ଉପସ୍ଥିତ ଥିଲେ । ଢେଙ୍କାନାଳ ଯାଉଁଳୀ ପୋଖରୀ ମଠର ମହନ୍ତ ପ୍ରଭୁପାଦ ଦାସ ମଧ୍ଯ ଯୋଗଦେଇଥିଲେ। ଆଶ୍ରମର ପଦ୍ମଲାଭ ବାରିକ, ସଞ୍ଜୟ କୁମାର ସାହୁ, ସୁରେଶ କୁମାର ସାହୁ, ନିରାକାର ଦାସ, ମନ୍ଦରଧର ମହାରଣା, ଯୋଗେନ୍ଦ୍ର ସାହୁ ଓ ବିଷ୍ଣୁ ଚରଣ ଗୋଛି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମଧ୍ୟାହ୍ନରେ ଭକ୍ତମାନେ ପ୍ରସାଦସେବନ କରିଥିଲେ ।

ଗୋପାଷ୍ଟମୀରେ ଗୋମାତାଙ୍କ ପୂଜାର୍ଚ୍ଚନା! 

ଗୋମାତାଙ୍କ ଆରାଧନାରେ ଭକ୍ତିମୟ ହେଲା ଢେଙ୍କାନାଳର ଲକ୍ଷ୍ମୀ ବଜାର। ପବିତ୍ର ଗୋପାଷ୍ଟମୀ ଅବସରରେ ଏଠାରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଗୋମାତାଙ୍କ ପୂଜା। ଏହି ଅବସରରେ ଉଷା ଅଗ୍ରୱାଲ ଗୋମାତାଙ୍କୁ ଚନ୍ଦନ, ସିନ୍ଦୂର, ବସ୍ତ୍ର ଓ ପୁଷ୍ପ ଅର୍ପଣ କରିବା ସହ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ଏଥିସହ ଗୋମାତାଙ୍କୁ ବିଭିନ୍ନ ଖାଦ୍ୟ ମଧ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ଉଷା ଅଗ୍ରୱାଲ କହିଥିଲେ, ଗୋପାଷ୍ଟମୀ ହେଉଛି ଗୋମାତାଙ୍କ ସେବା ଓ ପୂଜା କରିବାର ଏକ ପବିତ୍ର ଦିନ। ଗୋମାତାଙ୍କ ସେବା କଲେ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ତେଣୁ ସମସ୍ତେ ଗୋମାତାଙ୍କ ସେବା ଓ ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ। ଗୋମାତାଙ୍କ ପୂଜା ଓ ସେବା ମାଧ୍ୟମରେ ସମାଜରେ ଧାର୍ମିକ ଭାବନା ଓ ଜୀବଜନ୍ତୁଙ୍କ ପ୍ରତି ଦୟାଭାବର ବାର୍ତ୍ତା ପ୍ରସାର କରିଛି ଏହି ଗୋପାଷ୍ଟମୀ ପୂଜା।

କାର୍ତ୍ତିକ ସୋମବାର ବିଛା ସଂକ୍ରାନ୍ତି ରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

କାର୍ତ୍ତିକ ମାସର ଚତୁର୍ଥ ସୋମବାର ବିଛା ସଂକ୍ରାନ୍ତି ଅବସରରେ ଢେଙ୍କାନାଳ ଜିଲ୍ଲାର ଭାଗୀରଥି ସାଗର କୂଳରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପ୍ରଭାତରୁ ବାବାଙ୍କ ମଙ୍ଗଳ ଆଳତି, ମହାସ୍ନାନ, ବେଲପତ୍ର ଅର୍ପଣ ସହ ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଲାଗି କରାଯାଇଥିଲା।

ସେହିପରି ମଧ୍ୟାହ୍ନରେ ଅନ୍ନଧୂପ ନୀତି ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟାରେ ଆଳତି ଓ ଘର୍ଷଣୀ ନୀତି ପରେ ବାବାଙ୍କୁ ମନୋରମ ମେଳା ବେଶରେ ସଜ୍ଜିତ କରାଯାଇଥିଲା। ଏଥିସହ ଚୁଡ଼ା ଘଷା ଓ ପଣା ଭୋଗ ମଧ୍ୟ ଲାଗି କରାଯାଇଥିଲା।

ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୂତି ଭୂଷଣ ପଣ୍ଡାଙ୍କ ଦ୍ୱାରା ସମସ୍ତ ପୂଜାବିଧି ସମ୍ପନ୍ନ ହୋଇଥିଲା। କାର୍ତ୍ତିକ ସୋମବାର ଓ ବିଛା ସଂକ୍ରାନ୍ତି ଏହି ପବିତ୍ର ସଂଯୋଗରେ ବାବାଙ୍କ ଦର୍ଶନ ପାଇଁ ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।

ଢେଙ୍କାନାଳ ଜିଲ୍ଲା ଇ.ପି.ଏଫ୍. ପେନସନ ଭୋଗୀଙ୍କ ଦାବୀ ଦିବସ ପାଳିତ

ଢେଙ୍କାନାଳ, ୧୬/୧୧: ଅଲ୍ ଓଡି଼ଶା ଇପିଏଫ୍ ପେନସନର୍ସ ଆସୋସିଏସନ ଢେଙ୍କାନାଳ ଶାଖା ତରଫରୁ ପାଂଚ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରେରିତ କରିଛନ୍ତି । ଜିଲ୍ଲାଶାଖାର ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ସଂଘର କାର୍ଯ୍ୟକାରିଣୀ ସଭ୍ୟମାନଙ୍କ ସହିତ ପ୍ରାୟ ୩୦ ଜଣ ସଭ୍ୟ ସଭ୍ୟା ଇପିଏଫ ପେନସନ ଭୋଗୀ ଏକ ପଟୁଆରରେ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ) ଲଳିତ କୁମାର ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା କଥା ଇପିଏସ୍-୯୫ ଅନୁଯାୟୀ ୧୯୯୫ ଡିସେମ୍ବର ୧୬ ତାରିଖ ଠାରୁ କେନ୍ଦ୍ର ସରକାର ଇପିଏଫ୍ ମେମ୍ବର ଯେଉଁମାନେ ଅତିକମ୍‌ରେ ୧୦ ବର୍ଷ ଇପିଏଫ୍‌ରେ ଯୋଗଦାନ କରିଥିଲେ ସେମାନଙ୍କୁ ପେନସନ ଦେଉଛନ୍ତି । ଏହି ପେନସନ ଏତେ ନଗଣ୍ୟ ଯେ ୧୯୯୫ ମସିହା ଠାରୁ ଟ.୩୦୦୧ /- ରୁ ଟ.୭୦୦/- ୮୦୦ /- ଲେଖାଏଁ ଦେଉଥିଲେ ଯାହାକି ୨୦୧୪ ମସିହା ଠାରୁ ସର୍ବନିମ୍ନ ଟ.୧୦୦୦ /- ମାସିକ ଧାର୍ଯ୍ୟ କଲେ । ମାତ୍ର ପରିତାପର ବିଷୟ ଏହିକି ସର୍ବଭାରତୀୟ ସ୍ତରରେ ପ୍ରାୟ ୮୨ ଲକ୍ଷ ପେନସନ‌ଧାରୀ ଥିଲେ ମଧ୍ୟ ୨୦୧୪ ମସିହାରେ ପ୍ରାୟ ୩୬ ଲକ୍ଷ ଭୋଗୀଙ୍କୁ ଟ. ୧୦୦୦ /-ରୁ କମ୍ ଅର୍ଥାତ୍ ୫୦୦ /- ରୁ ଟ.୯୯୦ /- ମସିହା ଦିଆଯାଉଛି । ଏମାନଙ୍କୁ ସର୍ବନିମ୍ନ ସ୍ତରକୁ ଅଣାଗଲା ନାହିଁ । ଏ ବିଷୟରେ ଜିଲ୍ଲା ସ୍ତର, ରାଜ୍ୟ ସ୍ତର ଓ ସାରାଦେଶ ସ୍ତରରେ ଇପିଏଫ୍ ପେନସନ ଭୋଗୀମାନେ ସଂଘ ଗଠନକରି ୨୦୧୮ ମସିହା ଠାରୁ ଅନେକବାର ଦାବୀପତ୍ର ଦେବା ସଙ୍ଗେସଙ୍ଗେ ଦେଶର ସମସ୍ତ ସାଂସଦ ମାନଙ୍କ ଜରିଆରେ କେନ୍ଦ୍ର ଶ୍ରମମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅଣଦେଖା କରିଆସୁଛନ୍ତି । ଏହା ବ୍ୟତୀତ ୧୯୯୫ ଠାରୁ ଆଜି ପର୍ଯ୍ୟନ୍ତ, ଏହି ସଳ୍ପ ପେନସନ ସହିତ ଡି.ଏ. ଦିଆଯାଇ ନାହିଁ । ତେଣୁ ନଭେମ୍ବର ୧୬ ତାରିଖ ଇ.ପି.ଏଫ୍ ଦିବସକୁ ଦାବୀ ଦିବସ ରୂପେ ସାରା ଦେଶରେ ଏହି ବର୍ଗର କ୍ଷତିଗ୍ରସ୍ତ ଲୋକମାନେ ପାଳନ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଯଦି ଜଣେ ଟ.୫୦୦/- ରୁ ଟ.୭୦୦/- ପେନସନ ପାଇଛି, ତା’ର ମୃତ୍ୟୁ ହୁଏ ତା’ର ନୋମିନି ମାସିକ ଟ.୧୦୦୦/-ସର୍ବନିମ୍ନ ପେନସନ ପାଉଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଅଧିକ ବେତନ ପାଉଥୁବା ବ୍ୟକ୍ତିମାନଙ୍କୁ ଉଚ୍ଚହାରରେ ପେନସନ ଦେବାକୁ ଯଦି ଇପିଏଫ୍ କର୍ତ୍ତୃପକ୍ଷ ସମସ୍ତ ଉଚ୍ଚ ବେତନ ପାଉଥିବା ପେନ୍‌ସନ୍‌ଧାରୀଙ୍କୁ ଦେଉ ନାହାଁନ୍ତି । ଏହା ବ୍ୟତୀତ ଆଉ ଏକ ଦୁର୍ଭାଗ୍ୟର ବିଷୟ ଏହିକି ଯେ ଯେଉଁ ପେନସନ‌ଧାରୀଙ୍କର ନୋମିନୀଙ୍କର ମୃତ୍ୟୁ ହୋଇଯାଉଛି ତାଙ୍କ ଏକାଉଁଟ୍‌ରେ ଗଚ୍ଛିତ ଥୁବା ଟଙ୍କାକୁ ତାଙ୍କ ନିକଟତମ ଉତରାକାରୀଙ୍କୁ ଦିଆ ନଯାଇ ଅନ୍ୟତ୍ର ଏକାଉଁଟ୍‌କୁ ନେଇ ଇପିଏଫ୍ କର୍ତ୍ତୃପକ୍ଷ ରଖିଦେଉଛନ୍ତି ।

ପାର୍ଲାମେଟ୍‌ର ପେଟିସନ କମିଟି ଲେବଲ ଷ୍ଟାଣ୍ଡି କମିଟି ଦୁଇଥର ଏହି ପେନସନ ବୃଦ୍ଧି କରିବା ସହ ମହଙ୍ଗା ଭତା ଯୋଡ଼ିବାକୁ ଅତୀତରେ ସୁପାରିଶ୍ କରିଥିଲେ ମଧ୍ୟ ଏହାକୁ ପାଳନ କରାଯାଉ ନାହିଁ । ତେଣୁ ଆଜି ନିମ୍ନମତେ ୫ଦଫା ଦାବୀପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ବର୍ଗର କ୍ଷତିଗ୍ରସ୍ତ ବ୍ୟକ୍ତିମାନେ ପ୍ରେରିତ କରିଛନ୍ତି ଓ ଆଶା କରିଛନ୍ତି ଏହାକୁ ଶୀଘ୍ର ପୂରଣ କରିବା ପାଇଁ । ସର୍ବନିମ୍ନ ମାସିକ ପେନ୍‌ସନ୍‌ ଟ.୯୦୦୦/- ସହିତ ମହଙ୍ଗାଭତା ପ୍ରଦାନ କରାଯାଉ । ମାସିକ ଟ.୧୦୦୦ /-ରୁ କମ୍ ପାଉଥିବା ପେନ୍‌ସନ୍‌ଧାରୀଙ୍କୁ ସର୍ବନିମ୍ନ ପେନ୍‌ସନ୍ ଦିଆଯାଉ । ଉଚ୍ଚ ପେନ୍‌ସନ୍ ପ୍ରଦାନରେ ଟାଳଟୁଳ ନୀତି ପ୍ରତ୍ୟାହାର କରାଯାଉ । ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯାଉ । ପେନ୍‌ସନ୍‌ଧାରୀ ଓ ତାଙ୍କ ନୋମିନୀଙ୍କ ଦେହାନ୍ତ ପରେ ତାଙ୍କ ଏକାଉଁଟ୍‌ରେ ଗଚ୍ଛିତ ଥୁବା ଅର୍ଥରାଶୀକୁ ସଂପୃକ୍ତ ଉତରାଧୀକାରୀଙ୍କୁ ପ୍ରଦାନ କରାଯାଉ ଇତ୍ୟାଦି ଦାବୀ ଉଲ୍ଲେଖ କରିଛନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

masiha

SSRVM Ispat English Medium School Creates a Historic Milestone at Rashtrapati Bhavan on Children’s Day 2026

Sunil Chandra Nayak

ହୋ ଭାଷାର ଓରାଂଚିତି ଲିପି କୁ ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ନେଇ ତିରିଂ- ରାଇରଙ୍ଗପୁର ରୁ ଭୂବନେଶ୍ବର କୁ ୧୦ ଜଣିଆ ହୋଭାଷା ସଂଗ୍ରାମୀ ଙ୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!