ଗାଁ,ମୋହ ଓ ମୁଁ
ସୁକାନ୍ତ ଖଣ୍ଡା
କିଏ କଣ ପାଇଁ ସଂସାର କରନ୍ତି ମୋତେ ଜଣା ନାହିଁ
ମୁଁ ଜାଣେ ବୁଢୀ଼ କାଳରେ ସାହାରା ହେବେ
ସର୍ବଦା ହସଖୁସୀ ଦେଖିବାକୁ
କିଏ ଡାକୁଥିବ ମାଆ ତ କିଏ ଜେଜି।
ମୋର ଲୋଡା଼ ନାହିଁ ଆକାଶକୁ ଛୁଇଁଲା ପରି ଛାତ
ଅଣ୍ଟାକୁ ଘୋଡେ଼ଇବା ପାଇଁ ପାଟଶାଢୀ଼
ପେଟକୁ କ୍ଷୀରି,ପୁରି,ପଲାଉ ଓ ମାଉଁସ ତିଅଣ।
ମୋର ଦରକାର ଭରପୂର ସତ୍ଯ,ଶାନ୍ତି ଆଉ ପବିତ୍ରତା
ଗାଁ,ମୋହ ଓ ମୁଁ
ମୁଣ୍ଡଝାଳ ତୁଣ୍ଡେ ମାରି ପଖାଳ ଓ ଶାଗ
ସାତସିଆ ଖଦଡ଼ ଲୁଗାକୁ ଝାଟିମାଟି ଘର।
ହେଲେ ସବୁ ବିପରୀତ ହେଲା
ଚାରୋଟି ପୁତ୍ରର ମାଆ ହୋଇ ବି
ଏବେ ଏକୁଟିଆ ଏ ଭିଟାମାଟିରେ।
ଏ ଗାଆଁର ମୋହରେ କେହି ବି ନୁହନ୍ତି
କିଏ କଲିକତା,କିଏ ମୁମ୍ବାଇ,କିଏ ଭୁବନେଶ୍ବର ତ କିଏ ଇଂଲଣ୍ଡରେ
ସଭିଏଁ ଜଣେ ଜଣେ ଡାକ୍ତର ଓ ଇଂଞ୍ଜିନିୟର
ନିଜର ସଂସାର ବଳେଇ ଯାଉଛି
ଗାଁ,ମୋହ ଓ ମୋତେ
ଦେଖିବାକୁ ବି ତରଟିକେ ନାହିଁ।
କେତେଥର ଅବଶ୍ଯ କହିଲେଣି ସତ୍ଯରେ କି ମିଥ୍ଯାରେ
ଅନ୍ତରତାରେ କି ଉପର ଠାଉରିଆ?
ସାଙ୍ଗରେ ନେଇ ଯିବାକୁ
ମୁଁ ଯାଇ ନାହିଁ କିନ୍ତୁ ସେ ବ୍ଯସ୍ତତା ଭିତରକୁ
ଯେଉଁଠି ସର୍ବଦା ବନ୍ଦୀର ଜୀବନ
ପିଇବାକୁ,ହଗିବାକୁ ଅଥବା ପବନ ଟିକିଏ ପାଇଁ ଲୋଡା଼
ଟଙ୍କା ଆଉ ଟଙ୍କା
ବିନା ମୂଲ୍ଯରେ କିଛି ବି ମିଳେନା।
ମୁକ୍ତ ବାୟୁ,ମୁକ୍ତ ପାଣି ଅଥବା ମୁକ୍ତିରେ ବୁଲିବା ବି ମନା
କାହା ଦୁଆରକୁ ଯିବୁ ତ କୁକୁରଙ୍କ ତଡା଼
ମୁକ୍ତି ଯେଉଁଠି ନାହିଁ ଯିବି ବା କାହିଁକି?
ଯାଇ ଲାଭ ବା କଣ?
ଘର ପରିବାର ସବୁ ଆଜି ଦୂରରେ
କେବଳ ବଂଶ ବୁନିଆଦି ପାଖରେ ପଡି଼ ରହିଛି ଏକାକୀ।
ଧନ୍ଯରେ ଜୀବନ
ଏ ପେଟ ଚାଖଣ୍ଡକ ପାଇଁ ନାଟ ଆଉ ନାଟ
ଶେଷ ଯବନିକା ଯାଏ
ଭୁଲିବାକୁ ହୁଏ ଗାଁ ପରିବେଶ
ଭାଇ,ବନ୍ଧୁ କୁଟୁମ୍ଵ ବି ସାତ ପର ଭାବି।
ଭଲରେ କି ମନ୍ଦରେ ଦେଖା ନା ସାକ୍ଷାତ?
କେବଳ ଏ ଫୋନ ହିଁ ମାଧ୍ଯମ
ହ୍ଯାଲୋ ହାଏ ପାଇଁ।
ପାଠ ପଢେ଼ଇ ଭଲ କରିଛି ନା ମନ୍ଦ
ସାଙ୍ଗରେ ନ ଯାଇ ଭଲ କରିଛି ନା ମନ୍ଦ
ଏକୁଟିଆ ଖାଡା଼ ଉପାସରେ ରହିବା ଭଲ ନା ମନ୍ଦ
ରୋଗ ଆଉ ଶୋକରେ ପଡି଼ ଗୁହମୂତ ହେବା ଭଲ ନା ମନ୍ଦ?
ସବୁ ବୋଧହୁଏ କପାଳ ଲିଖନ।
କେଉଁ କଲା କର୍ମର ଏ ଫଳକୁ ଭୋଗୁଛି
ସ୍ବାମୀ ଆର ପାରିକୁ ଚାଲିଗଲା ପରେ
ଦୁଃଖର ହାଟରେ ଏ ସୌଦାଗର
ନିଜ ଲୁହ ନିଜେ ପିଇ କୃତାର୍ଥ ମଣୁଛି।
ଆଜି ମାତୃଭୂମି କୋଳେଇବା ପାଇଁ ଡାକ ଛାଡି଼ଲାଣି
ମୋତେ ଯିବାକୁ ହେବ ଆରପାରି
ଏକା ତ ଆସିଥିଲି ତେଣୁ ଯିବି ଏକାଏକା
ଏ ସଂସାର ଖାଲି ଭେଳିକି ଲଗାଇ
ବାନ୍ଧି ରଖିଥିଲା ହୃଦୟରେ ମେଞ୍ଚାଏ କାମନା ବାସନା,ନୁହେଁ?