ଆଜିଠୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ମୋଟ୍ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ପ୍ରଥମେ ଅର୍ଥମନ୍ତ୍ରୀ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। କୃଷି ବଜେଟ୍ରେ ଜଳସେଚନ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି । ବଜେଟ୍ରେ ଉଦ୍ୟାନ କୃଷି ପାଇଁ ୩୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଚଳିତ ବର୍ଷ ୧୨,୫୦୦ ନଳକୂପ ଖନନ କରାଯିବ। ଏଥିପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ବଜେଟ୍ରେ ୧୮୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।