ଭାବଗ୍ରାହୀ
ଉପେନ୍ଦ୍ର କୁମାର ବସ୍ତିଆ
ତୁମେ ପରବ୍ରହ୍ମ ନୀଳାଦ୍ରି ବିହାରୀ
ତୁମେ ଜଗତର ନାଥ
ଭାବକୁ ନିକଟ ଅଭାବକୁ ଦୂର
ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ର ।
କିଏ କହେ ପୁଣ୍ୟ ନୀଳାଚଳ ଧାମ
କିଏ କୁହେ ପୁରସ୍ତମ ।
ଚାରିଧାମେ ଶ୍ରେଷ୍ଠ ଅଟେଇ ଶ୍ରୀକ୍ଷେତ୍ର
ଶିଳାଖଣ୍ଡ ଶାଳଗ୍ରାମ ।
ବଡ ଦେଉଳର ମହିମା ଅପାର
ତୁମେ ପ୍ରଭୁ ବଡ ସାକ୍ଷୀ
ତୁମ ଶ୍ରୀ ବଦନ ଦେଖିଦେଲେ ଥରେ
ଆଖିଯାଏ ସତେ ଲାଖି ।
ଆନନ୍ଦ ବଜାର ଶ୍ରୀ ମହାପ୍ରସାଦ
ପୁଣ୍ୟ ବଡ଼ଦାଣ୍ଡ ଧୂଳି
ପାଇଛି ଆଦର ତୁମ ସ୍ଵର୍ଗଦ୍ଵାର
ପୁଣ୍ୟ ସେ ଶରଧାବାଲି ।
ସୀମାହୀନ ନୀଳ ସାଗରର ଢେଉ
ନାଚି ନାଚି ଯାଉଥାଏ
ନୀଳଚକ୍ରେ ଉଡେ ପତିତପାବନ
ବାନାସାମ୍ୟ ଗୀତି ଗାଏ।
ଜଗତର ନାଥ ଆହେ ଜଗନ୍ନାଥ
ଧନ୍ୟ ମହିମା ତୁମର
ତୁମନାମ ଜପି ଯାଉ ଏ ଜୀବନ
ଏତିକି କରୁଣା କର ।
ରାଉରକେଲା