ଧୃତରାଷ୍ଟ୍ର ଜନ୍ମ ବେଳେ ଭୂମିଷ୍ଠ ହେବା ମାତ୍ରେ ଗଧ ପରି ରଡି ଛାଡିବାରୁ କି ସୂଚନା ମିଳିଥିଲା
ଶାନ୍ତୁନୁ ଓ ସତ୍ଯବତୀଙ୍କ ଔରସରୁ ଦୁଇଟି ପୁତ୍ରସନ୍ତାନ ଜନ୍ମ ହୋଇଥିଲେ । ଜ୍ଯେଷ୍ଠପୁତ୍ରର ନାମ ଥିଲା ଚିତ୍ରାଙ୍ଗଦା ଓ ଅନ୍ଯ ପୁତ୍ରର ନାମ ଥିଲା ବିଚିତ୍ରବୀର୍ଯ୍ଯ । ଶାନ୍ତୁନୁଙ୍କର ମୃତ୍ୟୁପରେ ଭୀଷ୍ମ ନିଜର ପ୍ରତିଜ୍ଞା ଅନୁସାରେ ନିଜେ ରାଜସିଂହାସନରେ ନ ବସି ଚିତ୍ରାଙ୍ଗଦାଙ୍କୁ ରାଜା କରାଇଲେ । କିନ୍ତୁ ଚିତ୍ରାଙ୍ଗଦା ବେଶି କାଳ ରାଜତ୍ବ କରି ପାରି ନ ଥିଲେ । ଗନ୍ଧର୍ବମାନଙ୍କ ସହିତ ଏକ ଯୁଦ୍ଧରେ ସେ ପ୍ରାଣ ହରାଇବାରୁ ମାତା ସତ୍ଯଵତୀଙ୍କ ଅନୁରୋଧକ୍ରମେ ସେତେବେଳେ ନାବାଳକ ଅବସ୍ଥାରେ ଥିବା ଶାନ୍ତୁନୁଙ୍କର ଦ୍ବିତୀୟ ପୁତ୍ର ବିଚିତ୍ରବୀର୍ଯ୍ଯଙ୍କୁ ସିଂହାସନରେ ବସାଇ ଭୀଷ୍ମ ଅଭିଭାବକ ରୂପେ ରାଜକାର୍ଯ୍ଯ ପରିଚାଳନା କରୁଥିଲେ । ବିଚିତ୍ରବୀର୍ଯ୍ଯ ବଡ଼ ହୋଇ ରାଜକାର୍ଯ୍ଯ ସମ୍ଭାଳିବା ପରେ ତାଙ୍କର ବିବାହ କରିବା ବୟସ ହୋଇ ଯାଇଥିବାରୁ ମାତା ସତ୍ଯଵତୀଙ୍କ ଆଦେଶ ପାଳନ କରି ଭୀଷ୍ମ ଜଣେ ଗୁଣବତୀ କନ୍ଯାର ସନ୍ଧାନରେ ରହିଥିଲେ । ଏହି ସମୟରେ ସେ ଶୁଣିବାକୁ ପାଇଲେ ଯେ କାଶୀର ନରେଶଙ୍କର ତିନି କନ୍ଯାଙ୍କର ସ୍ବୟଂବର ହେଉଛି । ସେ କାଳବିଳମ୍ବ ନ କରି ରଥାରୂଢ ହୋଇ କାଶୀରେ ଯାଇ ପହଞ୍ଚିଲେ ଏବଂ ସ୍ବୟଂବର ମଣ୍ଡପରେ ଉପସ୍ଥିତ ଥିବା ତିନି ଭଉଣୀ ଅମ୍ଵା, ଅମ୍ବିକା ଓ ଅମ୍ବାଳିକାଙ୍କୁ ତାଙ୍କ ସାନ ଭାଇଙ୍କ ସକାଶେ ବଳପୂର୍ବକ ଉଠାଇ ଆଣି କ୍ଷଣକେ ଦ୍ରୁତଗତିରେ ରଥ ଚାଳନା କରି ସେଠାରେ ଉପସ୍ଥିତ ଥିବା ଅନ୍ଯ ରାଜାମାନଙ୍କୁ ହତ ଚକିତ କରି ଚାଲି ଯାଇଥିଲେ । ସ୍ବୟମ୍ବରସ୍ଥଳୀରୁ ବଳପୂର୍ବକ କନ୍ଯା ଅପହରଣ ପ୍ରଥା ପ୍ରଚଳିତ ରହିଥିବାରୁ ସେ ତାଙ୍କ କନିଷ୍ଠ ଭ୍ରାତା ବିଚିତ୍ରବୀର୍ଯ୍ଯଙ୍କ ସକାଶେ ଏହି ତିନି ଭଉଣୀଙ୍କୁ ନେଇ ଆସିଥିଲେ ।
ବିଚିତ୍ରବୀର୍ଯ୍ଯଙ୍କୁ ବିବାହ କରିବାକୁ ବଡ଼ ଅମ୍ବା ମନା କରିଦେଇ କହିଲେ ଯେ ସେ ସ୍ବୟମ୍ଵରରେ ରାଜା ଶଲ୍ଯଙ୍କୁ ହିଁ ବରଣମାଳା ପିନ୍ଧାଇ ପତିରୂପେ ବରଣ କରିଥାନ୍ତେ । ଏହା ଶୁଣି ଭୀଷ୍ମ ଅମ୍ବାଙ୍କୁ ରଥରେ ବସାଇ ତାଙ୍କ ପିତାଙ୍କ ନିକଟକୁ ପଠାଇ ଦେଇଥିଲେ । ଏହାପରେ ବିଚିତ୍ରବୀର୍ଯ୍ଯଙ୍କ ସହିତ ଅମ୍ବିକା ଓ ଅମ୍ବାଳିକାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଦୁଇ ପୁତ୍ରବଧୂଙ୍କୁ ପାଇ ମାତା ସତ୍ଯବତୀ ଖୁବ୍ ସନ୍ତୁଷ୍ଟ ହୋଇଥିଲେ । ବିଚିତ୍ରବୀର୍ଯ୍ଯଙ୍କର ଦୁଇ ପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ଗର୍ଭରୁ ଯଥାକ୍ରମେ ଧୃତରାଷ୍ଟ୍ର ଓ ପାଣ୍ଡୁ ଦୁଇ ପୁତ୍ର ଏବଂ ଜଣେ ଦାସୀ ଗର୍ଭରୁ ଗୋଟିଏ ପୁତ୍ର ବିଦୁର ଜନ୍ମ ହୋଇଥିଲେ । ଏମାନେ ଥିଲେ ତିନି ଭାଇ ଏବଂ ଏମାନଙ୍କୁ ଭୀଷ୍ମ ଖୁବ୍ ଭଲ ପାଉଥିଲେ । ବିଚିତ୍ରବୀର୍ଯ୍ଯ ବେଶି କାଳ ରାଜ୍ୟ ଶାସନ କରି ପାରି ନ ଥିଲେ । ବିଧିର ବିଧାନକୁ ଏଡିଦେବ କିଏ ? ସେ ଧନୁଷ୍ଟଙ୍କାର ରୋଗରେ ପୀଡିତ ହୋଇ ଅକାଳରେ ମୃତ୍ୟୁ ବରଣ କରିବାରୁ ରାଜ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା । ବର୍ତ୍ତମାନ ଭୀଷ୍ମଙ୍କୁ ପୁଣି ରାଜ୍ୟର ଶାସନ ଭାର ସମ୍ଭାଳିବାର ଗୁରୁ ଦାୟିତ୍ୱ ତୁଲାଇବାକୁ ପଡିଲା କାରଣ ତାଙ୍କର ସ୍ବର୍ଗବାସୀ କନିଷ୍ଠ ଭ୍ରାତା ବିଚିତ୍ରବୀର୍ଯ୍ଯଙ୍କ ପୁତ୍ରମାନେ ସେତେବେଳେ ପିଲା ଥିଲେ । ମାତାଙ୍କ ଅନୁରୋଧ କ୍ରମେ ପିଲାମାନେ ବଡ଼ ନ ହେବାଯାଏ ଶାସନକାର୍ଯ୍ଯ ତୁଲାଉଥିଲେ ।
ଧୃତରାଷ୍ଟ୍ର ଜନ୍ମରୁ ହିଁ ଅନ୍ଧ ଥିଲେ । ତେଣୁ ସେ ତିନିଭାଇଙ୍କ ମଧ୍ଯରୁ ବୟସରେ ବଡ଼ ହୋଇଥିଲେ ବି ପାଣ୍ଡୁଙ୍କୁ ରାଜସିଂହାସନରେ ଅଧିଷ୍ଠିତ କରାଯାଇଥିଲା । ଭୀଷ୍ମ ତାଙ୍କର ଏହି ତିନି ପୁତୁରାଙ୍କର ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିଥିଲେ । ଧୃତରାଷ୍ଟ୍ରଙ୍କର ପତ୍ନୀଙ୍କ ନାମ ଥିଲା ଗାନ୍ଧାରୀ । ପାଣ୍ଡୁଙ୍କର ଦୁଇଟି ପତ୍ନୀ ଥିଲେ । ସେମାନେ ହେଲେ କୁନ୍ତୀ ଓ ମାଦ୍ରୀ । ଭୀଷ୍ମ ତାଙ୍କର ତୃତୀୟ ପୁତୁରା ବିଦୁରଙ୍କୁ ରାଜା ଦେବକଙ୍କର କନ୍ୟା ସହିତ ବିବାହ କରାଇଥିଲେ ।
ରାଜା ଧୃତରାଷ୍ଟ୍ରଙ୍କର ଅନେକଗୁଡିଏ ପୁତ୍ର ଥିଲେ । ଜ୍ଯେଷ୍ଠ ପୁତ୍ର ଦୁର୍ଯ୍ୟୋଧନ ଯେତେବେଳେ ଜନ୍ମ ହୁଏ, ସେତେବେଳେ ନାନା ପ୍ରକାର ଅଶୁଭ ଘଟଣା ଘଟିଥିଲା । ସେ ଭୂମିଷ୍ଠ ହେବାମାତ୍ରେ ଗଧ ପରି ରଡି ଛାଡିଥିଲା । ସେତେବେଳେ ଆକାଶ ମେଘାଚ୍ଛନ୍ନ ହୋଇ ଯାଇଥିଲା ଏବଂ ଶାଗୁଣାମାନେ ଆକାଶରେ ଉଡିଥିଲେ । ଏପରି ଲକ୍ଷଣମାନ ଦେଖି ବିଦୁର ଭାବିଲେ , ଏସବୁ ବୋଧହୁଏ କୌରବ କୁଳ ଦିନେ ନା ଦିନେ ବିନାଶ ହୋଇଯିବାର ପୂର୍ବ ସୂଚନା । ଏହି ପୁତ୍ର ସନ୍ତାନଟିକୁ ଜନ୍ମରୁ ହିଁ ତ୍ଯାଗ କରିଦେବା ପାଇଁ ବିଦୁର ତାଙ୍କ ଜ୍ଯେଷ୍ଠଭ୍ରାତା ଧୃତରାଷ୍ଟ୍ରଙ୍କୁ ବୁଝାଇଥିଲେ କିନ୍ତୁ ଧୃତରାଷ୍ଟ୍ର ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ବିଦୁର ନୀରବ ରହିଥିଲେ । ଏହାର କିଛିକାଳ ପରେ ରାଜ ପରିବାରରେ ଆଉ ଏକ ଦୁଃଖଦ ଘଟଣା ଘଟିଲା । ମଧ୍ଯମ ଭ୍ରାତା ପାଣ୍ଡୁ ଶିକାର କରିବାକୁ ଯାଇଥିବା ସମୟରେ ଦୁର୍ଘଟଣବଶତଃ ମୃତ୍ୟୁ ବରଣ କଲେ ଫଳରେ ବାଧ୍ୟ ହୋଇ ଧୃତରାଷ୍ଟ୍ରଙ୍କୁ ରାଜକାର୍ଯ୍ଯ ସମ୍ଭାଳିବାକୁ ପଡିଲା । ପାଣ୍ଡୁଙ୍କର ଏହି ଅକାଳବିୟୋଗ ପୂର୍ବରୁ ସେ ପାଞ୍ଚଟି ପୁତ୍ର ସନ୍ତାନର ଜନକ ହୋଇ ସାରିଥିଲେ । କୁନ୍ତୀଙ୍କ ଗର୍ଭରୁ ତିନୋଟି ପୁଅ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ଏବଂ ମାଦ୍ରୀଙ୍କ ଗର୍ଭରୁ ନକୁଳ ଓ ସହଦେଵ ଜନ୍ମ ହୋଇଥିଲେ । କୁନ୍ତୀ ଅବିବାହିତ ଥିବା ଅବସ୍ଥାରେ ଦୁର୍ବାସା ଋଷି ତାଙ୍କୁ ଦେଇଥିବା ଏକ ମନ୍ତ୍ର ଜପ କରି ସେ ସୂର୍ଯ୍ୟଦେବଙ୍କଠାରୁ ଗୋଟିଏ ପୁତ୍ର ପ୍ରାପ୍ତ ହୋଇଥିଲେ , ଯେଉଁ ଶିଶୁଟିକୁ ସେ ଲୋକଲଜ୍ଜା ଭୟରେ ଏକ ପେଟିକା ମଧ୍ଯରେ ରଖି ନଦୀରେ ଭସାଇ ଦେଇଥିଲେ । ଏହି ଶିଶୁଟିକୁ ଅଧିରଥ ନାମକ ଜଣେ ରଥଚାଳକ ଜଳରୁ ଉଦ୍ଧାର କରି ନିଜର ସନ୍ତାନରୂପେ ପାଳି ବଡ଼ କରିଥିଲେ । ସୂର୍ଯ୍ଯଦେବଙ୍କ ଦ୍ବାରା ପ୍ରଦତ୍ତ ଏହି ଶିଶୁ ହିଁ ପରବର୍ତ୍ତୀ କାଳରେ ମହାନ୍ ଯୋଦ୍ଧା କର୍ଣ୍ଣ ନାମରେ ଖ୍ଯାତି ଲାଭ କରିଥିଲେ । ଏହି କର୍ଣ୍ଣ ହିଁ ଥିଲେ କୁନ୍ତୀଙ୍କର ଏହି ନିର୍ଦ୍ଦୟ କାର୍ଯ୍ୟକୁ ଭୁଲି ନ ପାରି ପରବର୍ତ୍ତୀ କାଳରେ ଦୁର୍ଯ୍ୟୋଧନ ସହିତ ଵନ୍ଧୁତା ସ୍ଥାପନ କରିଥିଲେ ।
ରାଜା ଧୃତରାଷ୍ଟ୍ରଙ୍କର ଶହେ ପୁତ୍ର ଥିଲେ ଏବଂ ଦୁର୍ଯ୍ୟୋଧନ ଥିଲେ ତାଙ୍କର ଜ୍ଯେଷ୍ଠ ପୁତ୍ର । ପାଣ୍ଡୁଙ୍କର ଦୁଇ ପତ୍ନୀଙ୍କ ଗର୍ଭରୁ ଜନ୍ମ ହୋଇଥିବା ପାଞ୍ଚ ଭାଇଙ୍କର ନାମ ଥିଲା ଯଥାକ୍ରମେ ଯୁଧିଷ୍ଠିର, ଭୀମ,ଅର୍ଜୁନ, ନକୁଳ ଓ ସହଦେବ । ଏହି ପ୍ରକାରେ ଧୃତରାଷ୍ଟ୍ରଙ୍କର ଶହେପୁତ୍ର କୌରବ ଓ ପାଣ୍ଡୁଙ୍କର ପାଞ୍ଚ ପୁତ୍ର ପାଣ୍ଡବ ନାମରେ ପରିଚିତ ହୋଇଥିଲେ । ପାଣ୍ଡୁଙ୍କର ଶବଦାହ ସମୟରେ ତାଙ୍କ ଦ୍ବିତୀୟ ପତ୍ନୀ ମାଦ୍ରୀ ଚିତାରେ ଝାସଦେଇ ପ୍ରାଣତ୍ଯାଗ କରିଥିବାରୁ ପ୍ରଥମ ପତ୍ନୀ କୁନ୍ତୀ ହିଁ ପାଞ୍ଚଜଣଯାକ ପୁତ୍ରଙ୍କୁ ଲାଳନ ପାଳନ କରି ବଡ଼ କରିଥିଲେ । ଏହି କୁନ୍ତୀ ଥିଲେ ଶ୍ରୀକୃଷ୍ଣଙ୍କ ପିତା ବସୁଦେବଙ୍କର ସାନ ଭଉଣୀ । ତେଣୁ ଶ୍ରୀକୃଷ୍ଣଙ୍କର ପିଉସୀ ଥିଲେ କୁନ୍ତୀ ଏବଂ ପାଣ୍ଡବମାନଙ୍କର ସହିତ ପାରିବାରିକ ସମ୍ପର୍କ ରହିଥିଲା । ଶ୍ରୀକୃଷ୍ଣ ପାଣ୍ଡବ ପାଞ୍ଚ ଭାଇଙ୍କୁ ଖୁବ୍ ଭଲ ପାଉଥିଲେ ।
ପାଣ୍ଡୁଙ୍କର ଅକାଳ ମୃତ୍ୟୁ ଯୋଗୁଁ ତାଙ୍କ ଜ୍ଯେଷ୍ଠଭ୍ରାତା ଧୃତରାଷ୍ଟ୍ର ଅତ୍ଯନ୍ତ ମର୍ମାହତ ହୋଇ ପଡିଥିଲେ । କାରଣ ସେ ତାଙ୍କର ସାନଭାଇ ପାଣ୍ଡୁଙ୍କୁ ଖୁବ୍ ସ୍ନେହ କରୁଥିଲେ । ଧୃତରାଷ୍ଟ୍ର ରାଜ୍ୟରେ ରାଷ୍ଟ୍ରୀୟ ଶୋକ ଦିଵସ ପାଳନ ଲାଗି ଆଦେଶ ଦେଇଥିଲେ । ପାଣ୍ଡୁଙ୍କର ସମସ୍ତ ଶୁଦ୍ଧିକ୍ରିୟା ସମାପନ ହୋଇଯିବା ପରେ ଦିନେ ମହର୍ଷି ବ୍ଯାସ ଆସି ରାଜଭବନରେ ଉପସ୍ଥିତ ହେଲେ ଏବଂ ରାଜମାତା ସତ୍ଯବତୀଙ୍କୁ ଡାକି ଗୋପନରେ କହିଲେ, ‘ ମା ‘ ତୁମ ବଂଶର ସୁଖର ଦିନ ସବୁ ସରିଗଲା । ବର୍ତ୍ତମାନ ଦାରୁଣ ବିପର୍ଯ୍ଯୟର ସମୟ ନିକଟତର ହୋଇ ଆସୁଛି । ତୁମେ କାହିଁକି ଦୁଃଖର ଦିନସବୁ ଆଖିରେ ଦେଖିବ ? ତୁମର କୁଳନାଶ ଅବଶ୍ୟମ୍ଭାବୀ ବୋଲି ଜାଣି ରଖ । ସୁତରାଂ ତୁମେ ତୁମ ଜୀବନର ଅନ୍ତିମ ଦିନଗୁଡିକ ଅନ୍ଯତ୍ର ଅତିବାହିତ କରିବା ଉଚିତ ହେବ । ଆଗାମୀ ଦିନଗୁଡିକର ଦାରୁଣ ଘଟଣାମାନ ସ୍ବଚକ୍ଷୁରେ ଦେଖି ମର୍ମନ୍ତୁଦ ଯନ୍ତ୍ରଣା ଭୋଗ କରିବା ଅପେକ୍ଷା ବରଂ ଅରଣ୍ଯକୁ ଯାଇ ସେଠାରେ ତପସ୍ୟା କରି ମୁକ୍ତିଲାଭ କର । ଏହା କହି ମହର୍ଷି ଚାଲିଗଲେ । ସତ୍ଯବତୀ ତାଙ୍କର ପୁତ୍ର ଭୀଷ୍ମଙ୍କ ସହିତ ପରାମର୍ଶ କରି କତିପୟ ଅନୁଚରଙ୍କୁ ସଙ୍ଗରେ ଧରି ଏକାନ୍ତବାସ ନିମନ୍ତେ ଅରଣ୍ଯକୁ ଚାଲିଗଲେ ଏବଂ ସେଠାରେ ତପସ୍ୟାରତ ଥିବା ଅବସ୍ଥାରେ ତାଙ୍କର ମହାପ୍ରୟାଣ ହୋଇଥିଲା । ସତ୍ଯବତୀଙ୍କର ତିରୋଧାନ ଯୋଗୁଁ ରାଜପରିବାରରେ ଶୋକର ଛାୟା ଖେଳିଗଲା । ବର୍ତ୍ତ….(କ୍ରମଶଃ)
ସଂଗ୍ରହକାରୀ—ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ–ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର,