ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋତୋମୁଣ୍ଡା ରେ ନିଆରା ରଥଯାତ୍ରା, ଦେବାଦେବୀ ଲାଠିଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର 

କୋକସରା,୦୯/୦୭-(  ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତୋମୁଣ୍ଡା ଗ୍ରାମରେ ଏକ ନିଆରା ପରମ୍ପରାରେ ବାହୁଡା ଯାତ୍ରା ଶନିବାର ଦିନ ସମ୍ପନ୍ନ ହୋଇଛି । ଗୋତୋମୁଣ୍ଡା ଓ ପାଖାପାଖି ଗ୍ରାମ ଗୁଡିକର ଦେବାଦେବୀ ଙ୍କ ଲାଠି, କୁର୍ସି ଓ କାଳିଶି ସାମିଲ ହେବା ପରେ ଏଠାରେ ବାହୁଡା ଯାତ୍ରା ସଂମ୍ପନ୍ନ ହୋଇଥାଏ। ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ରହିଛି ଗୋତୋମୁଣ୍ଡା ଗ୍ରାମ । ନିକଟବର୍ତ୍ତୀ ଗାଁ ଗୁଡିକରେ ଅଧିକ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ଆଜି ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଳିତ ହେଉଥିବା ବେଳେ ପୂର୍ବରୁ ଗୋତୋମୁଣ୍ଡା ଗ୍ରାମରେ ଆଜିର ଦିନରେ ମଣ୍ଡେଇ ଯାତ୍ରା ହେଉଥିଲା । ଏହି ମଣ୍ଡେଇ ଯାତ୍ରାରେ ଗୋତୋମୁଣ୍ଡା ସହ ଆଖପାଖ ଗ୍ରାମ ଗୁଡିକର ଦେବାଦେବୀ ମାନେ ସାମିଲ ହୋଇଥାନ୍ତି। ଲୋକଶୃତି ଅନୁସାରେ ଅନେକ ବର୍ଷ ଆଗରୁ ଗୋତୋମୁଣ୍ଡା ଗାଁର ଗୌନ୍ତିଆ ଗାଁରେ ନଥିବା ସମୟରେ ଜଣେ ବୈରାଗୀ ସଂପ୍ରଦାୟର ଜଣେ ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଆସି ଜଗନ୍ନାଥ ପ୍ରଭୂଙ୍କୁ ରଖି ପୁଜା କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ଗୋତୋମୁଣ୍ଡା ବାସୀ ଗୌନ୍ତିଆ ନଥିବା ସ୍ଥଳେ ଏହି ସବୁ କାର୍ଯ୍ୟ କରିବା ପାଇଁ ମନା କରି ଦେଇଥିଲେ । ଫଳ ସ୍ୱରୂପ ସଂପୃକ୍ତ ବୈରାଗୀ ବ୍ୟକ୍ତି ଜଣକ ମହାପ୍ରଭୁ ଜଗନ୍ନାଥକୁ ନେଇ ଅନ୍ୟତ୍ର ଚାଲି ଯାଇଥିଲେ । ଗାଁ ର ଗୌନ୍ତିଆ ଗୋତୋମୁଣ୍ଡା ଫେରିବା ପରେ ଗ୍ରାମବାସୀ ଘଟଣା ସଂପର୍କରେ କହିଥିଲେ । ତା ପରଦିନ ଗୌନ୍ତିଆ ସଂପୃକ୍ତ ବୈରାଗୀ ବ୍ୟକ୍ତିଙ୍କୁ ଖୋଜି ଆଣିବା ପାଇଁ ଗ୍ରାମବାସୀ କୁ କହିଥିଲେ। ଗ୍ରାମର କିଛି ବ୍ୟକ୍ତି ପଡ଼ୋଶୀ ଛତିଶଗଡ ରାଜ୍ୟ ବରିଗାଁ କୁ ଯାଇ ସଂପୃକ୍ତ ବ୍ୟକ୍ତିକୁ ଭେଟି ଗୋତୋମୁଣ୍ଡା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ବୈରାଗୀ ବ୍ୟକ୍ତି ଜଣକ ଗୋତୋମୁଣ୍ଡା ପହଞ୍ଚି ଗୌନ୍ତିଆଙ୍କୁ ସାକ୍ଷାତ କରି ବିଗ୍ରହ ସ୍ଥାପନ କରି ପୁଜା କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ଜଗନ୍ନାଥଙ୍କ ଘୋଷଯାତ୍ରା ସରି ଯାଇଥିବା ବେଳେ ବାହୁଡା ଯାତ୍ର ହୋଇନଥିଲା । ଗୋତୋମୁଣ୍ଡା ଗୌନ୍ତିଆ ବାହୁଡା ଦିନ ମହାପ୍ରଭୁଙ୍କ ବିଗ୍ରହ ଆଣିବା ପାଇଁ ଅନୁମତି ଦେଇଥିଲେ । ବାହୁଡା ଯାତ୍ରା ଦିନ ବୈରାଗୀ ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଗ୍ରାମକୁ ପହଞ୍ଚିଥିଲେ । ବାହୁଡା ଯାତ୍ରା ଦିନ ସଂଯୋଗ ବଶତଃ ଗୋତୋମୁଣ୍ଡା ଗ୍ରାମରେ ମଣ୍ଡେଇ ଯାତ୍ରା ରହିଥିଲା । ଗୋତୋମୁଣ୍ଡା ଗୌନ୍ତିଆ ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀ ଙ୍କ ଲାଠି, କୁର୍ସି, କାଳିଶି ସହ ବାଜା ବଜାଇ ଜଗନ୍ନାଥ ମହାପ୍ରଭୁ ଙ୍କୁ ସ୍ୱାଗତ କରି ଗ୍ରାମକୁ ପାଛୋଟି ନେଇଥିଲେ । ସେହି ଦିନରୁ ଆଜି ପର୍ଯ୍ୟନ୍ତ ଉକ୍ତ ପରମ୍ପରା ଅନୁସାରେ ବାହୁଡା ଯାତ୍ରା ହୋଇ ଆସୁଛି ବୋଲି ଗୋତୋମୁଣ୍ଡା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଚଳିତ ବର୍ଷର ବାହୁଡା ଯାତ୍ରା ମଧ୍ୟ ଅନୁରୁପ ପରମ୍ପରାରେ ଶେଷ ହୋଇଛି । ଗୋତୋମୁଣ୍ଡା ଓ ଆଖପାଖ ଗ୍ରାମର ଦେବାଦେବୀ ଲାଠି,କାଳିଶି ସହ ବଜାବଜାଇ ଗୋତୋମୁଣ୍ଡା ଗ୍ରାମର ଦେବୀ ପୀଠକୁ ପହଞ୍ଚି ଥିଲେ । ପରେ ଦେବାଦେବୀ ଙ୍କ ପୁଜା ଆରମ୍ଭ ହୋଇଥଲା । ପୁଜା କାର୍ଯ୍ୟ ଶେଷ ହେବା ପରେ ଦେବାଦେବୀ ମାନଙ୍କର ଲାଠି, କାଳିଶି ନିଜ ନିଜର ବାଜା ବଜାଇ ମାଉଁସୀ ମାଁ ମନ୍ଦିର ଅଭିମୂଖେ ବାହାରିଥିଲେ । ମାଉସୀ ମନ୍ଦିର ପହଞ୍ଚିବା ପରେ ଦେବାଦେବୀ ମାନେ ମହାପ୍ରଭୁ ଜଗନ୍ନାଥକୁ ପାଛୋଟି ନେବା ପାଇଁ ଅନୁରୋଧ କରିଥିଲେ । ଦେବାଦେବୀଙ୍କ ଅନୁରୋଧ ପରେ ତିନି ଠାକୁର ରଥ ଚାରିପଟେ ପରିକ୍ରମା କରି ରଥରେ ବିଜେ କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଶହ ଶହ ସଂଖ୍ୟକ ଭକ୍ତ ସାମିଲ ହୋଇ ରଥ ଟାଣିଥିବା ଦେଖିବାକୁ ମିଳିଥିଲା । ବିଗତ ୨ ବର୍ଷ କୋଭିଡ କଟକଣା ଯୋଗୁଁ ଭଗବାନ ଓ ଭକ୍ତ ଙ୍କ ମିଳନ ହୋଇ ପାରିନଥିଲା। ତେବେ ଚଳିତ ବର୍ଷ ୫ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସମେତ ନବରଙ୍ଗପୁର, ଦଣ୍ଡପାଟ ଅଞ୍ଚଳ ରୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି। ବାହୁଡା ଯାତ୍ରା କୁ ସୁଚାରୁ ରୂପେ ପରିଚାଳନା ପାଇଁ ଜଗନ୍ନାଥ କମିଟିର ସଭାପତି ହେମନ୍ତ ମାଝୀ, ଉପ ସଭାପତି ପାର୍ଥବ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ଦୁର୍ଯୋଧନ କାଣ୍ଡ, ହିମାଞ୍ଚଲ ପୁଝାରି, ପୂଜକ ମନୋହର ପୁଝାରୀ, ଜଗନ୍ନାଥ ପୂଜକ ସୁବାଷ ଚନ୍ଦ୍ର ଦାସ,ବଳରାମ ମାଝୀ,ବଳିଆର ସିଂ ମୋରାଇ, ହିର ହଂସ, ଭରତ ପୁଝାରି, ମୁକୁନ୍ଦ ନାଗେଶ, ଯଦୁମଣି ଦୁର୍ଗା ପ୍ରମୁଖ ସମେତ ଗ୍ରାମବାସୀ ଙ୍କ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଆମପାଣି ଥାନାଧିକାରି ଚତୁର୍ଭୁଜ ନାଏକ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ରହି ବାହୁଡା ଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହ ନିୟନ୍ତ୍ରଣ କରିଥିଲେ।

Related posts

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ପକ୍ଷରୁ ବୈଠକ

Sunil Chandra Nayak

ଗଛ ମଣିଷ ଘନଶ୍ଯାମଙ୍କ ପରଲୋକ,ବିଭିନ୍ନ ମହଲରେ ଶୋକ

Sunil Chandra Nayak

ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ପାପଡାହାଣ୍ଡିର ଚନ୍ଦନ

Sunil Chandra Nayak

Leave a Comment

error: Content is protected !!