ଗୁରୁତର ଅବସ୍ଥାରେ ବୋହୂ ଅନୁଗୁଳ ମେଡିକାଲରେ ଭର୍ତ୍ତି
ଢେଙ୍କାନାଳ, କାମାକ୍ଷାନଗର 17/7/22 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତ ଶ୍ବଶୁର ଜଣଙ୍କ ହେଲେ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି । ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ,ରାତି ପ୍ରାୟ ୧୧ ଟା ସମୟରେ କୌଣସି କଥାକୁ ନେଇ ଶ୍ୱଶୁର ବେଣୁଧର ପ୍ରଧାନ ଓ ବଡ଼ ବୋହୂ ଯଶୋଦା ପ୍ରଧାନଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ହାତାହାତି ଓ ପରେ ଟାଙ୍ଗିଆରେ ହଣା ହାଣି ହୋଇଥିଲେ । ଘଟଣା ସ୍ଥଳରେ ଉଭୟେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟେଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଛନ୍ତି ଏବଂ ବୋହୂ ଯଶୋଦାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଏ ନେଇ ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ