ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ଯାୟର ସାରକଥା ୧
ଧୃତରାଷ୍ଟ୍ର ଜନ୍ମାନ୍ଧ ଥିବାରୁ ସାନଭାଇ ପାଣ୍ଡୁ ରାଜା ହୋଇ ସମସ୍ତ ରାଜକାର୍ଯ୍ଯ ବୁଝୁଥିଲେ । ମାତ୍ର ପାଣ୍ଡୁ ଅଳ୍ପ ଦିନରେ ମରିଗଲେ । ପାଣ୍ଡୁଙ୍କ ମୃତ୍ୟୁ ପରେ ଲୋଭୀ ଦୁର୍ଯ୍ଯୋଧନ ପାଣ୍ଡବମାନଙ୍କୁ ମାରିଦେଇ ଏକାକୀ ସମଗ୍ର ରାଜ୍ଯ ଭୋଗ କରିବାକୁ ନାନା ଚକ୍ରାନ୍ତ ଚଳାଇଲେ । ଫଳରେ ଦ୍ରୌପଦୀଙ୍କ ବିବାହ ପୂର୍ବରୁ ପାଣ୍ଡବମାନେ ମାତା କୁନ୍ତୀଙ୍କ ସହ ରାଜ୍ଯ ଛାଡି ବ୍ରାହ୍ମଣ ବେଶରେ ଦେଶ ଦେଶାନ୍ତର ବୁଲୁଥିଲେ । ସ୍ବୟମ୍ବରରେ ତୃତୀୟ ପାଣ୍ଡବ ଅର୍ଜୁନ ଜିତି ଦ୍ରୌପଦୀଙ୍କୁ ଲାଭ କଲେ ଏବଂ ମାତାଙ୍କ ଇଛାନୁସାରେ ପାଞ୍ଚ ଭାଇ ଯୁଧିଷ୍ଠିର,ଭୀମ,ଅର୍ଜୁନ, ନକୁଳ ଓ ସହଦେବ ଦ୍ରୌପଦୀଙ୍କୁ ବିବାହ କଲେ । ଖବର ପାଇ ରାଜାଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ଡକାଇ ନେଲେ ଓ ରାଜ୍ଯକୁ ଦୁଇଭାଗ କରି ଗୋଟିଏ ଭାଗ ଯୁଧିଷ୍ଠିରଙ୍କୁ ଦେଲେ । ଯୁଧିଷ୍ଠିର ତାଙ୍କ ରାଜ୍ଯର ରାଜଧାନୀ ଇନ୍ଦ୍ରପ୍ରସ୍ଥକୁ ନୂତନ କରି ନିର୍ମାଣ କଲେ । ରାଜସୂୟ ଯଜ୍ଞରେ ଦୁର୍ଯ୍ଯୋଧନ ଇନ୍ଦ୍ରପ୍ରସ୍ଥର ସୌନ୍ଦର୍ଯ୍ୟ ଓ ବିଭବ ଦେଖି ଅଧିକ ଈର୍ଷାନ୍ବିତ ହୋଇ ପଡିଲେ । ପରେ କପଟ ପଶାଖେଳରେ ଜିତି ଯୁଧିଷ୍ଠିରଙ୍କୁ ରାଜ୍ଯଚ୍ଯୁତ କରାଇଲେ । ଦ୍ରୌପଦୀଙ୍କୁ ରାଜସଭାରେ ବିବସ୍ତ୍ର କରାଇବାକୁ ଉଦ୍ଯମ କଲେ । ପଶା ଖେଳର ସର୍ତ୍ତାନୁସାରେ ଯୁଧିଷ୍ଠିର ରାଜ୍ଯ ଛାଡି ଚାରିଭାଇ ଓ ଦ୍ରୌପଦୀଙ୍କୁ ସଙ୍ଗରେ ନେଇ ୧୨ବର୍ଷ ବଣରେ ବୁଲିଲେ ଓ ୧ବର୍ଷ ଅଜ୍ଞତ ବାସରେ କଟାଇଲେ । ୧୩ ବର୍ଷ ପୂର୍ଣ୍ଣ ହେଲାପରେ ରାଜ୍ୟକୁ ଫେରି ଦୁର୍ଯ୍ଯୋଧନଙ୍କୁ ରାଜ୍ଯ ଫେରସ୍ତ ମାଗନ୍ତେ ସେ ତାହା ଫେରାଇଲେ ନାହିଁ । ସମସ୍ତ ପ୍ରକାର ଉଦ୍ଯମ ସତ୍ତ୍ବେ ଦୁର୍ଯ୍ଯୋଧନ ପରିଷ୍କାର ଘୋଷଣା କଲେ -ବିନା ଯୁଦ୍ଧରେ ସୂଚ୍ଯଗ୍ରେ ପରିମିତ ଭୂମି ମଧ୍ଯ ପାଣ୍ଡବମାନଙ୍କୁ ଦିଆଯିବ ନାହିଁ । ଫଳତଃ ଯୁଦ୍ଧ ଅନିବାର୍ଯ୍ଯ ହେଲା । ଏହି ଯୁଦ୍ଧ କୁରୁକ୍ଷେତ୍ର ନାମକ ଏକ ବିଶାଳ ପ୍ରାନ୍ତରରେ ଅନୁଷ୍ଠିତ ହେଲା । ଏହି କୁରୁକ୍ଷେତ୍ର ସରସ୍ବତୀ ଓ ଦୃଶଦବତୀ ନଦୀଦ୍ବୟ ମଧ୍ଯରେ ଏବଂ ଦିଲ୍ଲୀର ଉତ୍ତରକୁ ଓ ଅମ୍ବାଲାର ଦକ୍ଷିଣକୁ ପାଞ୍ଚକୋଶ ଦୀର୍ଘ ପ୍ରସ୍ଥ ବିଶିଷ୍ଟ ଅଟେ । ଏଠାରେ କୌରବ ଓ ପାଣ୍ଡବଙ୍କ ପୂର୍ବ ବଂଶଜ କୁରୁ ନାମକ ଜଣେ ରାଜା ପ୍ରଥମେ ଚାଷ କରିଥିଲେ ଓ ପରେ ଦେବତାମାନଙ୍କ ଆଦେଶରେ ନାନା ଧର୍ମାନୁଷ୍ଠାନ କରିଥିଲେ । ଏଣୁ ଏହାକୁ କୁରୁକ୍ଷେତ୍ର ଓ ଧର୍ମକ୍ଷେତ୍ର କୁହାଯାଏ । ଏବେ ମଧ୍ଯ କୁରୁକ୍ଷେତ୍ର ଅଛି , ଏହା ହରିୟାଣା ରାଜ୍ଯାନ୍ତର୍ଗତ । ଯୁଦ୍ଧ ପୂର୍ବରୁ ମହର୍ଷି ବ୍ଯାସଦେବ ଅନ୍ଧ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧ ଦେଖିବା ପାଇଁ ଦିବ୍ଯଦୃଷ୍ଟି ପ୍ରଦାନ କରିବାକୁ ଇଛା କଲେ । କିନ୍ତୁ ସେ କୁଳକ୍ଷୟ ସ୍ବଚକ୍ଷୁରେ ଦେଖି ସହିପାରିବେ ନାହିଁ ବୋଲି କହିବାରୁ ତାଙ୍କର ସାରଥି (ମନ୍ତ୍ରୀ) ସଞ୍ଜୟଙ୍କୁ ଦିବ୍ଯଚକ୍ଷୁ ଦେଇ ଚାଲିଗଲେ । ଫଳରେ ସଞ୍ଜୟ ରାଜପ୍ରସାଦରେ ବସି ଯୁଦ୍ଧର ସମସ୍ତ ଦୃଶ୍ୟ ଦେଖି ପାରୁଥିଲେ । ଯୁଦ୍ଧର ୧୦ମ ଦିବସରେ କୌରବମାନଙ୍କର ପ୍ରଥମ ପ୍ରଧାନ ସେନାପତି ଆଜନ୍ମ ବ୍ରହ୍ମଚାରୀ ଅଜେୟ ଗାଙ୍ଗେୟ ଭୀଷ୍ମଙ୍କର ପତନ ହେଲା । ସଙ୍ଗେ ସଙ୍ଗେ ସଞ୍ଜୟ ଯାଇ ଏ ଖବର ରାଜା ଧୃତରାଷ୍ଟ୍ରଙ୍କୁ ଜଣାଇବାରୁ ରାଜାଙ୍କର ଯୁଦ୍ଧ ବିଷୟରେ ସମସ୍ତ ତଥ୍ଯ ଜାଣିବା ପାଇଁ ଆଗ୍ରହ ହେଲା ଏବଂ ସେ ଏ ପ୍ରଶ୍ନ ସଞ୍ଜୟଙ୍କୁ ପଚାରିଲେ-“ଧର୍ମକ୍ଷେତ୍ରେ କୁରୁକ୍ଷେତେ ସମବେତା ଯୁଯୁତ୍ସବହ…….” ଇତ୍ଯାଦି । ଏଠାରୁ ଶ୍ରୀମଦ୍ ଭଗବତ୍ ଗୀତାର ଆରମ୍ଭ । ଏହା “ମହାଭାରତ”ରଭୀଷ୍ମପର୍ବର ଅନ୍ତର୍ଗତ।
ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଚାରିଲେ- ହେ ସଞ୍ଜୟ ! ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରରେ ଦୁର୍ଯ୍ଯୋଧନାଦି ମୋର ପୁଅମାନେ ଓ ପାଣ୍ଡବମାନେ ସମବେତ ହୋଇ କ’ଣ କ’ଣ କଲେ କୁହ ! ତା’ପରେ ସଞ୍ଜୟ କହିଲେ – ଦୁର୍ଯ୍ଯୋଧନ ପାଣ୍ଡବ ସେନାକୁ ବ୍ଯୁହାକାରରେ ସଜ୍ଜିତ ରହିଥିବାର ଦେଖି ଗୁରୁ ଦ୍ରୋଣାଚାର୍ଯ୍ଯଙ୍କ ନିକଟକୁ ଯାଇ କହିଲେ-ଗୁରୁଦେଵ ! ଆପଣଙ୍କ ଶିଷ୍ଯ ଧୃଷ୍ଟଦ୍ଯୁମ୍ନଙ୍କ ଦ୍ବାରା ପାଣ୍ଡବଙ୍କ ସୈନ୍ଯସଜ୍ଜା ଦେଖନ୍ତୁ । ପାଣ୍ଡବମାନଙ୍କର ସୈନ୍ଯବଳ ଆମ ସୈନ୍ଯବଳଠାରୁ ସଂଖ୍ଯାରେ କମ୍ ହୋଇଥିଲେ ହେଁ ସେମାନେ ଯୁଦ୍ଧ ପାଇଁ ଯଥେଷ୍ଟ ସମର୍ଥ ବୋଲି ମନେ ରଖିବାକୁ ହେବ । ଏଣୁ ନିଜ ନିଜ ଆସ୍ଥାନରେ ଦୃଢରହି ପ୍ରଧାନ ସେନାପତି ପିତାମହ ଭୀଷ୍ମଙ୍କୁ ସର୍ବତୋଭାବେ ରକ୍ଷା କରନ୍ତୁ ।
ଥରେ ଦ୍ରୋଣଙ୍କ ଦ୍ବାରା ପରାଜିତ ହୋଇ ରାଜା ଦ୍ରୁପଦ ପ୍ରତିଶୋଧ ନେବା ଆଶାରେ ଯଜ୍ଞ କରିଥିଲେ ଏବଂ ସେଥିରୁ ଧୃଷ୍ଟଦ୍ଯୁମ୍ନଙ୍କର ଜନ୍ମ । ଦ୍ରୋଣାଚାର୍ଯ୍ଯଙ୍କର ପ୍ରଧାନ ଶତ୍ରୁ ବୋଲି ସୂଚାଇବାକୁ ଯାଇ ହୁଏତ ଦୁର୍ଯ୍ଯୋଧନ ଧୃଷ୍ଟଦ୍ଯୁମ୍ନଙ୍କ ନାମ ପ୍ରଥମେ କହିଛନ୍ତି । ପିତାମହ ଭୀଷ୍ମଙ୍କୁ ପ୍ରଧାନ ସେନାପତି ପଦରେ ନିଯୁକ୍ତ କରାଯାଇ ଥିବାରୁ କାଳେ ଗୁରୁ ଦ୍ରୋଣ ମନଦୁଃଖ କରିଥିବେ ସେଥିପାଇଁ ଆଗ ଗୁରୁଙ୍କ ନିକଟକୁ ଯାଇ ତାଙ୍କର ସାହାଯ୍ୟ ଓ ସହଯୋଗ କରିଥିଲେ । ଦ୍ରୋଣାଚାର୍ଯ୍ଯଙ୍କର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇବା ପୂର୍ବରୁ ପିତାମହ ଭୀଷ୍ମ ସିଂହନାଦ ପୂର୍ବକ ଶଙ୍ଖଧ୍ବନି କରି ଯୁଦ୍ଧ ଘୋଷଣା କଲେ । କୌରବ ସେନାରେ ହଠାତ୍ ଶଙ୍ଖ,ଢୋଲ,ନାଗରା,ମୃଦଙ୍ଗ ପ୍ରଭୁତି ବାଜି ଉଠିଲା । ତାପରେ ଭଗବାନ ଶ୍ରୀକୃଷ୍ଣ ପାଞ୍ଚଜନ୍ଯ ଓ ଅର୍ଜୁନ ଦେବଦତ୍ତ ନାମକ ଶଙ୍ଖ ବଜାଇଲେ । ଶଙ୍ଖ ଓ ଅନ୍ଯ ବାଦ୍ଯମାନଙ୍କର ଭୟଙ୍କର ଶବ୍ଦରେ ଆକାଶ ଓ ପୃଥିବୀ ପ୍ରତିଧ୍ବନୀତ ହେବାକୁ ଲାଗିଲା ।
ଅର୍ଜୁନ ନିଜର ସାରଥି ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ-ହେ ଅଚ୍ଯୁତ ! ଉଭୟ ସେନାର ମଧ୍ଯଭାଗରେ ମୋ ରଥକୁ ସ୍ଥାପନ କର,ଯେପରି କି ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ସମସ୍ତଙ୍କୁ ମୁଁ ଦେଖିପାରିବି । ଭଗବାନ ଶ୍ରୀକୃଷ୍ଣ ସେହିପରି ଉଭୟ ସେନା ମଧ୍ଯରେ ରଥ ରଖି ଅର୍ଜୁନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିବା ସବୁ ବୀରଙ୍କୁ ଦେଖିବାକୁ କହିଲେ । ଉଭୟ ପକ୍ଷରେ ନିଜ ଜୀବନର ଆଶା ତ୍ଯାଗ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ-ଆଚାର୍ଯ୍ୟ, ପିତାମହ,ପିତୃବ୍ଯ,ପୁତ୍ର,ପୌତ୍ର,ମାତୁଳ,ଶ୍ଯାଳା,ଶ୍ବଶୁର, ସମ୍ବନ୍ଧୀ ଓ ଅନ୍ଯ ବନ୍ଧୁମାନେ । ଆତ୍ମୀୟମାନଙ୍କୁ ଦେଖି ଓ ଯୁଦ୍ଧର ଭୟାବହ ପରିଣାମ ଚିନ୍ତାକରି ଅର୍ଜୁନଙ୍କର ଦେହ ଥରିବାକୁ ଲାଗିଲା,ଲୋମ ଟାଙ୍କୁରି ଉଠିଲା,ମୁଖ ଶୁଖିଗଲା,ଦେହ ଜଳିଗଲା ପରି ଲାଗିଲା ଓ ମନ ଅସ୍ଥିର ହୋଇଉଠିଲା । ହାତରୁ ଧନୁ ଖସି ପଡିଲା । ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏ ଯୁଦ୍ଧ କରିପାରିବେ ନାହିଁ ବୋଲି କହିଲେ । ଯୁଦ୍ଧରେ ଆତ୍ମୀୟମାନଙ୍କୁ ମାରିଲେ କୁଳଧର୍ମ ନଷ୍ଟ ହେବ,ସ୍ତ୍ରୀମାନେ ଦୂଷିତା ହେବେ,ବର୍ଣ୍ଣସଙ୍କର ଜାତ ହେବେ,ପିତା ପିତାମହ ପିଣ୍ଡପାଣି ନପାଇ ନରକଗାମୀ ହେବେ । ବରଂ ତାଙ୍କୁ ନିରସ୍ତ୍ର ଦେଖି କୌରବମାନେ ମାରିଦିଅନ୍ତୁ ପଛକେ ସେ ସାମାନ୍ଯ ରାଜ୍ଯସୁଖ ଲାଭ ଆଶାରେ ଏଭଳି ପାପକାର୍ଯ୍ଯ କରିପାରିବେ ନାହିଁ । ଧନୁ ଓ ଶର ତ୍ଯାଗକରି ରଥ ଉପରେ ଶୋକାକୁଳ ଚିତ୍ତରେ ଅର୍ଜୁନ ବସି ରହିଲେ ।
ଅର୍ଜୁନ ପୂର୍ବରୁ ବହୁବାର ବଡ ବଡ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ବିଜୟୀ ହୋଇଥିଲେ । ମହାଭାରତ ଯୁଦ୍ଧର ଠିକ୍ ପୂର୍ବରୁ ବିରାଟ ରାଜାଙ୍କର ଗୋଧନ ଉଦ୍ଧାର କରିବା ପାଇଁ ସେ ଏକାକୀ କୌରବ ବାହିନୀକୁ ପରାସ୍ତ କରିଥିଲେ । ମାତ୍ର ଏ ଯୁଦ୍ଧରେ ଭାରତବର୍ଷର ପ୍ରାୟ ସମସ୍ତ ରାଜା ଓ ସେମାନଙ୍କର ସୈନ୍ଯବଳ ଉଭୟପକ୍ଷକୁ ସାହାଯ୍ୟ କରିବା ପାଇଁ ଜୀବନର ଆଶା ତ୍ଯାଗ କରି ଉପସ୍ଥିତ ଥିଲେ । ଯୁଦ୍ଧର ଭୟାବହ ପରିଣତି ଚିନ୍ତାକରି ଅର୍ଜୁନ ବିଚଳିତ ହୋଇପଡିଲେ ଓ ତାଙ୍କର କର୍ତ୍ତବ୍ୟଜ୍ଞାନ ଲୋପ ପାଇଲା । ଏପରି ପରିସ୍ଥିତିରେ ସମସ୍ତଙ୍କର ମୋହଜାତ ହେବା ସ୍ବଭାବିକ । ଏଣୁ ଏ ଅଧ୍ଯାୟର ନାମ ବିଷାଦ ଯୋଗ ରଖାଯାଇଅଛି ।
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିମିତ୍ତ କରି ସମସ୍ତଙ୍କୁ ଗୀତାର ଅମୂଲ୍ଯବାଣୀ ଶୁଣାଇଛନ୍ତି । ଏ ଅଧ୍ଯାୟରେ କୌଣସି ଧର୍ମୋପଦେଶ ନଥିଲେ ହେଁ ଏହା ଗୀତାର ଉପକ୍ରମଣିକା ଅଟେ ।
ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ,
ଆଳଦା, ଖଇରା, ବାଲେଶ୍ବର