ଘଟ ଗାଁ ବାସିନୀ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଘଟ ଗାଁ ବାସିନୀ ଦୁର୍ଗତି ନାଶିନୀ
ଜୟ ମା ଜୟ ତାରିଣୀ,
ତୁମ ଚରଣରେ ମଥା ନତ ସଦା
ଶୁଣିବୁ ମୋର ଦୟିନୀ
ଜୟ ଜୟ ମା ତାରିଣୀ
ଦୁର୍ଗତି ଦୁର୍ଦ୍ଦଶା ବେଳରେ ସର୍ବଦା
ସାଥେ ଥିବୁ ଗୋ ଜନନୀ ll
ନିରାଶ ନ କରି ଆଶିଷ ଢାଳିବୁ
ଶଙ୍ଖା ସିନ୍ଦୁରକୁ ମୋର
ବଜର କରିବୁ ତୋହରି ଆଶିଷେ
ମିନତି ଏହି ପୟର
ଜୟ ସିଦ୍ଧି ପ୍ରଦାୟିନୀ
ମନ୍ଦାର ମାଳରେ ସୁନ୍ଦର ଦିଶୁଛୁ
ତୁହି ଘଟ ଗାଁ ତାରିଣୀ ll
ନିରାଶ୍ରୟେ ଦେଇ ନିର୍ଭୟ ଆଶ୍ରୟ
ନିଜ ବାନା ଉଡ଼ାଉଛୁ
ଭକତି ହୃଦରେ ମାଆ ଡ଼ାକିଦେଲେ
ତୁହି ଗୋ ସାହା ହେଉଛୁ
ଜୟ ଶିବଙ୍କ ଘରଣୀ
ଘଟ ଗାଁ ‘ ର ଶାଳ ବଣରେବିରାଜି
ଅଛୁ ତୁ ନଡ଼ିଆ ରାଣୀ ll
ନାଲି ସିନ୍ଦୁରରେ ରୂପ ଝଟକୁଛି
ତୋହର କରୁଣାମୟୀ
ଅଭୟ ଚରଣେ ଶରଣ ପଶୁଛି
ଶୁଣିବୁ ଶିରୀ ପ୍ରଦାୟୀ
ଜୟ ମାଆ ଉମା ଶଙ୍କରୀ
ଦେଇଅଛୁ ଯାହା ତାହାର ସୁରକ୍ଷା
କରିବୁ ଗୋ ମାହେଶ୍ୱରୀ ll