ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜିଠୁ ମାଓ ସପ୍ତାହ,ପୁଲିସ ପାଇଁ ଚ୍ୟାଲେଞ୍ଜ୍, ଅଧିକ ଉଗ୍ର ହେବା ଆଶଙ୍କା

ସୁରକ୍ଷା ବ୍ୟବସ୍ଥା କଡାକଡି…..

ଆଜିଠାରୁ ପାଳିତ ହେଉଛି ମାଓ ସପ୍ତାହ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଓମାଦୀମାନେ ଅଧିକ ଭୟଙ୍କର ହେବା ଆଶଙ୍କା କରାଯାଉଛି। ଗତ ୬ ମାସରେ ପୁଲିସ ଆକ୍ରମଣ‌ରେ ୧୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ରୁ ଅଧିକ ମାଓନେତା ପୁଲିସ ଗୁଳିର ଶିକାର ହୋଇଛନ୍ତି। କିଛି ଦୁର୍ଦ୍ଦାନ୍ତ ମାଓ ନେତାଙ୍କ ସହ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତେଣୁ ଓଡ଼ିଶାରେ ସେମାନଙ୍କ ସ୍ଥିତି କ୍ରମଶଃ ଦୁର୍ବଳ ହୋଇପଡ଼ୁଥିବା ଚର୍ଚ୍ଚା ହେଉଛି। ତେଣୁ ସେମାନେ ଗତ ୬ ମାସ ଭିତରେ ବିଭିନ୍ନ ସମୟରେ ପୁଲିସ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଛନ୍ତି। ସେମାନଙ୍କ ଯୋଜନାବଦ୍ଧ ଆକ୍ରମଣରେ ୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ସେହିଭଳି ସେମାନେ ଜଣଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ଗଳାକାଟି ବଡ଼ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟାନ୍ୟ ହିଂସାକାଣ୍ଡରେ ବହୁ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ଏବେ ମାଓ ସପ୍ତାହ ଆରମ୍ଭ ହୋଇଥିବାରୁ ସେମାନେ ପୁଣି ଅଧିକ ଉଗ୍ର ହେବା ସମ୍ଭାବନା ରହିଛି ଓ ଏହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ।

ସୂଚନାନୁସାରେ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଗତ ୬ ମାସ ମଧ୍ୟରେ ପୁଲିସ ଓ ମାଓବାଦୀ ୬ରୁ ଅଧିକ ଥର ମୁହାଁମୁହିଁ ହୋଇଛନ୍ତି। ଜାନୁଆରି ୧୮ରେ ଛତିଶଗଡ଼ ସୀମାନ୍ତରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଓଡ଼ିଶା ସୀମାନ୍ତ ବିଜାପୁର ଜିଲ୍ଲା ଇଲମିଡି ଜଙ୍ଗଲରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା ଓ ତେଲେଙ୍ଗାନା ଗ୍ରେହାଉଣ୍ଡଙ୍କ ଗୁଳିମାଡ଼ରେ ଦୁର୍ଦ୍ଦାନ୍ତ ମାଓନେତା ସୁଧାକର ଟଳିପଡ଼ିଥିଲା। ସେହିପରି ସୁକ୍‌ମା ଜିଲ୍ଲା ମରଜୁମ ଠାରେ ଡିଭିଏଫ୍ ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଫେବ୍ରୁଆରି ୨୭ରେ ଛତିଶଗଡ଼ର ବସ୍ତର ଜିଲ୍ଲା ଜାବେଲି ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ମହିଳା କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୧୧ରେ ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ନକ୍ସଲ ସଙ୍ଗଠନର ଡେପୁଟି କମାଣ୍ଡର ତଥା ହାର୍ଡକୋର ମାଓବାଦୀ ରିତେଶ ପୁନେମଙ୍କ ମୃତ୍ୟୁ ହୋଇଥିଲା। ମେ ୩୧ରେ ମାଲକାନଗିରି ସୀମାନ୍ତ ଦାନ୍ତେୱାଡା ଗୁଲ୍‌ମନାର ଜଙ୍ଗଲରେ ଗୁଳି ବିନିମୟ ବେଳେ ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍‌ ମହିଳା ମାଓବାଦୀ ପାଇକେ ବେକୋ ନିହତ ହୋଇଥିଲେ।

ଗତ ମେ ୧୧ରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଜଙ୍ଗଲ ଓ ଛତ୍ରତାଣ୍ଡି ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମଧ୍ୟ ଗୁଳି ବିନିମୟ ହୋଇଥିଲା। ମାତ୍ର ଏଥିରେ କେହି ମୃତାହତ ହୋଇନଥିଲେ। ଜୁନ୍‌ ୨୧ରେ ନୂଆପଡ଼ା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଯବାନ ଶିଶୁପାଳ ସିଂ, ଶିବଲାଲ୍‌ ଓ ଧର୍ମେନ୍ଦ୍ର ସିଂ ସହିଦ ହୋଇଥିଲେ। ସେହିଭଳି ଜୁନ ୨୩ରେ କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅଞ୍ଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୩୦ରୁ ଅଧିକ ମାଓବାଦୀ ଖସି ପଳାଇବାରେ ସକ୍ଷମ ହୋଇଥିଲେ।ଅନ୍ୟପକ୍ଷରେ ଏହି ଅବଧି ଭିତରେ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମେ’ ପହିଲାରେ ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକା ଦକ୍ଷିଣାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ସେହିପରି ଜୁନ୍‌ ୨ରେ ସ୍ୱାଭିମାନ ଅଞ୍ଚଳରେ ପୁଲିସ ଡିଜି ସୁନୀଲ ବଂଶଲ୍‌ଙ୍କ ଉପସ୍ଥିତିରେ ୫୦ ମିଲିସିଆ ଆତ୍ମସମର୍ପଣ କରିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାଇକ ଉପରେ ପଡିଲା ଗଛ,ଅଳ୍ପକେ ବର୍ତିଲେ ଚାଳକ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବାଇକ ଧକ୍କାରେ ପଥଚାରୀର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!