ଆସନ୍ତୁ ଜାଣିବା ବିଷ୍ଣୁ ପୁରାଣ ପଠନ ଓ ଶ୍ରବଣର ମହତ୍ତ୍ଵ ବିଷୟରେ କିଛି….
ବେଦବ୍ୟାସଙ୍କ ଦ୍ବାରା ରଚିତ ପୁରାଣ ମଧ୍ୟରେ ବିଷ୍ଣୁ ପୁରାଣ ଏକ ବିଶେଷ ସ୍ଥାନ ଲାଭ କରିଛି । ଏହି ପୁରାଣରେ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ହୋଇଛି । ଯେତେବେଳେ ମହର୍ଷି ପରାଶରଙ୍କ ପିତାଙ୍କୁ ରାକ୍ଷସମାନେ ମାରିଦେଲେ ସେତେବେଳେ ଋଷି ପରାଶର ରାକ୍ଷସଙ୍କ ବିନାଶ ପାଇଁ ରକ୍ଷୋଧ୍ନ ଯଜ୍ଞର ଆରମ୍ଭ କଲେ । ଋଷି ପରାଶରଙ୍କର ଏହି ଯଜ୍ଞର ଶକ୍ତି ଏତେ ଅଧିକ ଥିଲା ଯେ, ହଜାରରୁ ଉର୍ଦ୍ଧ୍ବ ରାକ୍ଷସ ଏହି ଯଜ୍ଞ କୁଣ୍ଡରେ ପଡି ବିନାଶ ହେଲେ । ଏହାପରେ ରାକ୍ଷସ ମାନଙ୍କ ପିତା ପୁଲସ୍ତ୍ଯ ଋଷି ଏବଂ ପରାଶର ଋଷିଙ୍କ ପିତାମହ ବଶିଷ୍ଠ ମହର୍ଷି ପରାଶରଙ୍କୁ ବୁଝାଇ ଏହି ଯଜ୍ଞ ବନ୍ଦ କରାଇଥିଲେ । ଯଜ୍ଞ ବନ୍ଦ ହେବା ପରେ ପୁଲସ୍ତ୍ଯ ଋଷି ପ୍ରସନ୍ନ ହୋଇଥିଲେ ଏବଂ ଋଷି ପରାଶରଙ୍କୁ ବିଷ୍ଣୁ ପୁରାଣ ରଚନା କରିବାକୁ ଆଶୀର୍ବାଦ ପ୍ରଦାନ କରିଥିଲେ । ପୁଲସ୍ତ୍ଯ ଋଷିଙ୍କ ଆଶୀର୍ବାଦର ଫଳ ସ୍ବରୂପ ମୁନି ପରାଶରଙ୍କ ମନରେ ବିଷ୍ଣୁ ପୁରାଣ ସ୍ମରଣ ହେଲା । ସଙ୍ଗେ ସଙ୍ଗେ ପରାଶର ମୁନି ମୈତ୍ରେୟଙ୍କୁ ସମ୍ପୂର୍ଣ୍ଣ ବିଷ୍ଣୁ ପୁରାଣ ଶୁଣାଇଲେ ।
ବିଷ୍ଣୁ ପୁରାଣରେ ୬ଟି ଅଂଶରେ ୨୩ ହଜାର ଶ୍ଳୋକ ସ୍ଥାନ ପାଇଛି । ଏହି ଗ୍ରନ୍ଥରେ ଭଗବାନ ବିଷ୍ଣୁ, ବାଳକ ଧ୍ରୁବ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର କଥା ଲିପିବଦ୍ଧ ହୋଇଛି । ଏହା ବ୍ଯତୀତ ଏହି ପୁରାଣରେ ରାଜା ପୃଥୁଙ୍କ କଥା ବର୍ଣ୍ଣିତ ହୋଇଛି । ଏହି କାରଣରୁ ଏହି ଧରିତ୍ରୀ ପୃଥ୍ବୀ ନାମରେ ନାମିତ ହୋଇଛି । ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ ରାଜାଙ୍କ ଇତ୍ୟାଦି ମଧ୍ୟ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି । ବିଷ୍ଣୁ ପୁରାଣ ଅନୁସାରେ ଦେବତାମାନେ କହିଛନ୍ତି ଯେ, ସେହି ଲୋକମାନେ ଧନ୍ୟ ଅଟନ୍ତି ଯେଉଁମାନେ ମାନବ ଜନ୍ମ ପ୍ରାପ୍ତ ହୋଇଛନ୍ତି । ଏହି ପୁରାଣରେ ଏକଥା ମଧ୍ୟ କୁହାଯାଇଛି ଯେ, ଯେଉଁ ମନୁଷ୍ୟ ପୃଥିବୀରେ ଜନ୍ମଲାଭ କରି ଭଗବାନ ବିଷ୍ଣୁଙ୍କ ଗୁଣକୀର୍ତ୍ତନ କରୁଛି ସେ ଦେବତା ମାନଙ୍କ ଠାରୁ ମଧ୍ୟ ଅଧିକ ଭାଗ୍ୟଶାଳୀ । ମନୁଷ୍ୟ ଅତ୍ୟନ୍ତ ଭାଗ୍ଯଶାଳୀ ଅଟେ । ଯିଏ ଭାରତ ଭୂମିରେ ଜନ୍ମଲାଭ କରିଛି । କାରଣ ମନୁଷ୍ୟ ଏହି ଭୂମିରେ ଶୁଭକର୍ମ କରି ସ୍ବର୍ଗଲୋକ ପ୍ରାପ୍ତି ହୋଇଥାଏ ।
ଯେଉଁ ବ୍ଯକ୍ତି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଚରଣରେ ମନ ଲଗାଇ ବିଷ୍ଣୁ ପୁରାଣ କଥା ଶ୍ରବଣ କରେ, ତା’ର ସମସ୍ତ ପାପ ନଷ୍ଟ ହୋଇଯାଏ । ଏହି ବ୍ଯକ୍ତି ମର୍ତ୍ତ୍ୟଲୋକରେ ସୁଖ ଭୋଗ କରି ମୃତ୍ୟୁ ହେବା ପରେ ସ୍ବର୍ଗଲୋକରେ ଦିବ୍ୟ ସୁଖ ଅନୁଭବ କରିଥାଏ । ବିଷ୍ଣୁ ପୁରାଣ ବେଦତୁଲ୍ଯ ଅଟେ । ଏହି ପୁରାଣ ପଢୁଥିବା ଏବଂ ଶୁଣୁଥିବା ବ୍ଯକ୍ତି ଆୟ, ଧନ, ଧର୍ମ ଓ ବିଦ୍ଯା ପ୍ରାପ୍ତି ହୋଇଥାଏ । ସେଥିପାଇଁ ସଂସାରର ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ଅତି କମରେ ଥରେ ଏହି ଗୋପନୀୟ ପୁରାଣ ପଢିବା ବା ଶୁଣିବାର ଆବଶ୍ୟକତା ରହିଛି ।।