ରଥ ଯାତ
ଚନ୍ଦ୍ରକଳା ଦେବୀ
ଆଷାଢ଼ ଶୁକଳ ଦ୍ଵିତୀୟା ତିଥିରେ
ହୋଇଥାଏ ରଥଯାତ,
ପୁରୀ ବଡ଼ ଦାଣ୍ଡ ଉଛୁଳି ପଡଇ
ଦେଖି ମନ ପୁଲକିତ ||
ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚାଙ୍କ ନାମେ
ହୋଇଛି ଗୁଣ୍ଡିଚା ଯାତ,
ଗୁଣ୍ଡିଚା ନାମର ଉଚ୍ଚାରଣ କଲେ
ନାଶ ଯାଏ ସର୍ବ ପାପ ||
ଠାକୁରଙ୍କ ରଥ କରି ଆରୋହଣ
ଉତ୍କଳର ଗଜପତି
ସ୍ବର୍ଣ୍ଣ ଖଡ଼ିକାରେ ଛେରା ଓ ପହଁରା
ଫୁଲ ଚନ୍ଦନ ସିଞ୍ଚନ୍ତି ||
ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୂରତି
ହଲି ହଲି ଝୁଲି ଝୁଲି
ରଥ ଆରୋହଣ କରନ୍ତି ଠାକୁର
ଭକ୍ତଙ୍କ ସଙ୍ଗରେ ମିଳି ||
ତାଳଧ୍ଵଜ ରଥେ ବିଜେ ବଳଦେବ
ରଥରେ ଚଉଦ ଚକ,
ସାରଥି ମାତଳୀ ସମ୍ମୁଖରେ ଛନ୍ତି
ଆଗକୁ ଗଡ଼ଇ ରଥ ||
ମଝିରେ ସୁଭଦ୍ରା ଦେବଦଳନ ଯେ
ବାରଟି ଚକ ବିଶିଷ୍ଟ,
ପା6ର୍ଶ୍ଵ ସୁଦର୍ଶନ ସାରଥି ଅର୍ଜ୍ଜୁନ
ଦେଖିଣ ସରବେ ତୁଷ୍ଟ ||
ପଛରେ ଆସନ୍ତି କାଳିଆ ଠାକୁର
ନନ୍ଦିଘୋଷ ଯା’ର ରଥ,
ଷୋହଳ ଚକଯେ ଦାରୁକ ସାରଥି
ବାହୁଥାନ୍ତି ପରା ରଥ ||
ଖୋଳ କରତାଳ ଘଣ୍ଟ ଘଣ୍ଟି ନାଦ
ହରିବୋଲ ହୁଳହୁଳି,
ଲକ୍ଷ ଲକ୍ଷ ଭକ୍ତ ସମାଗମ ପୁଣି
ଆନନ୍ଦରେ କରତାଳି ||
ସଂକୀର୍ତ୍ତନ ଦଳ ହରେକୃଷ୍ଣ ନାମ
ଭଜନ୍ତି ଭାବ ବିହ୍ଵଳେ,
ଗୋଟିପୁଅ ନାଚ ମହାରୀର ନୃତ୍ୟ
ପ୍ରଭୁଙ୍କ ନିମନ୍ତେ ଭଲେ ||
ସତ୍ୟେ ନାରାୟଣ ତ୍ରେତୟାରେ ରାମ
ଦ୍ୱାପରରେ କଳାକାହ୍ନା,
କଳିଯୁଗେ ସେତ ଜଗତର ନାଥ
ରଥ ଯାତ ପତ୍ନୀ ବିନା ||
ମାନବ ଜାତିକୁ ଦିଗ ଦର୍ଶନ ଦିଏ
ଭାଇର ଭଉଣୀ ପ୍ରାଣ
ଭାଇ ଭଉଣୀର ସଂପର୍କ ନିବିଡ଼
ରଥ ଯାତ ତା’ପ୍ରମାଣ ||