ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ତୁଣ୍ଡୀ ବନ୍ଧା ବର

ତୁଣ୍ଡୀ ବନ୍ଧା ବର

ଅପର୍ତ୍ତି ସେଠୀ

       (ରମ୍ୟ ରଚନା) 

 

ପିକ୍ଅପ୍ ବାଇକ୍ ପାଇଁ ଡିସ୍‌ବ୍ରେକ୍

      ନିହାତି ଯେ ଦରକାର,

ଘୋଡାର‌ ମୁହଁରେ ଲଗାମ‌ ଲଗେଇ

      ଯେତେ ଚଢିବ‌ତ ଚଢ।

ଓଲେଇ ଗାଈର ବେକକୁ ଘଣ୍ଟିଯେ

      ଚୋର ପାଇଁ ହାତକଡି,

ଆମରି ଭଳିଆ ଧରମ‌ ଛଡାଙ୍କ

       ମୁହେଁ ତୁଣ୍ଡୀ ଦିଅ ଭିଡ଼ି। 

ଧନ୍ୟ ହେ କରୋନା ତୁଣ୍ଡୀ ପିନ୍ଧେଇଲୁ

      ଆମକୁ ଓଲେଇ ଭାବି,

କାନ ନାକଧରି ଉଠାବସା କରୁ

     ଛାଡୁନାହୁଁ ତୋର ଯିଦି।

ଆଜି ତ ଲଗନ ବର‌ ବି ଉଚ୍ଛନ୍ନ

    ହେଉ ନାହିଁ ପ୍ରଶେସନ,

ଲକ୍ଡାଉନ୍ ଯେଣୁ ବାଜୁନାହିଁ ବାଜା

     ଫୁଟୁ ନାହିଁ ପୁଣି ବାଣ।

ପୁଣି ଶୁଭ ଶଙ୍ଖ ଶୁଭିଲାଣି ଦେଖ

     ବର ଯେ ପହଞ୍ଚି ଗଲା,

ବରଣୀ ସରିଲା କାନ୍ଧରେ ବସାଇ

     ଶଳା ତାକୁ ଟେକି ନେଲା।

ସଭିଙ୍କ ମୁହଁରେ ତୁଣ୍ଡୀବନ୍ଧା ଦେଖ 

      ପାଟିତୁଣ୍ଡ ବେଶୀ ନାହିଁ,

ମଦୁଆଙ୍କ ଲୀଳା ଆଗଭଳି ଆଉ

      ଦେଖିବାକୁ ମିଳୁନାହିଁ,

ରଙ୍ଗବତୀ ଗୀତ ନାଗିନୀ ଡ୍ଯାନ୍ସ

      ବାଜୁନି ଗୋଡ଼ ଉଠୁନି,

ଧନ୍ୟହେ କରୋନାଆମପାଇଁ କେତେ

       ଉପକାର କରିଲୁଣି।

ଅଳ୍ପ ବର ଯାତ୍ରୀ ଆସିଥିଲେ ଯେଣୁ

     ଯଥାମାନ୍ଯ କରାଗଲା,

ଥଣ୍ଡା ଗ୍ଲାସ୍ ପୁଣି ପରେପରେ

     ଭୋଜୀ ଡାଇନିଂ ସଜା ହେଲା।

ମଟନ ଚିକେନ ଚିଙ୍ଗୁଡ଼ି ଉପରେ 

    ବରଯାତ୍ରୀଙ୍କର ଲୋଭ,

ମନ ଇଚ୍ଛା ଯେତେ ଖାଇଯାଅ ବାବୁ

     ବଳିଲେ ସେ ନଷ୍ଟ ହେବ।

ଏଣେ ବାହାଘର ଦିନରେ ସରିବ

     ପୁଣି କଟକଣା ଅଛି,

ବାହାଘର ପାଠ ଚାଲୁଚାଲୁ କିନ୍ତୁ

     ଦିନଟି ଗଡ଼ି ଯାଇଛି।

ବର ତା’ ମୁହଁରେ ତୁଣ୍ଡୀ ବାନ୍ଧିଅଛି

     କନିଆଁ ବି ବାନ୍ଧିଅଛି,

ନଗିଅଗ୍ରେ ବନମାଳ ଗଳେଇବେ

     ରସିଦରେ ଲେଖାଅଛି।

ଏଠି ଯଦି ବର କନିଆଁ କାହାକୁ

      ଛୁଆଁ ଛୁଇଁ ହେବେ ନାହିଁ,

ଫୋର୍ଥ ନାଇଟିରେ ସଂସାର ଆରମ୍ଭ

       କେମିତି କରିବେ ସେହି ?

ସବୁଠିକ୍ ଠାକ୍ ଚାଲୁଅଛି ହେଲେ

     ଗୋଟିଏ ଯେ ଭୁଲ୍ ଅଛି,

ଅନ୍ଧାରକଣାଟି ବର କିନ୍ତୁ ତାକୁ

    ସଞ୍ଜରେ କୋଉ ଦିଶୁଛି?

କନିଆଁର ହାତ ଧରିବା ପାଇଁକି

     ବରକୁ ଯେ କୁହାଗଲା,

କନ୍ୟା ଭାବି ବର ବାରିକିଆଣିର

   ହାତକୁ ମାଡ଼ି ବସିଲା।

ଭିଡିଧରି ସେଇ ରସିକିଆ ବର

    ଚିମୁଟିଦେଲା ଦିଥର,

ବାରିକିଆଣିକୁ ସ୍ତ୍ରୀ ମନେକରି

     ହସୁଥାଏ ବାରମ୍ବାର।

ହାତଛାଟିଦେଲା ବାରିକିଆଣିଟି 

    ବଡପାଟି ଚିଲେଇଲା,

ସିଏ ଡରିଗଲା କନିଆଁ ପାଖରେ

     ଆଉ କେବେ ନ ବସିଲା।

କନିଆଁ ବସିଛି ଓଢ଼ଣୀ ପକାଇ

    ବରକୁ ତ ଦିଶୁ ନାହିଁ,

ବର କିନ୍ତୁ ଏଣେ ତେଣେ ଚାହୁଁ ଥାଏ 

     ନିଜ ଦୋଷଟି ଲୁଚାଇ।

କନିଆଁ ପାଖରେ ସ୍ତ୍ରୀ ଲୋକ ଜଣେ

     ବସିବାଟା ଦରକାର,

ଟୁପୁରୁଟାପୁରୁ ବରଟି ନାଁ ରେ 

      ଶୁଭୁଥାଏ ବାରମ୍ବାର।

ବସିବାକୁ କେହି ରାଜି ନ ହେବାରୁ

     ମାଆ ତେଣୁ ବସିଗଲେ,

ବାହାଘର ମନ୍ତ୍ର ବଡପାଟି କରି

    ପୁରୋହିତ ପାଠ କଲେ।

କଟକଣା ଯେଣୁ ମୁହେଁ ମାସ୍କ‌ ପୁଣି

    ଦୂରେ ଦୂରେ ବସି ଥିଲେ,

ବନମାଳ‌ ଗଳେ ପକାଇବା ପାଇଁ

    ପୁରୋହିତ କହିଦେଲେ।

କନିଆଁଟି ବର ବେକେ ବନମାଳ

      ଯେତେବେଳେ ପକାଇଲା,

କନିଆଁ ଭାବିକି ବର କିନ୍ତୁ ଶାଶୁ

      ବେକେ ମାଳା ଗଳେଇଲା।

କେତେକ ହସିଲେ ଫେଁ ଫେଁ ହୋଇ

     କେତେକ ଯେ ପାଟିକଲେ,

ଝିଅ ଥାଉଁ ଥାଉଁ ଶାଶୁ ବେକେ ବର

      ବନମାଳା‌ ପିନ୍ଧାଇଲେ।

ଏ କି ଯୁଗ ହେଲା ଦରବୁଢ଼ୀ ଶାଶୁ 

      ତାକୁ ସୁନ୍ଦର ଦିଶିଲା,

ଝିଅଟିକୁ ଛାଡି ମାଆ ବେକେ ମାଳ

      ବର ପୁଣି ପିନ୍ଧେଇଲା।

ଘଟଣାଟା କ’ଣ ଖୋଳତାଡ଼ ହେଲା

     ସତଟା ଧରା ପଡ଼ିଲା,

ସୁନ୍ଦରୀ ଝିଅକୁ ଏ ଅନ୍ଧାର କଣା

     କିଏ ସେ ଆଣି ଖଞ୍ଜିଲା।

ଯେଣୁ ମୁଁ ମଧ୍ୟସ୍ତି ମୁରୂଖ ଲୋକଟି

     ଆଗରୁ ଜାଣି ନ ଥିଲି,

ବାହାବେଦୀପାଖେଶହେଲୋକ‌ଆଗେ       

       ନିର୍ଦ୍ଧୁମ‌ ମାଡ଼ ଖାଇଲି।

ଗାଡ଼ିଟି ମୋହର ଛଡେଇ ରଖିଲେ

    ଧୋତି ମୋର ଖୋଲିଦେଲେ,

ଗୋଡେଇ ଗୋଡେଇ ଚପଲରେ ପିଟି

       ବିଲେ ବିଲେ ବିଦା କଲେ।

ଅଣ୍ଡର‌ଓ୍ଵାର୍ଡଟି ପିନ୍ଧିଥିବାରୁ ମୋ

        ଇଜ୍ଜତଟା ରହିଗଲା,

ମଧ୍ୟସ୍ତି କରିବ ଭଲକି ବୁଝିବ

       ମୂର୍ଖ ଅପର୍ତ୍ତି କହିଲା।

 

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

 

Related posts

ଉମାକାନ୍ତ ଦାସ ଙ୍କ କବିତା ଉର୍ମିଳା

Sunil Chandra Nayak

ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର

Sunil Chandra Nayak

ରାଜ୍ୟ ସରକାରଙ୍କ ‘୫-ଟି’ ରେ ଯୋଡ଼ି ହେଲା ଆଉ ଏକ ‘ ଟି’..

Sunil Chandra Nayak

Leave a Comment

error: Content is protected !!