ମୌସୁମୀ ହେ ତୁମେ ଆସ
ଉପେନ୍ଦ୍ର କୁମାର ବସ୍ତିଆ
ମୌସମୀ ହେ ତୁମେ ଆସିଯାଅ ଧାମେ
ନିଦାଘ ଯାଇଛି ଫେରି
ରୋଷଣୀ ସଜେଇ ଓଢ଼ଣୀ ପକାଇ
ଆସ ତୁମେ ଅବତରି
ଧରଣୀ ବକ୍ଷେ ଭରିଦିଅ ତୁମେ
ଶସ୍ୟ ସମ୍ଭାର ଶିରି
ନିଦାଘ ଯାଇଛି ଫେରି ।
ତୁମ ଆଗମନେ ଧରଣୀ ବକ୍ଷେ
ଆଦ୍ୟ ଅସରା ଝରେ
ବେଙ୍ଗୁଲି ନାନୀଟା ସାରୁମୁଳେ ବସି
ହୁଳହୁଳି ସ୍ୱନ କରେ
ମେଘ ସବାରୀରୁ ଓହ୍ଲାଇ ଆସ ହେ
ସୃଜନୀ ପସରା ଧରୀ
ନିଦାଘ ଯାଇଛି ଫେରି ।
ବିନ୍ଦୁ ବିନ୍ଦୁ ହୋଇ ଝରିପଡ଼ ଯେବେ
ଟାଙ୍ଗରା ଭୁଇଁର କୋଳେ
ତୁମରି ପରଶେ କଦମ୍ବ କଢୀ
ପସ୍ଫିତିଟ ହୁଏ ଭୋଳେ
ଅବାରିତ ଭାବେ ଝରାଇ ଦିଅ ଗୋ
ସଂଜୀବନୀ ସୁଧା ବାରୀ
ନିଦାଘ ଯାଇଛି ଫେରି ।
ତୁମରି ପଥକୁ ଏ ସାରା ଜଗତ
ଚାହିଁଛି ଚାତକ ପରି
ତୃଷିତ ଧୂସର ଧରଣୀ ପୃଷ୍ଠେ
ସବୁଜିମା ଦିଅ ଭରି
ନିଦାଘ ଯାଇଛି ଫେରି ।
ବାଉଁଶ ବଣରୁ ଡାହୁକ ଶୁଣାଏ
ତୁମ ଆଗମନି ବାର୍ତ୍ତା
କେବଳ କୃଷକ ବନ୍ଧୁ ନୁହ ତୁମେ
ଜୀବ ଜଗତର ସ୍ରଷ୍ଟା
ଜନ ସମାଜର ମନେ ଭରିଦିଅ
ଆଶାର ଆଲୋକ ଢ଼ାଳି
ନିଦାଘ ଯାଇଛି ଫେରି ।
ତୁମେ ନ ଆସିଲେ ମହାମାରୀ ସୃଷ୍ଟି
ଆସଇ ଅକାଳେ ମାଡ଼ି
ସବୁରୀ ମନରେ ନୈରାସର ଭାବ
ହା ହା କାର ଯାଏ ବଢି
ଭୟେ ବିହ୍ଵଳିତ ମାନବ ସମାଜ
ରୋମାଞ୍ଚ ଯାଆଇ ଭରି
ନିଦାଘ ଯାଇଛି ଫେରି ।
ରାଉରକେଲା