ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୨୦ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଫାଶ ତିନି ଦିନରେ ଗଲାଣି ୪ ଜୀବନ, କଳାପାହାଡ଼ ନିକଟରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ମୃତ

୫୨୦ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଫାଶ

ତିନି ଦିନରେ ଗଲାଣି ୪ ଜୀବନ, କଳାପାହାଡ଼ ନିକଟରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ମୃତ

ଭଦ୍ରାସାହି, ୨୯|୧୧  କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଯୋଡ଼ା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥ ଏବେ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବା ସହ ଅକାଳରେ ଝଡ଼ିପଡ଼ୁଛି ନିରୀହ ଜୀବନ। ଗତ ତିନି ଦିନ ମଧ୍ୟରେ ଏହି ରାଜପଥରେ ଘଟିଥିବା ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଉଦ୍‌ବେଗ ସୃଷ୍ଟି କରିଛି। ଏହି ଧାରାରେ ଶନିବାର ବିଳମ୍ବିତ ରାତିରେ କଳାପାହାଡ଼ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ଟା ସମୟରେ ରାଉରକେଲା ରୁ ନିଜ ମୋଟରସାଇକେଲ (ଓଡ଼ି-୧୪-ଏମ୍‌-୩୭୩୦) ଯୋଗେ ଘରକୁ ଫେରୁଥିବା ସମୟରେ ଲହଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ୍ୟ ଜଣକ ହେଲେ ନାରଦପୁର ପଞ୍ଚାୟତ ଅନ୍ତର୍ଗତ ଜଗରନାଥପୁର ଗ୍ରାମର ସୁମନ୍ତ ଓରାମ ବୟସ (୩୨)।ଘଟଣା ସମ୍ପର୍କରେ ଖବର ପାଇ ଯୋଡ଼ା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା। ଏଥିସହ ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଅଜଣା ଗାଡ଼ିକୁ ଚିହ୍ନଟ କରିବା ସହ ଚାଳକଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ, ଯୋଡ଼ା ଅଞ୍ଚଳରେ ୫୨୦ ନମ୍ବର ଜାତୀୟ ରାଜପଥରେ ଲଗାତାର ଦୁର୍ଘଟଣା ଘଟି ଜୀବନହାନି ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷକରି ଭାରୀଯାନର ବେପରୁଆ ଚଳାଚଳ, ଦ୍ରୁତଗତି ଏବଂ ରାତ୍ରିକାଳୀନ ଯାତାୟାତ ଉପରେ ନିୟନ୍ତ୍ରଣ ନଥିବା ନେଇ ପ୍ରଶ୍ନ ଉଠୁଛି। ବାରମ୍ବାର ଦୁର୍ଘଟଣା ସତ୍ତ୍ୱେ ଏହାର ସ୍ଥାୟୀ ପ୍ରତିକାର ଦିଗରେ କି ପଦକ୍ଷେପ ନିଆଯାଉଛି, ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

ରାଜପଥରେ ନିୟମିତ ପୁଲିସ ପାଟ୍ରୋଲିଂ, ଗତି ନିୟନ୍ତ୍ରଣ ବ୍ୟବସ୍ଥା, ସିସିଟିଭି ନିରୀକ୍ଷଣ, ଆଲୋକୀକରଣ ଏବଂ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ଯାଞ୍ଚ୍‌ ପାଇଁ ଦାବି ଜୋର ଧରିଛି। ଆଉ କେତେ ମୂଲ୍ୟବାନ ଜୀବନ ଗଲେ ପ୍ରଶାସନର ଚେତା ପଶିବ ଏବଂ ଏହି ମୃତ୍ୟୁର ରାଜପଥରେ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ ହେବ, ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ସଞ୍ଚୟ ପକ୍ଷ ପାଳନ:ବରିଷ୍ଠ ନାଗରିକ ଓ ପେନ୍‌ସନ୍ ଭୋଗୀଙ୍କ ନିମନ୍ତେ ସତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର – ୨୦୨୫ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

Sunil Chandra Nayak

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ, ୨୦୨ ଜଣ ନିର୍ମାଣ ଶ୍ରମିକଙ୍କୁ ୧୩ କୋଟି ୯୩ ଲକ୍ଷ ୫ ହଜାର ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!