ବଳଦେବଙ୍କୁ ଦରଖାସ୍ତ
ଅପର୍ତ୍ତି ସେଠୀ
ବିଷୟ-( ସାବିତ୍ରୀ ବେପାର)
(ରମ୍ୟ ରଚନା)
ଲୁଗା ଦୋକାନୀ ଓ ଫଳ ବ୍ୟବସାୟୀ
ଦିନେ ଡକାଡକି ହୋଇ,
ଶ୍ରୀବଳଦେବଙ୍କ ମନ୍ଦିର ଆଗରେ
ପହଞ୍ଚିଲେ ବେଗେ ଯାଇ।
ଦରଖାସ୍ତଟିଏ ବଡ଼ପଣ୍ଡା ହସ୍ତେ
ମହାପ୍ରଭୁ ସେ ଦେଲେ,
ବଡଠାକୁର ସେ ଅଭିଯୋଗଟିକୁ
ପାଠକରି ବୁଝିନେଲେ।
ଲୁଗା ବ୍ୟବସାୟ ଓ ଫଳ ମୂଳ ସବୁ
ଭଲ ବିକ୍ରି ହେବାପାଇଁ,
ଗୁହାରୀ କରନ୍ତି ଏହି ବ୍ୟବସାୟୀ
ପ୍ରଭୁଙ୍କ ଦୁଆରେ ଯାଇ।
ଦୟାଳୁ ଠାକୁର ବ୍ରହ୍ମାଙ୍କ ପାଖକୁ
ଫୋଅନ୍ ଲଗେଇ ଦେଲେ,
ଶ୍ରୀକ୍ଷେତ୍ର ଧାମରୁ କାଳିଆକୁ ମଧ୍ୟ
କେନ୍ଦ୍ରାପଡ଼ା ଡକାଇଲେ।
ନିମିଷକ ମଧ୍ଯେ ଗରୁଡ ବାହନେ
ଜଗନ୍ନାଥ ଆସିଗଲେ,
ବ୍ରହ୍ମଲୋକରୁ ବି ହଂସ ବାହନରେ
ବ୍ରହ୍ମା ଆସି ପହଞ୍ଚିଲେ।
ବଡ଼ଠାକୁରଙ୍କୁ ଦରଶନ କରି
ଦୁହେଁ ପ୍ରଣାମ କରିଲେ,
ଆସନ ସମର୍ପି ବଡଠାକୁର ଯେ
ରସାବଳି ଖୁଆଇଲେ।
ବିଷୟ ଉପରେ ବିଚାର ଚାଲିଲା
ଏହି ତିନି ଠାକୁରଙ୍କ,
ଲୁଗା ଫଳମୂଳ ଭଲ ବିକ୍ରି ପାଇଁ
ସୃଷ୍ଟି କଲେ ବ୍ରତ ଏକ।
ସାବିତ୍ରୀ ନାମରେ ବ୍ରତଟିଏ ପ୍ରଭୁ
କଳିଯୁଗେ ଭିଆଇଲେ,
ସେହିଦିନୁ କଳିଯୁଗ ସାବିତ୍ରୀଏ
ଗେରସ୍ତ ପୂଜା କରିଲେ।
ଅର୍ଡର କରିଲେ ନୂଆଲୁଗାପଟା
ନାନା ଫଳ କିଣା ପାଇଁ,
ସ୍ଵାମୀ ପୂଜା ଛଳେ ଗେରସ୍ତମାନଙ୍କ
ଆଖି ଲୁହ ସରୁ ନାହିଁ।
ମାଲେମାଲହେଲେବେପାରୀଏ ଯାହା
ବର୍ଷକ ଲାଭ ଉଠାଇ,
ଶହେ ଜାଗାରେ ସେ ପାଞ୍ଚଶହ ନିଅନ୍ତି
ସାବିତ୍ରୀ ମାନଙ୍କ ପାଇଁ।
ବିନା ନୂଆ ଲୁଗା ବିନାଫଳ ମୂଳେ
ଗେରସ୍ତ ଅପୂଜା ରହେ,
ସାବିତ୍ରୀ ନାମକ ମହାବାତ୍ୟା ସତେ
ସ୍ଵାମୀଙ୍କ ମୁଣ୍ଡରେ ବହେ।
ଏହି ମହାବାତ୍ୟା ଝଗଡ଼ା ହୋଇକି
ଲଘୁଚାପ ରୂପ ନିଏ,
ବ୍ରତ ଦିନ ଠିକ୍ ବାରଟା ବେଳରେ
ତାଣ୍ଡବ ଲୀଳା ଭିିଆଏ।
ସ୍ଵାମୀ ପକେଟରୁ ଟଙ୍କା ଉଡାଇ ସେ
ବହୁ କ୍ଷୟ କ୍ଷତି କରେ,
ବାତ୍ୟା ଥମିଗଲେ ବିଚରା ଗେରସ୍ତ
କରଜରେ ବୁଡି ମରେ।
ସ୍ତ୍ରୀ ହାତଟେକା ପ୍ରେମ ରିଲିଫକୁ
ସ୍ଵାମୀ ବିକଳରେ ଚାହେଁ,
ସେତେବେଳେ ଲୁଗାଫଳବେପାରୀଙ୍କ
ଅନ୍ତରଟା ହସୁଥାଏ।
ଆମେ ହତାଶିଆ ସ୍ଵାମୀ ଯେତେଅଛୁ
ଭାବିଛୁ ସଂଘ ଗଢିବୁ,
ବଡ଼ଠାକୁରଙ୍କୁ ଦରଖାସ୍ତ ଦେଇ
ଏ ବ୍ରତ ବନ୍ଦ କରିବୁ।
ଆମଦାବୀ ସବୁ ପୁରଣ ପାଇଁକି
ଏହି ସ୍ଲୋଗାନଟି ଦେବୁ,
ଗେରସ୍ତ ମାରଣ ବ୍ରତ ଚଳିବନି
ନିଆଁ ବି ଜଳେଇଦେବୁ।
ଆମରଣ ଅନଶନ କରିବୁ ଯେ
ଅନିର୍ଦ୍ଦିଷ୍ଟ କାଳ ପାଇଁ,
ଏହି ଧର୍ମଘଟ ତୁଳସୀ କ୍ଷେତ୍ରରୁ
ଆରମ୍ଭ ହୋଇବ ଭାଇ।
ଆହ୍ଵାନ କରୁଛି ଆହେ ସ୍ବାମୀମାନେ
ଆମ ସହ ଯୋଗ ଦିଅ,
ଏ ମହାନ କାର୍ଯ୍ଯ ସଫଳ ପାଇଁକି
ପ୍ରଭୁଙ୍କୁ ଦୁଃଖ ଜଣାଅ।
ପାଳକଣା, କୋରୋ , କେନ୍ଦ୍ରାପଡା