ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା  ପ୍ରଭୁ, କ’ଣ ସବୁ ଭଲ?

   ପ୍ରଭୁ, କ’ଣ ସବୁ ଭଲ?

     ଅପର୍ତ୍ତି ସେଠୀ

        (ରମ୍ୟ ରଚନା)
ମାଉସୀ ଘରକୁ ଯାଇଥିଲ ପ୍ରଭୁ
        ଭଲମନ୍ଦ କିଛି କୁହ,
ଯାହା ଅନୁଭୂତି ମୋ ସହିତ କିଛି
        ଦୟାକରି ବାଣ୍ଟି ଦିଅ।
ମା’ଲକ୍ଷ୍ମୀ ଯାହା ଅବସ୍ଥା କରିଲେ
       ସେ ସବୁ ମୋତେ ତ ଜଣା,
ରସଗୋଲା ଲାଞ୍ଚ ତୁମେତ ଦେଇଛ
       ଡରିମରି‌ ତାଙ୍କୁ ସିନା।
ମନ ମୋର କିନ୍ତୁ ବୁଝୁନାହିଁ ପ୍ରଭୁ
      ତୁମେ ତ ଯେଣୁ ନାଟୁଆ,
ଆଉ କାଳେ କିଛି ନାଟ କରିଥିବ
      ରାଗିଥିବେ ଲକ୍ଷ୍ମୀ ମାଆ।
ମାଆ ଲକ୍ଷ୍ମୀ ଏବେ ଷାଠିଏ ପ‌ଉଟି
       ଆନନ୍ଦରେ ରାନ୍ଧିଲେଣି,
ଶିରୀ ମନ୍ଦିରରେ ପୂର୍ବ ଭଳି ଏବେ
        ଭକ୍ତ ଭିଡ଼ ଲାଗିଲାଣି।
ଜଣା ତ ପଡ଼ୁଛି ଏ ସବୁ ଦେଖିକି
        ପ୍ରାୟ ଭଲ ତୁମେ ଅଛ,
ତଥାପି ରଥରେ ଉଠାପକା‌ ହେଲ
        ଦେହେ ପାଉଥିବ କଷ୍ଟ।
କିନ୍ତୁ ତୁମେ ଏବେ ଶୋଇପାରୁ ନାହଁ
         ମାଉସୀଙ୍କୁ ଝୁରି ହୁଅ,
ଯଦି ଟିକେ ଶୁଅ ବିଳିବଳେଇକି‌
         ମାଆ ମାଆ ବୋଲି କୁହ।
ଆଉ କିଛି ଦିନ ରହିବାକୁ ଇଚ୍ଛା
         କରିଥିଲ ଚକା ଆଖି,
ହେଲେ ଲକ୍ଷ୍ମୀଡରେ ଆହେ ଜଗନ୍ନାଥ
         ତୁମେ ଫେରି ଆସିଲକି?
ମନେ ରଖିଥାଅ ଆହେ କଳାମୁହଁ
         ଯେବେ ଯେଉଁଠିକି ଯିବ,
ଭାଇ ଭ‌ଉଣୀଙ୍କୁ ନେଉଥାଅ ପଛେ
         ଲକ୍ଷ୍ମୀଙ୍କୁ ସଙ୍ଗରେ ନେବ।
ନଚେତ୍ ଆଗକୁ ଦୋଷ ଦେବନାହିଁ
          ପରିସ୍ଥିତି ଯାହା ହେବ,
ଲକ୍ଷ୍ମୀ ପୁରାଣଠୁଁ ଆଉ ଏକ ଶାସ୍ତ୍ର
          ତୁମପାଇଁ ଲେଖାହେବ।
ବାର ବର୍ଷ ନୁହଁ ବାରଯୁଗ ପାଇଁ
          ଅନ୍ନ ବସ୍ତ୍ର ପାଇବନି,
ଲକ୍ଷ୍ମୀଙ୍କର ଏହା ଯୋଜନା ରହିଛି
         ଜାଣି ଥାଅ ବେଣୁପାଣି।
ସ୍ଵପ୍ନାଦେଶ ଦିଅ ଗଜପତି ଆଉ
         ଏକ ରଥ ଗଢିଦ୍ଯନ୍ତୁ,
ସେ ରଥରେ ଲକ୍ଷ୍ମୀ ଯାତରା‌ କରିବେ
         ରାଗିବେନି ଆଉ କିନ୍ତୁ।
ନା ତୁମ ରଥର କାଠ ଭଙ୍ଗା ହେବ
         ନା ତୁମେ ଗାଳି ଖାଇବ,
ନା ସିଂହ ଦୁଆରେ ଭକ୍ତ ସମ୍ମୁଖରେ
        ଇଜ୍ଜତ ଦେବାକୁ ହେବ।
ତୁମେ ସ୍ଵାମୀ ସ୍ତ୍ରୀ ରଥଯାତ୍ରା ବେଳେ
         ବହୁ ନାଟକ କଲଣି,
ଆମେ ଯେତେ ଭକ୍ତ ତୁମ ଏ ନାଟକ
         ବହୁବାର ଦେଖିଲୁଣି।
ଆମ ଘରେ କ’ଣ ଝଗଡ଼ା ଲାଗୁନି
         ହେଲେ ତୁମ ଭଳି ନୁହଁ,
ବଡ ଘର ବଡ ଗୁମର କଥା ଏ
         ତୁମର ହେ କଳା ମୁହଁ।
ମୁଁ କିଏ ଏକଥା ତୁମକୁ କହୁଛି
        ତୁମେ କ’ଣ ଜାଣିନାହଁ,
ମୁଁ ସେହି ଅପର୍ତ୍ତି ତୁମ ହିତାକାଙ୍‌କ୍ଷୀ
        ଅନ୍ଯ ଆଉ କେହି ନୁହଁ‌।

ପାଳକଣା‌, କୋରୋ‌ , କେନ୍ଦ୍ରାପଡ଼ା

   

Related posts

ସାଇ ଅଂଶୁମାନ ଙ୍କ କବିତା ସ୍ମୃତି ରେ ସୁବାସ

Sunil Chandra Nayak

ଓଡିଶା ମୋ ପରିବାର ତରଫରୁ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଇନ୍ଦିରା ଗାନ୍ଧୀ ଙ୍କ ୩୮ ତମ ଶ୍ରାଦ୍ଧ ଦିବସ

Sunil Chandra Nayak

Leave a Comment

error: Content is protected !!